ଝାରସୁଗୁଡ଼ା: ହୋମ୍ କ୍ୱାରେଣ୍ଟାଇନ୍ରେ ଥାଇ ପୁଅର ଜନ୍ମ ଦିନ ପାଳନ କରିବା ଓ ସେଥିରେ ପଡ଼ୋଶୀମାନେ ଅଂଶଗ୍ରହଣ କରିବା ଏବେ ମହଙ୍ଗା ପଡ଼ିଛି। ସେହି ଅଞ୍ଚଳରେ ପୁଣି ଏକ ବିବାହ ବାର୍ଷିକୀ ଉତ୍ସବରେ ପଡ଼ୋଶୀ ଯୋଗ ଦେଇ ଏବେ କରୋନା ବାଣ୍ଟିଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓପିଏମ୍ କଲୋନିରେ ଗତ ୧୫ ତାରିଖରେ ଜଣେ ମହିଳାଙ୍କ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଏହି ମହିଳା ହରିଆନାର ଗୁଡ଼ଗାଓଁରୁ ଆସି ଓପିଏମ୍ ତାଙ୍କ ମାମୁଁ ଘରେ ଥିଲେ। ତାଙ୍କ ସହିତ ତାଙ୍କ ସ୍ୱାମୀ ଓ ଛୋଟ ଶିଶୁପୁତ୍ର ମଧ୍ୟଥିଲେ। ମହିଳା ଜଣକ ୬ ତାରିଖରେ ଆସି ପହଞ୍ଚିବା ପରେ ଘରେ ତାଙ୍କ ପୁଅର ଜନ୍ମଦିନ ଉତ୍ସବ ପାଳନ କରିଥିଲେ।
ସେହି ଉତ୍ସବକୁ ତାଙ୍କ ପାଖ ପଡ଼ୋଶୀ ଘରର ସଦସ୍ୟମାନେ ଆସିଥିଲେ। ପରେ ସେହି କଲୋନିର ଆଉ ଜଣେ ପରିବାର ତାଙ୍କର ୨୫ ତମ ବିବାହ ଉତ୍ସବ ପାଳନ କରିଥିଲେ। ଜନ୍ମଦିନ ଉତ୍ସବକୁ ଆସିଥିବା ପରିବାର ସେହି ବିବାହ ଉତ୍ସବକୁ ମଧ୍ୟ ଯାଇଥିଲେ। ୧୫ ତାରିଖ ଗୁଡ଼ଗାଓଁରୁ ଆସିଥିବା ମହିଳାଙ୍କ କରୋନା ପଜିଟିଭ୍ ବାହାରିବା ପରେ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ କରାଯାଇଥିଲା ଓ ତାଙ୍କ ସହିତ ସଂସ୍ପର୍ଶରେ ଆସି ଥିବା ୧୭ ଜଣଙ୍କ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ଏଥିରେ ସମସ୍ତ ୧୭ ଜଣଙ୍କ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା।
ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି। ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଯେ, ସଂଗରୋଧରେ ଥିବା ବେଳେ ଜନ୍ମଦିନ ପାଳନ କରିବା କଥା ନଥିଲା। ଏହି ଉତ୍ସବକୁ ପଡ଼ୋଶୀମାନଙ୍କୁ ନିମନ୍ତ୍ରଣ କରିବା ମଧ୍ୟ ଉଚିତ ନଥିଲା। ଏଭଳି ଅସାବଧାନତା ଯୋଗୁଁ ଏତେ ଦିନ ଧରି ଠିକ୍ଠାକ୍ ଥିବା ଝାରସୁଗୁଡ଼ା ଜିଲ୍ଲାର ଅବସ୍ଥା ବିଗିଡ଼ି ଯାଇଛି। ତେବେ କଣ୍ଟେନମେଣ୍ଟ ଜୋନ୍ ହୋଇଥିବାରୁ ଏଥିରେ ଆତଙ୍କିତ ହେବାର କିଛି ନାହିଁ ବୋଲି ଜିଲ୍ଲାପାଳ କହିଥିବା ବେଳେ ଜନ୍ମଦିନ ଓ ବିବାହ ଉତ୍ସବ କରିଥିବା ଉଭୟ ପରିବାରର ମୁଖ୍ୟଙ୍କ ନାମରେ ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟର ଧାରା ୫୧ ଓ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୯୬, ୨୭୧, ୧୮୮ରେ ପୁଲିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାମଲା ଦାୟାର କରାଯାଇ କଡ଼ା ପଦକ୍ଷେପ ନିଆଯାଇଛି। ଆଗକୁ ଯଦି ଏଭଳି ଘଟଣାର ପୁନରାବୃତ୍ତି କେହି କରନ୍ତି ତାହା ହେଲେ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତେଇଦେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/corona-found-after-party21_Thumb.jpg)