ବିଭାଜନ ବିଭୀଷିକା ସ୍ମରଣ ଦିବସ, ଯୋଗଦେବେ ଧର୍ମେନ୍ଦ୍ର

ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ହେବ ପ୍ରଦର୍ଶନୀ

ଭୁବନେଶ୍ୱର : ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ୧୪ ଅଗଷ୍ଟ ୨୦୨୨ରେ ଦେଶ ବିଭାଜନ ସମୟର ବିଭୀଷିକା (ଭୟ) ସ୍ମରଣ ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ ‘ବିଭାଜନ ବିଭୀଷିକା (ଭୟ) ସ୍ମରଣ ଦିବସ’ ପାଳନ କରିବାକୁ ଘୋଷଣା କରିଥିଲେ।

ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖଦ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ଦିବସର ଲକ୍ଷ୍ୟ। ଗତ ଶତାବ୍ଦୀରେ ମାନବ ଜନସଂଖ୍ୟାର ସର୍ବ ବୃହତ ବିସ୍ଥାପନ ଦେଶ ସ୍ୱାଧୀନତା ସମୟରେ ହୋଇଥିଲା, ଯେଉଁଥିରେ କି ବହୁ ସଂଖ୍ୟକ ଲୋକଙ୍କ ଜୀବନ ହାନି ଘଟିଥିଲା। ବିଭାଜନ ସମୟର ବିଭୀଷିକାକୁ ସ୍ମରଣ କରିବା ପାଇଁ ଆସନ୍ତା ୧୪ ରେ ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ପ୍ରଦର୍ଶନୀ ଆୟୋଜିତ ହେବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦିବସ ପାଳନ ଅବସରରେ ଉକ୍ତ ଦିନ ପୂର୍ବାହ୍ନ ୧୦ଟାରେ ଭୂବନେଶ୍ୱର ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀରେ ଯୋଗ ଦେବେ। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ଅନ୍ତର୍ଗତ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନମାନଙ୍କରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ କରାଯିବା ସହିତ ପ୍ରଦର୍ଶନୀ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର