ହିଞ୍ଜିଳିକାଟୁ: ହିଂଜିଳିକାଟୁ ପୌରାଞ୍ଚଳ ୧୨ ନମ୍ବର ୱାର୍ଡ ରାଜାରାଣୀ ମାର୍ଗର ପ୍ରଭାତୀ ପ୍ରଧାନ(୩୦) ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।  ବାପା, ମା’ ଓ ଦୁଇ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ୨୦୧୪ ମସିହାରେ ଘରର ବଡ଼ଝିଅ ପ୍ରଭାତୀଙ୍କ ବିବାହ ହୋଇଥିଲା। ବିବାହର ଦୁଇବର୍ଷ ପରେ ଶାଶୂଘରେ ଅତ୍ୟାଚାର ସହି ନ ପାରି ନିଜ ବାପ ଘରକୁ ସେ ଚାଲି ଆସିଥିଲେ। କିଛି କାମ ଉଦ୍ଦେଶ୍ୟରେ ନାନା ଦୋକାନ ଓ କାର୍ଯ୍ୟାଳୟକୁ ବୁଲି ବୁଲି ଥକି ପଡ଼ିଲେ। ଶେଷରେ ହିଞ୍ଜିଳି ପୌର ପରିଷଦରେ ମିସନ୍‌ ଶକ୍ତି ଦାୟିତ୍ୱରେ ଥିବା ତତ୍କାଳୀନ ସିଇଓ ସନ୍ଧ୍ୟାରାଣୀଙ୍କ ସଂସ୍ପର୍ଶରେ ଆସିଥିଲେ ପ୍ରଭାତୀ। ତାଙ୍କରି ପ୍ରେରଣା ପ୍ରଭାତୀଙ୍କୁ ସାହସ ଯୋଗାଇଥିଲା। ପ୍ରଥମେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ପରେ ଡ୍ରାଇଭିଂ ଶିଖି ନିଜ ଗୋଡ଼ରେ ନିଜେ ଠିଆ ହେଲେ। ପ୍ରାୟ ୫ ବର୍ଷ ହେଲା ଘରକୁ ଘର ଅଳିଆବୁହା ଗାଡ଼ି ମାଧ୍ୟମରେ ଅଳିଆ ଆବର୍ଜନା ନେଇ ସେ ଏମ୍ଆରଏଫ୍‌ ଓ ଏମ୍‌ସିସିରେ ଜମା ଦିଅନ୍ତି। ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରାୟ ୬୦୦ ଘରୁ ଅଳିଆ କିପରି ବୁହା ହେବ ଓ ପରିବେଶ ସଫାସୁତୁରା ରହିବ ସେହି କାର୍ଯ୍ୟରେ ପ୍ରଭାତୀ ଲାଗି ପଡ଼ନ୍ତି। ତାଙ୍କୁ ସହଯୋଗ କରନ୍ତି ଝିପି ବେହେରା। ମହିଳା ସବୁ କ୍ଷେତ୍ରରେ ଆଗୁଆ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି କହିଛନ୍ତି ପ୍ରଭାତୀ। 

Advertisment

ସେହିଭଳି ହିଂଜିଳି ବ୍ଲକ୍‌ ସାହାପୁର ଗ୍ରାମର ଲିମା ମହାରଣା। ମା’ ଓ ତିନି ଭଉଣୀଙ୍କୁ ନେଇ ତାଙ୍କ ପରିବାର। ୨୦୨୨ ମସିହାରେ ଲିମାଙ୍କ ବାହାଘର ହୋଇଥିଲା। ହେଲେ ଶାଶୂଘର ଅତ୍ୟାଚାର ସହି ନ ପାରି ସେ ବାପ ଘରକୁ ଚାଲି ଆସିଥିଲେ। ପେଟ ଚାଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ। ସମସ୍ତ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢ଼ିବାକୁ ପଣ କଲେ ଲିମା। ଯୁକ୍ତ ୩ କଳା ପାସ୍‌ କରିଥିବା ଲିମା ସରକାରଙ୍କ ଗ୍ରାମାଞ୍ଚଳ ପରିବହନ ସେବା ମାଧ୍ୟମରେ ବସ୍‌ରେ ଦୈନିକ ୮ ଘଣ୍ଟା ପରିଶ୍ରମ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି। ଓଏସ୍‌ଆର୍‌ଟିସି ବସ୍‌ରେ ମହିଳା କଣ୍ଡକ୍ଟର ରୂପେ କାର୍ଯ୍ୟ କରି ସେ ବେଶ୍‌ ଖୁସି ଥିବା କହିଛନ୍ତି।