ନୂଆଗାଁ: ନୂଆଗାଁ ବ୍ଲକରେ ଦୁଇ ଗୋଟି ଜିଲ୍ଲା ପରିଷଦ ଆସନ ପାଇଁ ସବୁ ଦଳ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିସାରିବା ପରେ ରାଜନୀତି ପାଣିପାଗ ସରଗରମ ହୋଇଉଠିଛି। ନୂଆଗାଁ ବ୍ଲକରେ ୧୬ ନଂ ଜୋନ ପାଇଁ ବିଜେଡିରୁ ସିଙ୍ଗାରପଲ୍ଲୀ ପଂଚାୟତରୁ ରଶ୍ମି ଦାସ, ବିଜେପିରୁ ବେରୁଆଁବାରୀ ପଂଚାୟତରୁ ଜ୍ୟୋତ୍ସ୍ନାରାଣୀ ସେଠୀ ଏବଂ କଂଗ୍ରେସରୁ ପାରାଢିପି ପଂଚାୟତରୁ ରଜନୀ ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ୧୭ ନଂ ଜୋନ ପାଇଁ ବିଜେଡିରୁ ସୋରଡା ପଂଚାୟତରୁ ପ୍ରତିମା ଦଳବେହେରା, ବିଜେପିରୁ ଚାହାଳୀ ପଂଚାୟତରୁ ପାର୍ବତୀ ମୁଦୁଲି ଏବଂ କଂଗ୍ରେସରୁ କୋରଡା ପଂଚାୟତ କଳ୍ପନା ଚମ୍ପତି ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

Advertisment

ବର୍ତମାନ ସମୟରେ ଚାରିଆଡେ ବିଜେଡି ପ୍ରାର୍ଥୀଙ୍କ ସମର୍ଥନ ମିଳିବା ନେଇ ଆଶା କରୁଥିବା ବେଳେ ପ୍ରତି ପଂଚାୟତରେ ସରପଂଚ ଏବଂ ସମିତିସଭ୍ୟ ପଦବି ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବା ହେତୁ ତାହା କିଛି ପ୍ରାର୍ଥୀଙ୍କୁ ସମର୍ଥନ ମିଳିନପାରିବାରୁ ବହୁ ନେତା ଅସନ୍ତୁଷ୍ଟ ହୋଇଥିବା ଜଣାପଡିଛି। ଯଦି ସେମିତି ହୁଏ ତା' ହେଲେ ବିଜେଡିର ଦଳୀୟ କନ୍ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ଅଡୁଆରେ ପକାଇବ ବୋଲି ଆଲୋଚନା ହେଉଛି। ତେବେ ଯଦି ୧୭ ନଂ ଜୋନ ଜିଲ୍ଲା ପରିଷଦ କଥା ଦେଖାଯିବ, ତା' ହେଲେ ଗତ ପଂଚାୟତ ନିର୍ବାଚନରେ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସୁଦୀପ୍ତ ଚନ୍ଦ୍ର ରାୟ ୧୫ ହଜାର ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପି ୧୧ ହଜାର ଭୋଟ୍‌ ପାଇଁ ମାତ୍ର ୪ ହଜାର ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ତେବେ ଗତ ନିର୍ବାଚନରେ ବିଜେଡି ସ୍ବର୍ଗତ ରୁଦ୍ରମାଧବ ରାୟଙ୍କ ପୁଅଙ୍କୁ ପ୍ରାର୍ଥୀ କରିଥିବା ଯୋଗୁ ବିଜେଡି ଭୋଟ୍‌ ହାତେଇ ପାରିଥିବା ବିଜେପି କହିଛି। ଏଥି ସହିତ ଗତ ନିର୍ବାଚନରେ ମତଦାନ ଦିନ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଗୋଲା ମୁଦୁଲିଙ୍କର ମାତୃ ବିୟୋଗ ହୋଇଥିବା ଯୋଗୁ ସେ ପରାଜିତ ହୋଇଥିବା କହିଛନ୍ତି। ତେବେ ଚଳିତ ଥର ନିର୍ବାଚନକୁ ଦେଖିବାକୁ ଗଲେ ବିଜେଡି ନୟାଗଡ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଦିଲୀପ କୁମାର ଦଳବେହେରାଙ୍କ ପତ୍ନୀ ପ୍ରତିମା ଦଳବେହେରାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ମାତ୍ ଦେବା ପାଇଁ ବିଜେପି ଗୋଲା ମୁଦୁଲିଙ୍କ ଭାଇ ବୋହୂକୁ ପ୍ରାର୍ଥୀ କରିଛି।

ଅନ୍ୟ ଏକ ଦିଗରେ ଦେଖିବାକୁ ଗଲେ ଗତ ନିର୍ବାଚନରେ ଯେଉଁମାନେ ବିଜେଡିକୁ ସାହାଯ୍ୟ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତେଇଥିଲେ ସେଥି ମଧ୍ୟରୁ କିଛି ମୁଖ୍ୟ ମୁଖ୍ୟ ନେତା ଏଥର ବିଜେଡି ହାତରେ ଆଉ ନାହାନ୍ତି। ଯାହାକି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇପାରେ। ବିଜେଡିର ସ୍ଥାନୀୟ ହାଇକମାଣ୍ତ ପ୍ରତି ପଂଚାୟତର ରାଜନୈତିକ ମୁଖ୍ୟ ଲୋକମାନଙ୍କୁ ଡକାଇ କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ କି ନାହିଁ ଚୟନ କରିନପାରିବା କାରଣରୁ ବହୁ ବୁଦ୍ଧିଜୀବୀ ଏବଂ ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ମର୍ମାହତ କରିଛି। ଯଦି ବର୍ତମାନ ସମୟରେ ଅସନ୍ତୁଷ୍ଟ ବିଜେଡି କର୍ମୀ କିମ୍ବା ଗତ ସାଧାରଣ ନିର୍ବାଚନଠାରୁ ବିଜେଡିରୁ ଦୂରେଇ ଯାଇଥିବା ନେତାମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ତା' ହେଲେ ବିଜେପି ପ୍ରାର୍ଥୀ ଜିତିବା ନେଇ ରାସ୍ତା ଏକପ୍ରକାରର ସଫା ବୋଲି ଆଲୋଚନା ହେଉଛି। ତେବେ ଗତ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ କଂଗ୍ରେସ ବହୁ ପଛରେ ପଡି ଯାଇଥିବା ବେଳେ ଏଥର ଲୋକଙ୍କ ପାଖରେ କେତେ ଦୂର ପହଞ୍ଚି ବିଶ୍ବାସଯୋଗ୍ୟ ହୋଇପାରୁଛି ତାହା ଦେଖିବାକୁ ବାକି ରହିଲା।