ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ : ୫ ବର୍ଷରେ ଖର୍ଚ୍ଚ ହେବ ୧୦ ହଜାର କୋଟି

ଭୁବନେଶ୍ୱର : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଆଜି ମୋଟ୍‌ ୪୧ଟି ପଏଣ୍ଟ୍‌ ଉଦ୍‌ଘାଟିତ ହୋଇଛି। ଏହାଦ୍ୱାରା ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ମିଳିପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, କୃଷିର ବିକାଶରେ ଜଳସେଚନର ଭୂମିକା ସବୁଠାରୁ ବଡ଼। ୨୦୧୯ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳଯୋଗାଣର ସୁବିଧା କରାଯାଇପାରିଛି। ଅନ୍ୟାନ୍ୟ କାର୍ଯ୍ୟକ୍ରମ ଜରିଆରେ ଖୁବ୍‌ଶୀଘ୍ର ଆଉ ୩ ଲକ୍ଷ ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା କରାଯିବ। ରାଜ୍ୟର ଉଚ୍ଚା ଜମି ଅଞ୍ଚଳରେ ପାର୍ବତୀଗିରି ମେଗା ଲିଫ୍ଟ ଜଳସେଚନ ବହୁତ ଲୋକପ୍ରିୟ ହୋଇପାରିଛି। ତେଣୁ ଅଧିକ ଚାଷୀ ଯେପରି ଏହି ସୁବିଧା ପାଇପାରିବେ, ସେଥି ପାଇଁ ରାଜ୍ୟ ସରକାର ତାଙ୍କ ଉଦ୍ୟମ ଜାରି ରଖିବେ। ଏଥିପାଇଁ ଆଗାମୀ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଜଳସେଚନ ପାଇଁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ପାଳନ କରିବା ଦିଗରେ ଉଦ୍ୟମ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ବଲାଙ୍ଗୀର ଜିଲ୍ଲାରେ ଯେପରି ଅଧିକ ଜମିରେ ଜଳସେଚନ ସୁବିଧାର ବିକାଶ ହୋଇପାରିବ, ସେ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଜରିଆରେ ରାଜ୍ୟର ୨୩ଟି ଜିଲ୍ଲାରେ ୧୯୯ଟି ଯୋଜନା ଅଧୀନରେ ୨ ଲକ୍ଷ ୮୬ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନ ସୁବିଧା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜି ଉଦ୍‌ଘାଟନ ହୋଇଥିବା ୪୧ଟି ମେଗା ଲିଫ୍ଟ ପ୍ରକଳ୍ପ ଦ୍ୱାରା ୯ଟି ଜିଲ୍ଲାର ୫୦,୦୨୨ ହେକ୍ଟର ଜମିରେ ଜଳସେଚନ ସୁବିଧା ମିଳିପାରିଛି। ଏହି ଜିଲ୍ଲାଗୁଡ଼ିକ ହେଲା ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ସୁବର୍ଣ୍ଣପୁର। ୨୦୧୯ ମାର୍ଚ୍ଚ ସୁଦ୍ଧା ଏହି ମେଗା ଲିଫ୍ଟ କାର୍ଯ୍ୟକ୍ରମ ଅଧୀନରେ ଆହୁରି ୮୦ଟି ପ୍ରକଳ୍ପ ଜରିଆରେ ୧ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଦିଆଯିବ।

ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ଯୋଜନାର ବିଭିନ୍ନ ସ୍ଥାନରେ ଉପସ୍ଥିତ ଚାଷୀମାନଙ୍କ ସହ ମତ ବିନିମୟ କରିଥିଲେ। ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ସମ୍ବଳିତ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ। ଏହି ଅବସରରେ ମେଗା ଲିଫ୍ଟ କାର୍ଯ୍ୟାଳୟରେ ମୁଖ୍ୟ ଯନ୍ତ୍ରୀ ଓ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦେଢ଼ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଜଳସମ୍ପଦ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିସନର୍‌, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସେଚନ ବିଭାଗର ପ୍ରମୁଖ ସଚିବଙ୍କ ସମେତ ଅନ୍ୟ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର