ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଅବଧି ବଢ଼ିଲା ୨ ସପ୍ତାହ, ଅଗଷ୍ଟ ୧ ଯାଏଁ ରହିବ କଟକଣା

ଶୁକ୍ରବାରଠାରୁ ଅନ୍ତଃରାଜ୍ୟ ବସ୍ ସେବା ଆରମ୍ଭ, ଖୋଲିବ ସେଲୁନ୍‌-ସ୍ପା

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହାର ୩ ପ୍ରତିଶତ ରହିଛି । ଅର୍ଥାତ ପ୍ରତି ଶହେ ଜଣଙ୍କର ନମୁନାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନାର ସ୍ଥିତି ପୂର୍ବାପେକ୍ଷା ସୁଧୁରିଛି । କିନ୍ତୁ ସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ଆସି ନଥିବାରୁ ଆଂଶିକ ଲକଡାଉନକୁ ଆହୁରି ୨ ସପ୍ତାହ ବଢ଼ାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ଆଧାରରେ ଆଗାମୀ ଅଗଷ୍ଟ ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ ଜାରି ରହିବ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, କୋଭିଡ-୧୯ର ସ୍ଥିତିକୁ ଦୃଷ୍ଟିରେ ରଖି ଗତଥର ଭଳି ଏଥର ମଧ୍ୟ ରାଜ୍ୟକୁ ୨ ଭାଗରେ ବିଭାଗ କରାଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଥିବା ଜିଲ୍ଲାକୁ କାଟାଗୋରୀ-ଏ (ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଂଗପୁର, ଗଂଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର)ରେ ଏବଂ ଉପକୂଳ ଓ ଉତ୍ତର ଓଡ଼ିଶାରେ ଥିବା ଜିଲ୍ଲା ତଥା କାଟାଗୋରୀ-ବି (କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ) ରେ ଭାଗ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲା ତଥା ଖୋର୍ଦ୍ଧା, ପୁରୀ, କଟକ ଆଦି ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନାହିଁ । କେବଳ ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ରାଜ୍ୟର ସଂକ୍ରମଣର ୪୦ ପ୍ରତିଶତ ରହୁଛି ।

ରାଜ୍ୟ ସରକାର ଜୀବନ ଓ ଜୀବିକାକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ରେ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି । କାଟାଗୋରୀ-ଏ ଜିଲ୍ଲାରେ ଦୋକାନ-ବଜାର ଗୁଡ଼ିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବ । କାଟାଗୋରୀ-ବି ଜିଲ୍ଲାଗୁିକରେ ଦେକାନ ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । କାଟାଗୋରୀ ଏ ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ କାଟାଗୋରୀ-ବି ଜିଲ୍ଲାଗୁଡ଼ିକରେ ଏହା ସନ୍ଧ୍ୟା ୫ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । କାଟାଗୋରୀ-ବି ଜିଲ୍ଲା ଗୁଡ଼ିକରେ ସପ୍ତାହାନ୍ତ ସଟ୍‌ଡାଉନ୍ ଜାରି ରହିବ । କିନ୍ତୁ କାଟାଗୋରୀ-ଏ ଜିଲ୍ଲା ଗୁଡ଼ିକ ପାଇଁ ଏହା କୋହଳ କରାଯାଇଛି ।

ଜୁଲାଇ ୧୬ ତାରିଖ ଠାରୁ ଅନ୍ତଃରାଜ୍ୟ ବସ ସେବା ଆରମ୍ଭ ହୋଇଯିବ । କିନ୍ତୁ ବସ୍ ଗୁଡ଼ିକରେ କେବଳ ସିଟରେ ଯାତ୍ରୀ ଯାଇପାରିବେ । ବସ ଚଳାଚଳ ପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ । ଅର୍ଥାତ ବସ୍ ଗୁଡ଼ିକ ଯେକୌଣସି ସମୟରେ ଚଳାଚଳ କରିପାରିବ । ରଥଯାତ୍ରା ଯୋଗୁଁ ଜୁଲାଇ ୨୫ ତାରିଖ ଯାଏଁ ପୁରୀ ସହରକୁ କୌଣସି ବସ ଗଡ଼ିପାରିବ ନାହିଁ । ବସ୍‌ରେ କୌଣସି ଯାତ୍ରୀ ଛିଡ଼ା ହୋଇପାରିବେ ନାହିଁ । ଟ୍ୟାକ୍ସି ଓ ଅଟୋ ସବୁ ଜିଲ୍ଲାରେ ଚାଲିବ । କିନ୍ତୁ ଏଥିରେ ଡ୍ରାଇଭର ବ୍ୟତୀତ କେବଳ ୨ ଜଣ ଯାତ୍ରୀ ଯାଇପାରିବେ ।

ରାଜ୍ୟ ସରକାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ, କୋଭିଡ କଟକଣା ସହିତ ସେଲୁନ, ସ୍ପା ଓ ବିଉଟି ପାର୍ଲର ଖୋଲିବ । ବିନା ଦର୍ଶକରେ ଆଉଟଡୋର ଖେଳ ହୋଇପାରିବ । ଆଉଟଡୋର ଓ ଇନଡୋର ଫିଲ୍ମ ସୁଟିଂ ପାଇଁ ସରକାର ଅନୁମତି ଦେଇଛନ୍ତି । ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ବିନା କଟକଣାରେ ଚାଲିବ ।

ସ୍କୁଲ, କଲେଜ, କୋଚିଂ ସେଣ୍ଟର ଗୁଡ଼ିକ ପୂର୍ବଭଳି ବନ୍ଦ ରହିବ । ବାର ଗୁଡ଼ିକ ବନ୍ଦ ରହିବ । ରେଷ୍ଟୁରାଣ୍ଟରେ ବସି ଖାଇବାକୁ ଅନୁମତି ନାହିଁ । ସେଠାରୁ ପାର୍ସଲ ନେଇକି ଯାଇପାରିବେ । ସପିଂ ମଲ୍‌, ସିନେମା ହଲ୍ ଓ ପାର୍କ ବନ୍ଦ ରହିବ । ସେହିପରି ଯାତ୍ରା ଓ ମୁକ୍ତାକାଶ ରଂଗମଂଚ ବନ୍ଦ ରହିବ । ବିବାହ, ଶୁଦ୍ଧିକ୍ରିୟାରେ ପୂର୍ବଭଳି କଟକଣା ରହିବ । କାଟାଗୋରୀ-ବି ଜିଲ୍ଲାରେ ସପ୍ତାହିକ ଓ ଦୈନିକ ବଜାର ବନ୍ଦ ରହିବ । କିନ୍ତୁ କାଟାଗୋରୀ-ଏ ଜିଲ୍ଲା ଗୁଡ଼ିକ ପାଇଁ ଏହି କଟକଣା ନାହିଁ ।

ସମ୍ବନ୍ଧିତ ଖବର