ବରଗଡ଼: ମହାନଦୀ କୂଳରେ ଥିଲେ ବି ଅମ୍ବାଭୋନା ବ୍ଳକରେ ପ୍ରାକ୍ ମରୁଡି ସ୍ଥିତି ସୃଷ୍ଟି ହୋଇଛି। ମରୁଡ଼ି ଦାଉରୁ ଅମ୍ବାଭୋନାକୁ ବଞ୍ଚାଇବା ପାଇଁ ଚିଖିଲି, ଜାମପାଲି (ଅନ୍ତରାଡି), ତାମଦେଇ ଠାରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବୃହତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ୨୦୧୮ ମସିହା ସେପ୍ଟେମ୍ବର ୯ ତାରିଖ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ ଏହାର ଉଦ୍ଘାଟନ କରିଥିଲେ। କିନ୍ତୁ ମହାନଦୀରେ ଜଳାଭାବ ଏବଂ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପଗୁଡ଼ିକ ଠପ୍ ରହିଛି। ମହାନଦୀ ତଟସ୍ଥ ୪୧ଟି ଗ୍ରାମର ୪୭୨୦ ହେକ୍ଟର ଚାଷ ଜମିକୁ ଏହି ପ୍ରକଳ୍ପ ଗୁଡ଼ିକ ଜରିଆରେ ଜଳସେଚନର ସୁବିଧା କରାଯିବ ବୋଲି ଆକଳନ କରାଯାଇଥିଲା। ଜମିକୁ ପାଣି ଯୋଗାଣ ଲକ୍ଷ୍ୟ ନେଇ ୯୯.୬୯ କୋଟି ଟଙ୍କାରେ ପ୍ରକଳ୍ପ ଛିଡ଼ା ହୋଇଛି।
କିନ୍ତୁ ମହାଦନୀରେ ପାଣି ଅଭାବ ଯୋଗୁଁ ପ୍ରତି ବର୍ଷ ତିନି ପ୍ରକଳ୍ପର ପମ୍ପ ହାଉସ ନିକଟସ୍ଥ ଜଳସ୍ତର ଶୁଖିଲା ପଡ଼ିଛି। ସେଚପ୍ରକଳ୍ପ କାର୍ଯ୍ୟକ୍ଷମ ନହେବାରୁ ହଜାର ହଜାର ଏକର ଜମିରେ ଚାଷ ଉଜୁଡ଼ି ଯାଉଛି। ଅମ୍ବାଭୋନା ବ୍ଳକର ତାମଦେଇ, ଅମ୍ବାଭୋନା, କଣ୍ତପଳା ଠାରେ ଉଚ୍ଚ କ୍ଷମତା ସଂପନ୍ନ ଗ୍ରିଡ ସ୍ଥାପନ ହୋଇଥିଲେ ହେଁ ବିଦ୍ୟୁତ ସମସ୍ୟା ଲାଗି ରହୁଛି। ଚିଖିଲି ଠାରେ ୨ହଜାର ହେକ୍ଟର ଚାଷ ଜମି ପାଇଁ ୪ଟି ପମ୍ପ ସେଟ ଜରିଆରେ ୧୪ଟି ପୋଖରୀରେ ଜଳ ଭର୍ତି କରିବାକୁ ଯୋଜନା ଥିଲା। ଜାମପାଲି( ଅନ୍ତରାଡି)ଠାରେ ୧୩୨୦ ହେକ୍ଟର ଚାଷ ଜମି ପାଇଁ ୩ଟି ପମ୍ପରେ ୧୪ ପୋଖରୀ ଏବଂ ତାମଦେଇରେ ୧୪୦୦ ହେକ୍ଟର ଜମି ପାଇଁ ୪ଟି ପମ୍ପ ସେଟରେ ୧୧ଟି ପୋଖରୀକୁ ପାଣି ଭର୍ତ୍ତି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଖରା ହେଲେ ପୋଖରୀ ଏବଂ ଚାଷଜମି ଉଭୟ ଶୁଷ୍କ ରହୁଛି। ପାଖରେ ମହାନଦୀ ଥିଲେ ବି ବାରମ୍ବାର ମରୁଡ଼ିର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଜଳସେଚନ ପ୍ରକଳ୍ପର ନିର୍ମାଣ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/18-4.jpg)