ପାଳଲହଡ଼ା (ରଘୁନନ୍ଦନ ଆଚାର୍ଯ୍ୟ) : ୧୫ ଦିନ ତଳେ ଆରମ୍ଭ ହୋଇଥିବା ବିଧାୟକ ବିରୋଧୀ ‘ମୁକେଶ ହଟାଆ ପାଳଲହଡ଼ା ବଞ୍ଚାଅ’ ନାରା ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ ବ୍ୟାପିବାରେ ଲାଗିଛି। ବିଧାୟକ ମୁକେଶ ପାଳ ବିରୋଧୀ ସମାବେଶ ଆୟୋଜନ କରୁଥିବା ନେତାଙ୍କ ଉପରେ ଗୁରୁବାର ଘଟିଥିବା ପ୍ରାଣାନ୍ତକ ଆକ୍ରମଣ ପରେ ଏହି କନ୍ଦଳ ସାଂଘାତିକ ରୂପ ନେଇଛି। ଏଣିକି ଘରେ ଘରେ ବିଧାୟକଙ୍କ ବିରୋଧରେ ଲୋକେ ବାହାରିବେ ବୋଲି ଗୋଟିଏ ଗୋଷ୍ଠୀ କହୁଥିବା ବେଳେ ବିଧାୟକଙ୍କ ସପକ୍ଷବାଦୀ ସାମଗ୍ରିକ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ଅନ୍ୟପଟେ ଗୁରୁବାର ଘଟିଥିବା ଗଣ୍ଡଗୋଳ ମାମଲାରେ ପୁଲିସ ଉଭୟ ପକ୍ଷରୁ ୨ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment

ଗଲା ୧୩ ତାରିଖରେ କନ୍ତଳାଠାରେ ପୂର୍ବତନ ସରପଞ୍ଚ ରମାକାନ୍ତ ବିଶ୍ବାଳ ଓ ବିଜେଡି ନେତା ପ୍ରଦୀପ ପ୍ରଧାନଙ୍କ ନେତୃ୍ତ୍ବରେ ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କ ବିରୋଧରେ ବୈଠକ ବସିଥିଲା। ପ୍ରତି ଜୋନ୍‌ରେ ମୁକେଶ ବିରୋଧୀ ଗୋଷ୍ଠୀ ବୈଠକ କରି ବିଧାୟକଙ୍କ ମୁଖା ଖୋଲିବାକୁ ସେତେବେଳେ ନିଷ୍ପତ୍ତି ହୋଇଥିଲା। ତେବେ ଏହି ଦୁଇ ନେତା ବୁଧବାର ସ୍ଥାନୀୟ ଖୁଲୁଡ଼ି ମନ୍ଦିର ଦର୍ଶନ କରିବାକୁ ଯାଉଥିବା ବେଳେ ଜମରା ଘାଟି ତଳେ ସେମାନଙ୍କ ଗାଡ଼ି ଉପରେ ବିଧାୟକଙ୍କ ସମର୍ଥକ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ୩୦ରୁ ଅଧିକ ଯୁବକ ଅତର୍କିତ ଆକ୍ରମଣ କରି ଗାଡ଼ି ଭଙ୍ଗାରୁଜା କରିବା ସହିତ ପ୍ରଦୀପ ଓ ରମାକାନ୍ତଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ଅପରପକ୍ଷରୁ ପରମେଶ୍ବର କିସାନ ଏହି ଦୁଇ ଜଣଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉଭୟ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ସେ ଏତଲାରେ ଦର୍ଶାଇଛନ୍ତି।

ଆହତ ବିଜେଡି ନେତା ପ୍ରଦୀପ ଓ ରମାକାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ ୧୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ତେବେ ଏହା ପଛରେ ଏକ ବଡ଼ ଘଟଣା ଚପି ଯାଇଛି। ତାହା ହେଲା ପ୍ରଦୀପ ଓ ରମାକାନ୍ତଙ୍କ ଉପରେ ଆକ୍ରମଣ ହେବା ସତ୍ତ୍ବେ ମଧ୍ୟ ବିଧାୟକ ଶ୍ରୀ ପାଳଙ୍କ ବିରୋଧରେ ଛେଳିଆବେଡ଼ାଠାରେ ଏକ ବଡ଼ ବୈଠକ ବସିଥିଲା। ‘ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ’ ସ୍ଳୋଗାନ୍‌ ସହ ‘ମୁକେଶ ହଟାଅ ପାଳଲହଡ଼ା ବଞ୍ଚାଅ’ ନାରାରେ ଛେଳିଆବେଡ଼ା ହାଟପଦାକୁ କମ୍ପାଇଥିଲେ ଅସନ୍ତୁଷ୍ଟ କର୍ମୀ। ବିଧାୟକ ହେବା ପରେ ‌ଦଳୀୟ କର୍ମୀଙ୍କୁ ଅଣଦେଖା ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦେବା ବଦଳରେ ନିଜ ସମ୍ପର୍କୀୟଙ୍କୁ ଅହେତୁକ ଅନୁକମ୍ପା ବିରୋଧରେ ଏହି ମେଳି ବସୁଥିବା ଅସନ୍ତୁଷ୍ଟ କର୍ମୀମାନେ କହିଥିଲେ। ପୂର୍ବରୁ ଈଶ୍ବରନଗର ପଞ୍ଚାୟତର ପୂର୍ବତନ ସରପଞ୍ଚ ରମାକାନ୍ତ ବିଶ୍ବାଳ ଓ ବିଜେଡି ନେତା ପ୍ରଦୀପ ପ୍ରଧାନ ଅସନ୍ତୁଷ୍ଟ କର୍ମୀଙ୍କ ନେତୃତ୍ବ ନେଉଥିବା ଚର୍ଚ୍ଚା ହେଉଥିଲା। ବିଧାୟକ ଶ୍ରୀ ପାଳ ବି ଏମାନଙ୍କୁ ବିଜେଡି କର୍ମୀ ନୁହନ୍ତି ବୋଲି ଗତ ୧୩ ତାରିଖ ବୈଠକ ସମୟରେ ‘ସମ୍ବାଦ’କୁ ପ୍ରତିକ୍ରିୟା ଦେଇ କହିଥିଲେ। କିନ୍ତୁ ଏହି ଦୁଇ ନେତା ଲହୁଲୁହାଣ ହୋଇ ବୈଠକକୁ ଯାଇ ନଥିଲେ ବି ଶତାଧିକ ଲୋକ ମେଳି ବାନ୍ଧିବା ଓ ମୁକେଶ ବିରୋଧୀ ନାରା ଲଗାଇବା ଘଟଣାକୁ ରୋଚକ କରିଛି। ବାସ୍ତବରେ ଏହି ମେଳି ପଛରେ କିଏ ତାହାକୁ ଏବେ ବିଜେଡି ଖୋଜୁଛି। ବିଜେଡି ବିଧାୟକଙ୍କ ବିରୋଧରେ ଛାମୁଆ ନେତାଙ୍କ ବିନା ବିଜେଡି କର୍ମୀ ବୈଠକ କରି ବିଧାୟକଙ୍କୁ ଚ୍ୟା‌ଲେଞ୍ଜ କରିବା ସମଗ୍ର ନିର୍ବାଚନମଣ୍ଡଳିରେ ଚର୍ଚ୍ଚାର ବିଷୟ ହୋଇଛି।

ଅନ୍ୟପଟେ ଏହି ଘଟଣା ସ୍ଥାନୀୟ ରାଜନୀତି ଉପରେ ପ୍ରଭାବ ପକାଇଛି। ମୁହଁ ଖୋଲୁ ନଥିବା କର୍ମୀ ମଧ୍ୟ ଏବେ ଏହି ଗୋଷ୍ଠୀରେ ଯୋଡ଼ିହେବେ ବୋଲି ସୂଚନା ମିଳୁଛି। ସେହିପରି ‘ଆମେ ମାଡ଼ ଖାଇ ମିଛ କେସ୍‌ ଖାଇଲୁ’ ବୋଲି ରମାକାନ୍ତ କହିଥିବା ବେଳେ କିଛି ଷଡ଼୍‌ଯନ୍ତ୍ରକାରୀ ତାଙ୍କ ନାଁରେ ନାରା ଲଗାଉଛନ୍ତି କିନ୍ତୁ ତାଙ୍କ ନେତୃତ୍ବରେ ଅଞ୍ଚଳ‌ରେ ବିକାଶ ଅବ୍ୟାହତ ରହିଥିବା ଶ୍ରୀ ପାଳ କହିଛନ୍ତି।