ଟାଙ୍ଗୀ: ମାଟି ତଳେ ଠାବ ହୋଇଛି ଏକ ପୁରୁଣା ମନ୍ଦିର। ସେଠାରୁ ମିଳିଲାଣି ଶିବ ଲିଙ୍ଗ, ବୃଷଭ, ନବଗ୍ରହ ସମେତ ପୁରୁଣା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି। ୨୦ ଫୁଟ୍‌ ତଳେ ଥିବା ମନ୍ଦିରର ସବୁ ଅଂଶ ଉଦ୍ଧାର ପାଇଁ ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Advertisment

୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗୀ ଥାନା ଅଧୀନସ୍ଥ କୁହୁଡ଼ି ଛକଠାରୁ ପ୍ରାୟ ୧୧ କିଲୋମିଟର ଦୂର ପରେ ପଡ଼େ କୁଞ୍ଜୁରୀ ପଞ୍ଚାୟତର ଆକାଶପଲ୍ଲୀ ଗ୍ରାମ। ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ଜଙ୍ଗଲ, ପାହାଡ଼ିଆ ଅଞ୍ଚଳରେ ଠାବ ହୋଇଛି ଏକ ପୁରାତନ ମନ୍ଦିର। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜଣେ ଜ୍ୟୋତିଷଙ୍କୁ ମହାଦେବଙ୍କ ସ୍ବପ୍ନାଦେଶ ହେବାରେ ସେ ଦେଉଳପଦାକୁ ଆସି ଏହି ସ୍ବପ୍ନାଦେଶ କଥା ଗ୍ରାମବାସୀଙ୍କୁ ଜଣାଇଥିଲେ।

ଆଖପାଖ ଅଞ୍ଚଳର ବହୁ ଠାକୁର ବିଶ୍ବାସୀ ପୂଜାର୍ଚ୍ଚନା କରିବା ସହ ଏକ ଉଇହୁଙ୍କା ଖୋଳିଥିଲେ। ପ୍ରାୟ ୨୦ ଫୁଟ୍‌ ମାଟିତଳୁ ଏକ ଶିବ ଲିଙ୍ଗ, ବୃଷଭ, ନବଗ୍ରହ ସମେତ ବହୁ ଦେବାଦେବୀଙ୍କ ମୂର୍ତ୍ତୀ ଉଦ୍ଧାର କରାଯାଇଛି। ସେଠାରେ ବେଲେଶ୍ବର ଦେବଙ୍କ ଭଗ୍ନ ମନ୍ଦିର ରହିଥିବା କୁହାଯାଉଛି। ଏହି ଘଟଣା ପରେ ଲୋକେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରି ଦେଇଛନ୍ତି। କଳାପାହାଡ଼ ଆକ୍ରମଣ ସମୟର ଏହି ଧ୍ବଂସ ପାଇଥିବା କୁହାଯାଉଛି। ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେଲେ ମନ୍ଦିରର ପ୍ରକୃତ ଲୋକଲୋଚନକୁ ଆସିପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି।