ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ାଗଡ଼ର ରଥଯାତ୍ରା। ସହସ୍ରାଧିକ ବର୍ଷ ପୁରୁଣା ରାଜରାଜୁଡ଼ା ଅମଳରୁ ଏଠାରେ ଆୟୋଜିତ ହେଉଥିବା ରଥଯାତ୍ରାରେ ଭିନ୍ନ ମାହାତ୍ମ୍ୟ ଓ ସ୍ବତନ୍ତ୍ରତା ରହିଛି। ଏଠାକାର ରଥଯାତ୍ରାର ବିଶେଷତ୍ବ ହେଉଛି, ଶ୍ରୀଜଗନ୍ନାଥ ମହାପ୍ରଭୁ ତଥା ସାରଥି ଗୋସାଇଁଙ୍କ ସହ ପାର୍ଥସାରଥି ଜିଉ ରଥରେ ଯାତ୍ରା କରିଥା’ନ୍ତି। ଯାହାକି ରାଜ୍ୟର ବିଭିନ୍ନ ସ୍ଥାନରେ ‌ଆୟୋଜନ ହେଉଥିବା ଘୋଷଯାତ୍ରାଠୁ ସବୁଠୁ ଭିନ୍ନ। ଲୋକକଥା ଅନୁସା‌ରେ, ଜରଡ଼ାଗଡ଼ ପାର୍ଥସାରଥିଙ୍କ ଦର୍ଶନ କରିବା ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ସହ ସମାନ। ଆଉ ଜରଡ଼ାଗଡ଼ରେ ରଥଟଣା ପରେ ପୁରୀରେ ରଥଟଣା ଆରମ୍ଭ ହୁଏ। ଏଥିପାଇଁ ତେଲୁଗୁରେ ଏକ ଉକ୍ତି ରହିଛି ‘ଜାରିଗିତେ ପୁରୀ, ଜାରାଗାକୁ ପୋତେ ଜାରାଡ଼ା’। ଅର୍ଥାତ୍ ପଇସା ଥିଲେ ‘ପୁରୀ ଯାଅ ଓ ପଇସା ନଥିଲେ ଜରଡ଼ା ଆସ’। ସେହିପରି ଯେଉଁ ପିଲାଙ୍କ ପାଟି ଖୋଲୁ ନଥାଏ ଜରଡ଼ା ରଥଯାତ୍ରା ସମୟରେ ମନ୍ଦିର ପାହାଚରେ ସେମାନଙ୍କୁ ଗଡ଼ାଇ ରଥରୁ ଗଳି ପଡ଼ିଥିବା ଚଣା ଖାଇଲେ ପାଟି ଖୋଲେ ଏବଂ ମୁଣ୍ଡନ ହେଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି।

Advertisment

ଜରଡ଼ାର ପାର୍ଥସାରଥି ମନ୍ଦିର ଓ ତତ୍‌ସଂଲଗ୍ନ ରାଜପ୍ରାସାଦ ଏବଂ ପୁରୀ ଶ୍ରୀକ୍ଷେତ୍ରର ମହିମା ସହ ଅନେକ ସମାନତା ରହିଛି। କିମ୍ବଦନ୍ତୀ ଅନୁସାରେ, ଆଳିର ରାଜା ବିଶ୍ବମ୍ବର ସିଂହ ଓ ପୁରୀ ରାଜା ପୁରୁଷୋତ୍ତମଦେବଙ୍କ ଯୁଦ୍ଧ ହୋଇଥିଲା। ଏଥିରେ ବିଶ୍ବମ୍ବର ସିଂଙ୍କ ଜ୍ୟେଷ୍ଠ ପୁଅର ମୃତ୍ୟୁ ହୋଇଥିଲା। ଫଳରେ ହାରିଯିବା ଭୟରେ ରାଜା ବିଶ୍ବମ୍ବର ତାଙ୍କ ସାନପୁଅ ବୀରଭଦ୍ରଙ୍କ ସହ ମହେନ୍ଦ୍ରତନୟା ପାହାଡ଼ରେ ଆତ୍ମଗୋପନ କରିଥିଲେ। ଆଉ ମହାଦେବଙ୍କୁ ସନ୍ତୁଷ୍ଟ କରିବାକୁ ତପରେ ବସିଥିଲେ। ମହାଦେବ ପ୍ରସନ୍ନ ହୋଇ ରାଜାଙ୍କୁ ‌ଦର୍ଶନ ଦେବା ସହ ପାର୍ଥସାରଥିଙ୍କୁ ଆରାଧନା କରିବାକୁ ପରାମର୍ଶ ଦେଇଥିଲେ। ପରେ ରାଜା ବିଶ୍ବମ୍ବର ସେଠାରେ ପାର୍ଥସାରଥିଙ୍କ ମୂର୍ତ୍ତି ନିର୍ମାଣ କରି ତାଙ୍କର ଆରାଧନା କରିଥିଲେ। ପାର୍ଥସାରଥି ସନ୍ତୁଷ୍ଟ ହୋଇ ଦର୍ଶନ ଦେବା ସହ ଏହି ଇଲାକାରେ ପ୍ରଥମ ରାଜା ଭାବେ ତାଙ୍କ ପୁଅ ବୀରଭଦ୍ର ଗାଦି ଆରୋହଣ କରିବେ ବୋଲି ବର ଦେଇଥିଲେ। ପାର୍ଥସାରଥିଙ୍କ ଆଶୀର୍ବାଦରୁ ବୀରଭଦ୍ର ସିଂହ ପୁରୀ ରାଜାଙ୍କ ଠାରୁ ‘ସାମନ୍ତରାୟ’ ଉପାଧି ପାଇ ଜରଡ଼ାର ପ୍ରଥମ ରାଜା ଭାବେ ଅଧିଷ୍ଠିତ ହୋଇଥିଲେ। ଏଭଳି ଭାବେ ୨୬ଜଣ ରାଜା ରାଜୁତି କରିଥିବା ବେଳେ ୧୭୫୯ ମସିହାରେ କୃଷ୍ଣଚନ୍ଦ୍ର ସାମନ୍ତରାୟ ଜରଡ଼ା ରାଜପ୍ରାସାଦ ବାମ ପାର୍ଶ୍ବରେ ପାର୍ଥସାରଥି ମନ୍ଦିର ନିର୍ମାଣ କରିଥିଲେ। ଏହାର ଉଚ୍ଚତା ୩୦ ଫୁଟ ରହିଥିବା ବେଳେ ଦୈର୍ଘ୍ୟ ୫୦ ଫୁଟ ରହିଛି। ଗର୍ଭଗୃହ ମୁଖ୍ୟ ପିଣ୍ତିରେ ମହାପ୍ରଭୁ ଜଗନ୍ନାଥ ଓ ବାମ ପାର୍ଶ୍ବରେ ଥିବା ରଥ ଆକୃତି ବିମାନରେ ପାର୍ଥସାରଥିଙ୍କୁ ବିରାଜିତ କରାଯାଇଥିଲା। ସେହିଦିନ ଠାରୁ ଜରଡ଼ା ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ପାର୍ଥସାରଥି ବି ରଥାରୁଢ଼ ହୋଇ ଆସୁଛନ୍ତି। ଗୋଟିଏ ରଥରେ ଦୁଇଜଣ ଦିଅଁ ବିରାଜମାନ ହେଉଛନ୍ତି। କେହି କେହି ଦୁଇ ଦିଅଁଙ୍କୁ ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକୃଷ୍ଣ ବୋଲି ବି କହନ୍ତି। ଜରଡ଼ା ରାଜବଂଶ ପାର୍ଥସାରଥିଙ୍କୁ ବଂଶାନୁକ୍ରମେ ପୂଜା କରି ଆସୁଥିବା ବେଳେ ଅଞ୍ଚଳବାସୀ ଅନୁଗାମୀ ପାଲଟିଥା’ନ୍ତି। ବର୍ତ୍ତମାନ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ଜରଡ଼ାଗଡ଼ର ରାଜାଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଏଥିପାଇଁ ପାର୍ଥସାରଥି ମନ୍ଦିରକୁ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହାଯାଏ।