ଦଳବଦଳକାରୀଙ୍କ ପ୍ରଥମ ପସନ୍ଦ ବିଜେଡି
ଅସନ୍ତୁଷ୍ଟ ହେଉଛନ୍ତି କର୍ମୀ, ଦ୍ୱିତୀୟ ପିଢ଼ିଙ୍କ ବାଟ ବନ୍ଦ
ଭାଷଣରେ ରହିଗଲା କ୍ୟାଡର ଭିତ୍ତିକ ଦଳର ପରିକଳ୍ପନା
ବିଜେପି ସେହି ରାସ୍ତାରେ, ଅଲୋଡ଼ା ହୋଇପଡ଼ିଛି କଂଗ୍ରେସ
ଭୁବନେଶ୍ୱର : କିଏ କୋଣଠେସା ହୋଇଯାଇଛନ୍ତି, ଆଉ କିଏ ଦଳ ଭିତରେ ନିଜ ସ୍ଥିତି ଓ ଭବିଷ୍ୟତ ନେଇ ସନ୍ଦିହାନ୍। କିଏ କ୍ଷମତା ଚୌକିରେ ବସିବା ନିଶାରେ ବିଭୋର। ଏମିତି ବିଭିନ୍ନ ରାଜନୈତିକ ଦଳରେ ଛଟପଟ ହେଉଥିବା ବା ଅଣନିଶ୍ବାସୀ ହୋଇପଡ଼ିଥିବା ନେତା ଦଳ ଡିଆଁ ଆରମ୍ଭ କରିଦେଇଛନ୍ତି। ପଞ୍ଚାୟତ/ପୌର ନିର୍ବାଚନ ପରିପ୍ରେକ୍ଷୀରେ ଦଳବଦଳ ପ୍ରକ୍ରିୟା ତ୍ବରାନ୍ବିତ ହେଉଥିବା କୁହାଯାଉଥିଲେ ହେଁ ବାସ୍ତବରେ ସାଧାରଣ ନିର୍ବାଚନ ପାଇଁ ଏହା ପ୍ରାକ୍ ପ୍ରସ୍ତୁତି ବୋଲି ରାଜନୀତି ରଣନୀତିକାରମାନେ ବିଚାର କରୁଛନ୍ତି।
ଲକ୍ଷ୍ୟ କରାଯାଉଛି ଯେ ଦଳବଦଳ କ୍ଷେତ୍ରରେ ବିରୋଧୀ ନେତାମାନଙ୍କ ପ୍ରଥମ ପସନ୍ଦ ହେଉଛି ବିଜୁ ଜନତା ଦଳ। ୨୧ବର୍ଷର ଶାସନ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଭୋଟରଙ୍କ ଆସ୍ଥା ଏହାର ଅନ୍ୟତମ କାରଣ ବୋଲି କୁହାଯାଇପାରେ। ଏହି ଶିଡି ଦେଇ ଶାସନ କ୍ଷମତାକୁ ଅତି ସହଜରେ ଚଢ଼ିହେବ ବୋଲି ଏମାନେ ବିଚାର କରୁଛନ୍ତି। ଏଣୁ ନୀତି, ଆଦର୍ଶ, ଆଗତ-ଭବିଷ୍ୟତ ବିଚାର ନ କରି ବର୍ତ୍ତମାନ ହିଁ ସର୍ବସ୍ବ ସୂତ୍ରରେ ଅନେକ ନେତା ନିଜଆଡୁ ଶାସକ ଦଳର ଶରଣ ନେଉଛନ୍ତି, ଆଉ କିଛି ନେତାଙ୍କୁ ବିଜେଡି ଡାକିବା (ତାଙ୍କ ଦଳର ନେତା ଦୁର୍ବଳ ଥିଲେ) ମାତ୍ରେ ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିନେଉଛନ୍ତି। ବିଜେପି ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛି।
/sambad/media/post_attachments/wp-content/uploads/2021/03/bjd-naveen.jpg)
ରାଜନୈତିକ ମହଲର କହିବା କଥା ହେଉଛି ଯେ ଗୋଟିଏ ସମୟରେ ପ୍ୟାରୀମୋହନ ମହାପାତ୍ର ବିଜେଡିକୁ କ୍ୟାଡରଭିତ୍ତିକ ଦଳରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ। ସେବେ ସୁପ୍ରିମୋ ଏହାକୁ ବିରୋଧ କରିନାହାନ୍ତି। ବରଂ ପରବର୍ତ୍ତୀ ସମୟରେ ଅନେକ ନେତା ଏକଥା ଦୋହରାଇ ଆସୁଛନ୍ତି। ସେହିଭଳି ଭାରତୀୟ ଜନତା ପାର୍ଟି ମଧ୍ୟ ଗୋଟିଏ କ୍ୟାଡ଼ର ଭିତ୍ତିକ ଦଳ। ହେଲେ ଯେଉଁଭଳି ଦଳଡିଆଁ ଚାଲିଛି, ତାହା ବିସ୍ମିତ କରୁଛି। କାରଣ ଯେପରି ଢଙ୍ଗରେ ‘ଆଖିବୁଜା ନେତା ଆମଦାନୀ’ ଚାଲିଛି, ଦଳ ପାଇଁ ଏହା ସଂପତ୍ତି କି ବିପତ୍ତି- ସେ ହିସାବ ପାଇଁ ଦଳପତିଙ୍କ ପାଖରେ ସମୟ ନାହିଁ। ଅନ୍ୟଥା ଅଳ୍ପ କେତେଜଣଙ୍କୁ ବାଦ୍ ଦେଲେ ଦଳବଦଳ କରିଥିବା ଅନେକ ନେତା କ୍ଷତିରେ ପଡିନଥାନ୍ତେ! ଦୀର୍ଘକାଳୀନ ସୂତ୍ରରେ ଏହି ରାଜନୈତିକ ଦଳମାନେ ମଧ୍ୟ ଆମଦାନୀରେ ଆଣୁଥିବା ନେତାଙ୍କ ପାଇଁ ଅଶ୍ବସ୍ତିକର ପରିସ୍ଥିତି ସାମ୍ନା କରୁନଥାନ୍ତେ ବା ବଦନାମ କିମ୍ବା କଳଙ୍କର ଟିକା ପିନ୍ଧୁନଥାନ୍ତେ!
ଉଦାହରଣ ଦେଇ ଏହି ମହଲର କହିବା କଥା ହେଉଛି ଯେ ଏକଦା କଂଗ୍ରେସରୁ ଅନୁପ ସାଏ, ନବ ଦାସଙ୍କୁ ଆଣି ବିଜେଡି ଉଲ୍ଲସିତ ହେଉଥିଲା। ଅନୁପ ହତ୍ୟା ମାମଲାରେ ଫସିଗଲେ। ନବ ମନ୍ତ୍ରୀ ପଦରେ ଥିଲେ ବି ପଶ୍ଚିମ ଓଡ଼ିଶା ରାଜନୀତିରେ ଦଳର ପ୍ରଭାବ ବୃଦ୍ଧି ଦୃଷ୍ଟିରୁ ତାଙ୍କ ଦକ୍ଷତା ଅପେକ୍ଷା ବିବାଦ ଅଧିକ ଚର୍ଚ୍ଚାରେ। ସେହିପରି ହଠାତ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଣି କଳାହାଣ୍ଡି ରାଜନୀତିରେ କ୍ଷମତା ଧରାଇଥିଲା ଦଳ। ଏବେ ଦିବ୍ୟଶଙ୍କର ବିଜେଡି ପାଇଁ ସଂପତ୍ତି କି ବିପତ୍ତି ଦଳର ନେତା ଠିକ୍ ଅନୁମାନ କରୁଥିବେ। ସେହିଭଳି ବ୍ରଜ ପ୍ରଧାନ, ମହେଶ ସାହୁଙ୍କ ଯୋଗଦାନ ବିଜେଡିକୁ ଲାଭଦାୟକ ହେବ ବୋଲି ଗୋଟିଏ ସମୟରେ କୁହାଯାଉଥିଲା। ଏବେ ତାହାର ବାସ୍ତବତାକୁ ମର୍ମେ ମର୍ମେ ଅନୁଭବ କରୁଥିବେ ସାଂଗଠନିକ କର୍ତ୍ତୃପକ୍ଷ। ସେମାନଙ୍କ ବିବାଦ ବିଭିନ୍ନ ସମୟରେ ଗଣମାଧ୍ୟମର ଶିରୋନାମା ପାଲଟୁଛି। ପ୍ରଶାନ୍ତ ନନ୍ଦଙ୍କ କଥା ନ କହିବା ଭଲ।
/sambad/media/post_attachments/wp-content/uploads/2021/01/congress-2.jpg)
ମୟୂରଭଂଜରେ ସୁଦାମ ମାରାଣ୍ଡି, ସାନନ୍ଦ ମାରାଣ୍ଡି, ରାଜକିଶୋର ଦାସ ପ୍ରମୁଖଙ୍କୁ ଆଣିବା ପରେ ମଧ୍ୟ ବିଜେଡି କ୍ଷମତା ପାଇଁ ପୂର୍ବଭଳି ଯୁଝିଚାଲିଛି, ବରଂ କିଛି ପୁରୁଖା ନେତାମାନେ ଦୂରେଇଯାଉଥିବା ଲକ୍ଷ୍ୟ କରାଯାଉଛି। ସେହିଭଳି ସବୁଠାରୁ ବଡ ଗଣମାଧ୍ୟମ ଅନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ‘ଆମ ଓଡ଼ିଶା’ ଦଳ ପାଇଁ କାର୍ଯ୍ୟ କରିବ ଭାବି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଆଣିଥିଲା ବିଜେଡି। ଏବେ ଗୋଟିଏ ଗୋଷ୍ଠୀ ଖୋଲାଖୋଲି ତାଙ୍କୁ ସମାଲୋଚନା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏପରିକି ସାମାଜିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ଖବର ଲେଖିବା ଆରମ୍ଭ କଲେଣି। ସେହିଭଳି କଂଗ୍ରେସର ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ବିଜେଡିକୁ ଆସିବେ ବୋଲି ସ୍ପଷ୍ଟ କରିଛନ୍ତି। ତାହାର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ କଣ ହେବ, ତାହା ଲକ୍ଷ୍ୟ ରଖିବା କଥା।
କେବଳ ବିଜେଡିରେ ଏମିତି ହେଉଛି ତା ନୁହେଁ, ବିଜେପି ମଧ୍ୟ ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ରଘୁନାଥ ମହାନ୍ତି ପ୍ରମୁଖଙ୍କୁ ନେଇ ଅନୁରୂପ ଚାପରେ। ଜୟନ୍ତ ଷଡ଼ଙ୍ଗୀ ପୁରୀ ବିଧାୟକ ହେଲେ ସତ, ଅଥଚ ତାଙ୍କ ପୁରୁଣା ବିଜେଡ଼ି ସମ୍ପର୍କ ଦଳର ସାଂଗଠନିକ ବୃଦ୍ଧିରେ ସହାୟକ ହେବା ବଦଳରେ ଅନ୍ତରାୟ ପାଲଟିଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ଯୁକ୍ତି ହେଉଛି ଯେ ସଂପ୍ରତି ଦଳବଦଳ କ୍ଷେତ୍ରରେ ଶୀର୍ଷ ନେତୃତ୍ବ ଓ କ୍ଷମତାଶାଳୀ ଗୋଷ୍ଠୀଙ୍କର କସରତ ସବୁ ରାଜନୈତିକ ଦଳର ଆଭ୍ୟନ୍ତରୀଣ ରାଜନୀତିକୁ ଦୋହଲାଇ ଦେଉଛି। ଅସନ୍ତୋଷକୁ ମଧ୍ୟ ବହୁଗୁଣିତ କରୁଛି। ଅବସ୍ଥା ଏମିତି ଯେ ବିଜେଡି ପାଇଁ ପ୍ରତିପକ୍ଷ ଦଳରୁ ଯେତିକି ବିପଦ ନାହିଁ, ତା’ଠାରୁ ଅଧିକ ନିଜ ଦଳରୁ। ବିଜେପି କ୍ଷେତ୍ରରେ ବି ଉଣା-ଅଧିକେ ସେୟା। ଏହି କାରଣରୁ ବିଭିନ୍ନ ନିର୍ବାଚନମଣ୍ଡଳୀର ବିଧାୟକ, ଆଶାୟୀମାନେ ତ ଅସନ୍ତୁଷ୍ଟ ହେଉଛନ୍ତି; ରାତି ପାହିଲା ବେଳକୁ ପାରାଚ୍ୟୁଟରୁ ଖସୁଥିବା ଅନ୍ୟ ଦଳର ନେତା ଦଳର ଦ୍ବିତୀୟ ଧାଡ଼ିର ନେତାଙ୍କ ଶଙ୍ଖି ଉପରେ ସିଧା ଖୋଜ ପକାଉଛନ୍ତି। ନେତୃତ୍ବ ପାଇଁ ଅଯଥା ପ୍ରତିଦ୍ବନ୍ଦ୍ବିତା ହେଉଛି ଓ ଶୀର୍ଷ ନେତୃତ୍ବ ଲାଗି ଏହା ମୁଣ୍ଡବିନ୍ଧାର କାରଣ ସାଜୁଛି। ସବୁଠାରୁ ବଡ କଥା ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେବେ ବିଧାନସଭା ଓ ଲୋକସଭାରେ ମହିଳା ସଂରକ୍ଷଣ କଥା ଉଠାଉଛନ୍ତି, ସେବେ ଦଳର କ୍ଷମତାଶାଳୀ ଗୋଷ୍ଠୀଙ୍କ ଦଳ ଡିଆଁ କୌଶଳ କାର୍ଯ୍ୟକ୍ରମ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସାଜୁଛି। ଅନେକ ମହିଳା ନେତ୍ରୀଙ୍କ ଭାଗ୍ୟ ଭବିଷ୍ୟତକୁ ଏହା ମୋଡ଼ି ମକଚି ଦେଉଛି।
/sambad/media/post_attachments/wp-content/uploads/2021/08/BJP-1024x580-1.jpg)
ଏଇ ଯେମିତି ସୁନ୍ଦରଗଡ ରାଜନୀତିର ଅସନ୍ତୋଷ ଭୁବନେଶ୍ବର ଯାଏ ଆସିବା ମୁସ୍କିଲ୍। ହେଲେ ଯୋଗେଶ ସିଂହଙ୍କୁ କଂଗ୍ରେସରୁ ଟାଣିଆଣିବା ଫଳରେ ସେଠାରେ କୁସୁମ ଟେଟେ ଦଳ ଛାଡିଲେ। ସେ ଜିଲ୍ଲାରେ ବିଜୁ ବାବୁଙ୍କ ସମୟର ନେତ୍ରୀ ପଦ୍ମିନୀ ଶେଖର ଦେଓଙ୍କ ପରିବାରର ରାଜନୈତିକ ଭବିଷ୍ୟତ ବସ୍ତୁତଃ ସଙ୍କୁଚିତ ହୋଇଯାଇଛି। ବରୀ କ୍ଷେତ୍ରରେ ମଧ୍ୟ ଏବେ ଅନୁରୂପ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ବିଶ୍ବ ମଲ୍ଲିକ ଯେବେ ବିଜେଡିକୁ ଆସିବେ, େସବେ ଦେବାଶିଷଙ୍କ ବିକଳ୍ପ ଭାବେ ଉଭା ହୋଇଥିବା ସୁନନ୍ଦାଙ୍କ ରାଜନୈତିକ ଭାଗ୍ୟ କଣ ହେବ? ସୁଲୋଚନା ଦାସ, ସୁଲତା ଦେଓ, ଯୁବ ନେତା ବିଜୟ ନାୟକଙ୍କ ସ୍ବପ୍ନ ବି ଦଳିଚକଟି ହୋଇଯିବନି କି? ପ୍ରଦୀପ ମାଝୀ ଆସିବା ପରେ ଆଞ୍ଚଳିକ ସମୀକରଣ କ’ଣ ହେବ-ସେକଥା ଭବିଷ୍ୟତ ବଖାଣିବ।
ଉଲ୍ଲେଖଯୋଗ୍ୟ ଯେ ଦଳୀୟ ନେତାଙ୍କୁ ଅଣଦେଖା କରି ବିଜେପି ଗତ ସାଧାରଣ ନିର୍ବାଚନ ସମୟରେ ଅନ୍ୟ ଦଳରୁ ରାତାରାତି ଅନେକ ଯୁବ ନେତାଙ୍କୁ ନିଜ ପାଖକୁ ଟାଣି ଆଣିଥିଲା। ଆଜି ଦିନରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ବିଜେପିରେ ସକ୍ରିୟ ନାହାନ୍ତି। ବିଜେଡିରେ ବି ଅଳ୍ପବହୁତେ ସ୍ଥିତି ସମାନ। କିନ୍ତୁ ଏମାନଙ୍କ କାରଣରୁ ଅସନ୍ତୁଷ୍ଟ ନେତାମାନେ ମଉକା ଦେଖି ଛକା ମାରିବା ଲକ୍ଷ୍ୟରେ ଅପେକ୍ଷାରତ। ଆଗକୁ ସବୁ ରାଜନୈତିକ ଦଳ ପାଇଁ ‘ନେତା ଆମଦାନୀ’ ବିପଜ୍ଜନକ ହେବାର ସକଳ ଲକ୍ଷଣ ଏବେଠୁଁ ଉଙ୍କି ମାରିଲାଣି।
ଅନ୍ୟପକ୍ଷରେ ରାଜ୍ୟ ରାଜନୀତିରେ କଂଗ୍ରେସ ଏବେ ଅଛୁଆଁ ଓ ଅପ୍ରାସଙ୍ଗିକ ହୋଇପଡିଛି। ଏଣୁ ସେମାନଙ୍କ ସଂପର୍କରେ ଏଭଳି ଆଲୋଚନାର ସୁଯୋଗ ଆପାତତଃ ଏବେ ନାହିଁ।