ଏଥର ଧାନ ସଂଗ୍ରହରେ ଭାଗଚାଷୀ ସାମିଲ ହେବେ

ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ ନିୟମାବଳୀ ପ୍ରକାଶିତ, ୧୫ ଅକ୍ଟୋବର ସୁଦ୍ଧା ଚୂଡ଼ାନ୍ତ ହେବ ପଞ୍ଜୀକୃତ ଚାଷୀଙ୍କ ତାଲିକା

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ୨୦୧୮-୧୯ ଧାନସଂଗ୍ରହ ବର୍ଷର ଖରିଫ ଋତୁ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଖାଦ୍ୟ ଯୋଗାଣ ବିଭାଗ ଚୂଡ଼ାନ୍ତ କରିଛି ନିୟମାବଳୀ। ଆଜି ବିଭାଗୀୟ ସଚିବ ବୀର ବିକ୍ରମ ଯାଦବ ଏହି ନିୟମାବଳୀକୁ ୩୦ଟି ଯାକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପଠାଇଛନ୍ତିି। ଏହି ପଞ୍ଜୀକରଣ ପ୍ରକ୍ରିୟା ସେପ୍ଟେମ୍ବର୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ ଧାନସଂଗ୍ରହ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏଥିରେ ରାଜ୍ୟ ସରକାର ନାମମାତ୍ର, କ୍ଷୁଦ୍ରଙ୍କ ସହିତ ଭାଗଚାଷୀମାନଙ୍କୁ ସାମିଲ କରିବାକୁ ଯାଉଛନ୍ତି।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ମାସ ପ୍ରଥମ ସପ୍ତାହରେ ଖରିଫ ଧାନସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏଥିରେ ଭାଗନେବା ପାଇଁ ଚାଷୀମାନଙ୍କୁ ସେମାନଙ୍କର ନାମ, ବ୍ୟାଙ୍କ ଆକାଉଣ୍ଟ, ଜମିଜମା କାଗଜାତ୍‌ ସହିତ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଅବଶ୍ୟ ପୂର୍ବରୁ ଯେଉଁମାନେ ପଞ୍ଜୀକୃତ ହୋଇଛନ୍ତି, ସେମାନଙ୍କୁ କେବଳ ନିଜର ନାମ, ଠିକଣା ନବୀକରଣ କରିବାକୁ ହେବ। କିନ୍ତୁ ନୂଆ ଚାଷୀଙ୍କୁ ନାମ ପଞ୍ଜୀକରଣ କରିବାକୁ ପଡ଼ିବ। ଏଥିପାଇଁ ପ୍ରାଥମିକ କୃଷି ସମବାୟ ସମିତି(ପାକ୍‌ସ) କିମ୍ବା ଲ୍ୟାମ୍ପସ୍‌ରେ ନିର୍ଧାରିତ ଫର୍ମରେ ଆବେଦନ କରିବାକୁ ହେବ।
ପ୍ରଥମ ଥର ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟାରେ ଭାଗଚାଷୀମାନେ ଅଂଶଗ୍ରହଣ କରିପାରିବେ। ପୂର୍ବରୁ ଜଣେ ଭାଗଚାଷୀଙ୍କ ପାଇଁ ଜମି ମାଲିକଙ୍କଠାରୁ ହେଉ ବା ସରପଞ୍ଚଙ୍କଠାରୁ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ୁଥିଲା। କିନ୍ତୁ ତାଙ୍କ ପାଇଁ ଏହି ପ୍ରମାଣପତ୍ର ଦାଖଲ କରିବା ସହଜ ହେଉନଥିଲା। ଏଣୁ ଏଥର ସେମାନଙ୍କ ନିମନ୍ତେ ଭିନ୍ନ ବ୍ୟବସ୍ଥା କରାଯାଇଛି। ସେମାନେ ଚାଷ କରୁଥିବା ଜମିର ବିବରଣୀ ଦେବେ। ସେ ନେଇ ସନ୍ଦେହ ଉପୁଜିଲେ, ସଂପୃକ୍ତ ଜିଲ୍ଲା କୃଷି ଅଧିକାରୀ କିମ୍ବା ତହସିଲଦାର ତଦନ୍ତ କରାଇ ସେମାନଙ୍କ ନାମ ପଞ୍ଜୀକରଣ କରାଇବେ। ଗ୍ରାମସ୍ତରୀୟ କୃଷି କର୍ମୀ(ଭିଏଲ୍‌ଡବ୍ଲ୍ୟୁ) ଜରିଆରେ ଜିଲ୍ଲା କୃଷି ଅଧିକାରୀ ଏବଂ ରାଜସ୍ୱ ଅଧିକାରୀ(ଆରଆଇ) ମାଧ୍ୟମରେ ତହସିଲଦାର ଚାଷକାର୍ଯ୍ୟରେ ଭାଗଚାଷୀଙ୍କ ସଂପୃକ୍ତି ବିଷୟ ତଦନ୍ତ କରି ସ୍ପଷ୍ଟ ହୋଇପାରିବେ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଥିବା ଚାଷୀଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ଭାଗଚାଷୀ। ଗତ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ୧୧.୨୦ ଲକ୍ଷ ଚାଷୀ ଅଂଶଗ୍ରହଣ କରିଥିଲେ। ଏଥର ଭାଗଚାଷୀ, ନାମମାତ୍ର ଓ କ୍ଷୁଦ୍ର ଚାଷୀମାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ସଚେତନତା ବୃଦ୍ଧି ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ, ନିବନ୍ଧକ ସମିତି ସମୂହଙ୍କୁ ଅନୁରୋଧ କରାଯାଇଛି। ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ସରିବା ପରେ ପାକ୍‌ସ ଓ ଲ୍ୟାମ୍ପସ୍‌ ତରଫରୁ ଆସନ୍ତା ସେପ୍ଟେମ୍ବର ମାସ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ବିବରଣୀ ଡିଜିଟାଇଜ୍‌ଡ୍‌ କରାଯିବ। ଅକ୍ଟୋବର ୧୫ ତାରିଖ ସୁଦ୍ଧା ଯୋଗ୍ୟ ତଥା ପଞ୍ଜୀକୃତ ଚାଷୀଙ୍କ ତାଲିକା ପ୍ରସ୍ତୁତି ଚୂଡ଼ାନ୍ତ ହେବ। ତେବେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଆସନ୍ତା ୧୩ ତାରିଖରୁ ଜିଲ୍ଲା ନିବନ୍ଧକ ସମିତି ସମୂହ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ, ସହକାରୀ ଯୋଗାଣ ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନର୍‌ ଭାବେ ପ୍ରଶିକ୍ଷଣ ଦିଆଯିବ। ଗତ ଖରିଫ ଋତୁରେ ୧୧.୨୦ ଲକ୍ଷ ଚାଷୀଙ୍କଠାରୁ ୩୮.୨୧ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇଥିଲା। ଏଥିପାଇଁ ଚାଷୀମାନେ ପାଇଥିଲେ ୫୯୨୩ କୋଟି ଟଙ୍କା। ଏହି କାର୍ଯ୍ୟକ୍ରମରେ ୨୪୦୭ଟି ପାକ୍‌ସ ଅଂଶଗ୍ରହଣ କରିଥିଲେ। ସାରା ରାଜ୍ୟରେ ୨୯୨୯ଟି ମଣ୍ଡି ଖୋଲାଯାଇଥିଲା। ଚଳିତ ଖରିଫ ଋତୁ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ୱିଣ୍ଟାଲ୍‌ ପିଛା ୧୭୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ଏଥର ଚାଷୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର