ବରଗଡ଼ : ମହାନଦୀ କୂଳରେ ଥିଲେ ବି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକରେ ମରୁଡ଼ି ସ୍ଥିତି ଲାଗି ରହୁଛି। ମରୁଡ଼ି ଦାଉରୁ ଅମ୍ବାଭୋନାକୁ ବଞ୍ଚାଇବା ପାଇଁ ଚିଖିଲି, ଜାମପାଲି (ଅନ୍ତରାଡ଼ି), ତାମଦେଇଠାରେ ଜଳସମ୍ପଦ ବିଭାଗ ପକ୍ଷରୁ ବୃହତ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ୨୦୧୮ ମସିହାରେ ଏହାର ଉଦ୍ଘାଟନ ହୋଇଥିଲା। କିନ୍ତୁ ମହାନଦୀରେ ଜଳାଭାବ ଏବଂ ଲୋ-ଭୋଲ୍ଟେଜ୍ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଠପ୍ ରହିଛି। ଏହି ପ୍ରକଳ୍ପ ଜରିଆରେ ମହାନଦୀ ତଟସ୍ଥ ୪୧ଟି ଗ୍ରାମର ୪୭୨୦ ହେକ୍ଟର ଚାଷ ଜମିକୁ ଏହି ପ୍ରକଳ୍ପଗୁଡ଼ିକ ଜରିଆରେ ଜଳସେଚନର ସୁବିଧା କରାଯିବ ବୋଲି ଆକଳନ କରାଯାଇଥିଲା। ଜମିକୁ ପାଣି ଯୋଗାଣ ଲକ୍ଷ୍ୟ ନେଇ ୯୯.୬୯ କୋଟି ଟଙ୍କାରେ ପ୍ରକଳ୍ପ ଛିଡ଼ା ହୋଇଛି। କିନ୍ତୁ ମହାନଦୀରେ ପାଣି ଅଭାବ ଯୋଗୁଁ ପ୍ରତି ବର୍ଷ ତିନି ପ୍ରକଳ୍ପର ପମ୍ପ ହାଉସ ନିକଟସ୍ଥ ଜଳସ୍ତର ଶୁଖିଲା ପଡ଼ିଛି। ସେଚପ୍ରକଳ୍ପ କାର୍ଯ୍ୟକ୍ଷମ ନହେବାରୁ ହଜାର ହଜାର ଏକର ଜମିରେ ଚାଷ ଉଜୁଡ଼ି ଯାଉଛି।
ଅମ୍ବାଭୋନା ବ୍ଲକର ତାମଦେଇ, ଅମ୍ବାଭୋନା, କଣ୍ତପଲାଠାରେ ଉଚ୍ଚକ୍ଷମତା ସଂପନ୍ନ ଗ୍ରିଡ୍ ସ୍ଥାପନ ହୋଇଥିଲେ ହେଁ ବିଦ୍ୟୁତ ସମସ୍ୟା ଲାଗି ରହୁଛି। ଚିଖିଲିଠାରେ ୨ହଜାର ହେକ୍ଟର ଚାଷ ଜମି ପାଇଁ ୪ଟି ପମ୍ପ ସେଟ୍ ଜରିଆରେ ୧୪ଟି ପୋଖରୀରେ ଜଳ ଭର୍ତ୍ତି କରିବାକୁ ଯୋଜନା ଥିଲା। ଜାମପାଲି (ଅନ୍ତରାଡ଼ି)ଠାରେ ୧୩୨୦ ହେକ୍ଟର ଚାଷ ଜମି ପାଇଁ ୩ଟି ପମ୍ପରେ ୧୪ ପୋଖରୀ ଏବଂ ତାମଦେଇରେ ୧୪୦୦ ହେକ୍ଟର ଜମି ପାଇଁ ୪ଟି ପମ୍ପସେଟରେ ୧୧ଟି ପୋଖରୀକୁ ପାଣି ଭର୍ତ୍ତି କରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଖରା ହେଲେ ପୋଖରୀ ଏବଂ ଚାଷଜମି ଉଭୟ ଶୁଷ୍କ ରହୁଛି। ପାଖରେ ମହାନଦୀ ଥିଲେ ବି ବାରମ୍ବାର ମରୁଡ଼ିର ଦୃଶ୍ୟ ଦେଖିବାକୁ ମିଳୁଛି। ଫଳରେ ପରିବା ଚାଷୀ ମହାନଦୀରୁ ପାଣି ବୋହି ଚାଷ ବଞ୍ଚାଉଥିବା ବି ନଜରକୁ ଆସିଛି। ଏହି ଅଚଳ ପ୍ରକଳ୍ପର ବିକଳ୍ପ ବ୍ୟବସ୍ଥା ଆଶାରେ ଚାଷୀକୁଳ ଅନାଇ ବସିଛନ୍ତି।