ବଡ଼ଚଣା ରାଜନୀତି: ନେତାଙ୍କ ପାଇଁ‌ ଗୋଷ୍ଠୀ କନ୍ଦଳ କାଳ

ଯାଜପୁର,(ସଂଗ୍ରାମ ସିଂହ): ବିଭିନ୍ନ ସମୟରେ ଚର୍ଚାରେ ରହିଆସିଥିବା ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଏବେ ନେତାଙ୍କ ପାଇଁ ଗୋଷ୍ଠୀକନ୍ଦଳ କାଳ ହେବ। ପ୍ରାୟ ସବୁ ଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଶାସକ ଦଳ ବିଜେଡି ଅଧିକ ଚର୍ଚାରେ ରହିଛି। ବଡ଼ଚଣା ନିର୍ବାଚନ ମଣ୍ଡଳୀ ଓଡ଼ିଶାର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଜିତାଇ ଗୌରବ ଅର୍ଜନ କରିଥିଲା। ଏହି ସ୍ବାଧୀନତା ସଂଗ୍ରାମ ମାଟିରେ ଏବେ ରାଜନୈତିକ ଝଡ଼। ଶାସକ ଦଳ ମୁଖ୍ୟ ସଚେତକ ବରିଷ୍ଠ ବିଧାୟକ ଅମର ଶତପଥୀ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ରେକର୍ଡ଼ କରିଥିବା ବେଳେ ଏଥର ‌ନିଜ ଦଳରେ ଗୋଷ୍ଠୀ ବିବାଦ ତାଙ୍କ ରାଜନୀତିକୁ ଅଧିକ ଆକ୍ରାନ୍ତ କରିଛି। ‌ ବିଜେପିରେ ନୂଆ-ପୂରୁଣା ବିବାଦ ତୀବ୍ର ହୋଇଥିବା ବେଳେ କଂଗ୍ରେସରେ ନୂତନ ଆଶାୟୀ ଶୁଭେନ୍ଦୁ ମହାନ୍ତି ଓ ପୁରୁଖା ନେତା ସୀତାକାନ୍ତ ମହାପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ବଳ କଷାକଷିି ଆରମ୍ଭ ହୋଇଯାଇଛି। ବିଶେଷ କରି ଏହି ମାଟିର କେତେକ ସଚେତନ ନାଗରିକଙ୍କ ଉଦ୍ୟମ ଫଳରେ ଦୁର୍ନୀତି ପ୍ରସଙ୍ଗ ସର୍ବଦା ଚର୍ଚ୍ଚାରେ ରହିଆସିଛି। ବିଭିନ୍ନ ଗୋଷ୍ଠୀ ଏବେ ଏକତ୍ର ହୋଇ ବିଧାୟକ ଶ୍ରୀ ଶତପଥୀଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ପୁରୁଣା ଖେଳୁଆଡ଼ ଅମର ମଧ୍ୟ ବେଶ ଶାଣିତ ରାଜନୀତି ଜାରି ରଖିଛନ୍ତି।
ଜିଲ୍ଲାରେ ଶାସକ ଦଳର ଏକ ଯୁବ ଗୋଷ୍ଠୀ ଅଭିଜ୍ଞ ଓ ପୁରୁଖା ନେତାଙ୍କ ହାତରୁ ଶାସନ ଡୋରି ଛଡ଼ାଇ ନେବାକୁ ବିଦ୍ରୋହୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଚାଲିଛନ୍ତି। ଶ୍ରୀ ଶତପଥୀଙ୍କୁ ଟକ୍କର ଦେବାକୁ ବିଦ୍ରୋହୀମାନେ ଦିନକୁ ଦିନ ବଳୀୟାନ ହେବାରେ ଲାଗିଛନ୍ତି। ଶ୍ରୀ ଶତପଥୀ ଏଥର ମଧ୍ୟ ପ୍ରାର୍ଥୀ ହୋଇ ଜିତିବା ପାଇଁ ଆଶା ରଖିଥିବା ବେଳେ ଶାସକ ଦଳ ବିଜେଡିର ମନୋରମା ଆଚାର୍ଯ୍ୟ, ଇତିଶ୍ରୀ ସାମଲ, ପହଲ୍ଲାଦ ନନ୍ଦ ପ୍ରମୁଖ ଟିକେଟ ହାସଲ ପାଇଁ ଲାଗିପଡ଼ିଛନ୍ତି। ଅନ୍ୟପଟେ ଗତ ନିର୍ବାଚନ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜନ୍ମେଜୟ ଲେଙ୍କା ଦଳରୁ ଇସ୍ତଫା ଦେଇ ପାଣିପାଗ ପରଖୁଛନ୍ତି। କେଉଁ ଦଳରେ କେବେ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ଗତ ନିର୍ବାଚନର ବିଜେପି ପ୍ରାର୍ଥିନୀ ସୀମନ୍ତିନୀ ଜେନାଙ୍କୁ ଗତଥରର ସ୍ବାଧୀନ ପ୍ରାର୍ଥୀ ଅମର ନାୟକ ଚେକ୍ ଦେବା ଆରମ୍ଭ କରିଛନ୍ତି। ଶ୍ରୀ ନାୟକ ବିଜେପି‌ରେ ଯୋଗ ‌ଦେବା ପର ଠାରୁ ସଂଗଠନକୁ ସୀମନ୍ତିନୀଙ୍କ ହାତରୁ ହାଇଜାକ୍ କରିନେଇଛନ୍ତି। ସୀମନ୍ତିନୀ ଏବେ କୋଣ ଠେସା ହେବାରେ ଲାଗିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ହୋଇଥିବା ବିଜେପି ଯୁବନେତା ଶ୍ରୀ ନାୟକ ବିଜେପି ବ୍ୟାନରକୁ ନିଜର କରି ଶକ୍ତି ପ୍ରଦର୍ଶନ କରିବାରେ ଲାଗିପଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କର ନିକଟତର ଅମର ନାୟକ ଏବେ ପୂରା ଦମରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଲାଗିପଡ଼ିଛନ୍ତି। ଗୋଟଏ ବ୍ଲକ୍ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ କରିବାକୁ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଗୋଷ୍ଠୀ ବିବାଦ ସବୁ ଦଳର ନେତାଙ୍କ ପାଇଁ ମୁଖ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇଛି। ପୁରୁଖା ନେତା ବିଧାୟକ ଅମର ଶତପଥୀଙ୍କ ନିକଟତର କେତେକ ଯୁବନେତାଙ୍କ କାର୍ଯ୍ୟକଳାପକୁ ବିରୋଧ କରି ପୁରୁଖା ନେତାମାନେ ଯୁଦ୍ଧଂଦେହୀ ଡାକରା ଦେଇଛନ୍ତି।

ଗତ ଥର ମଧ୍ୟ ବିରୋଧୀମାନେ ବିଦ୍ରୋହ କରିଥିଲେ। ଏଥର ବିଦ୍ରୋହୀଙ୍କୁ ଜିଲ୍ଲାର ଜଣେ ପ୍ରଭାବଶାଳୀ ଯୁବନେତା ପ୍ରୋତ୍ସାହନ ଯୋଗାଉଥିବାର ଚର୍ଚ୍ଚା ହେଉଛି। ଏପରିକି ଶ୍ରୀ ଶତପଥୀଙ୍କୁ ହଟାଇ ଜିଲ୍ଲା ମୁଖିଆ ହେବାକୁ ଲାଗିପଡ଼ିଛନ୍ତି ବୋଲି ସରଗରମ ରାଜନୀତି ଚାଲିଛି। ଗତକାଲି ନିର୍ବାଚନ ତାରିଖ ଘୋଷଣା ସହିତ ଆଚରଣ ବିଧି ଲାଗୁ ହୋଇଯିବା ପରେ ରାଜନୀତି ପାଣିପାଗ ଅଧିକ ଉଷ୍ମ ହୋଇଉଠିଛି। ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ବଡ଼ଚଣା, ବରୀ ଓ ବିଂଝାରପୁରରେ ୩ ଜଣ ବିଧାୟକ ବରିଷ୍ଠ ହୋଇଥିବା ବେଳେ ସେମାନଙ୍କ ସ୍ଥାନରେ ଅଦଳବଦଳ କରିବା ପାଇଁ ବିଜେଡିରେ ଗୋଟିଏ ଗୋଷ୍ଠୀ ବେଶ ଚତୁରତାର ସହିତ ଗୋଟି ଚାଳନା ଆରମ୍ଭ କରିଛନ୍ତି। ବିଜେପିର ପୁରୁଣା ହଟାଅ ନୂଆ ଆପଣାଅ ନୀତିକୁ ବିଜେଡି ଯୁବନେତା ପ୍ରୟୋଗ କରିବାକୁ ନେଇ ଜିଲ୍ଲାରେ ଗୋଷ୍ଠୀ ବିବାଦ ମୁଣ୍ଡ ଟେକିଛି। ଏପରିକି ପରିବାର ରାଜନୀତି ଏଥର ଅଧିକ ବ୍ୟାପକ ହେବ ବୋଲି ଆଲୋଚନା ହେଉଛି। ଫଳରେ ସମଗ୍ର ଜିଲ୍ଲାରେ ଏବେ ଘ‌ଡ଼ିକେ ଘୋଡା ଛଟୁଛି।

ସମ୍ବନ୍ଧିତ ଖବର