ବିଲେଇଙ୍କ ଦେହରେ ମାଡ଼ୁଛି ପାର୍ଭୋ ଭୂତାଣୁ; ୨ ମାସରେ ମଲେଣି ଶତାଧିକ, ଚିନ୍ତାରେ ପଶୁପ୍ରେମୀ

ବାଲେଶ୍ବର : କରୋନା ସଂକ୍ରମଣ ପରେ ଏବେ ପଶୁପକ୍ଷୀଙ୍କଠାରେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଲକ୍ଷଣ ଦେଖାଦେଇଛି। ଗୋରୁଗାଈମାନେ ଚର୍ମବିଣ୍ଡି ରୋଗର ଶିକାର ହେବା ପରି ବିଲେଇମାନେ ଏବେ ପାର୍ଭୋ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସହରାଞ୍ଚଳରେ ଏହି ରୋଗ ଦ୍ରୁତଗତିରେ ବ୍ୟାପୁଥିବା ବେଳେ ଚିକିତ୍ସା ଅଭାବରୁ ବିଲେଇମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି।

ଗତ ଦୁଇମାସ ଧରି ବାଲେଶ୍ବର ସହରରେ ଏହି ଭୂତାଣୁଜନିତ ରୋଗ ଦ୍ରୁତଗତିରେ ମାଡ଼ୁଛି। ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର କହିବା ଅନୁଯାୟୀ, ସାଧାରଣତଃ ପାର୍ଭୋ ଭୂତାଣୁ କୁକୁରମାନଙ୍କ ଦେହରେ ଦେଖିବାକୁ ମିଳିଥାଏ। କିନ୍ତୁ, ପ୍ରଥମକରି ଏହି ରୋଗର ଲକ୍ଷଣ ବିଲେଇମାନଙ୍କଠାରେ ସେମାନେ ଦେଖିବାକୁ ପାଉଛନ୍ତି। ପଶୁମାନଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି କମିଗଲେ ଏହା ଦେଖାଦିଏ। ତରଳ ଝାଡ଼ା, ଝାଡ଼ାରେ ରକ୍ତ ପଡ଼ିବା, ନଖାଇବା, ମାନ୍ଦା ରହିବା, ବାନ୍ତି କରିବା ଆଦି ଲକ୍ଷଣ ଦେଖା​ଦିଏ। ବିଲେଇମାନଙ୍କଠାରେ ଏହି ରୋଗ ଦେଖିବାକୁ ମିଳିଥିବା ବେଳେ ସଂକ୍ରମଣ ହେବା ମାତ୍ରକେ ଝାଡ଼ାବାନ୍ତିରେ ଅସୁସ୍ଥ ହୋଇ ଜୀବନ ହରାଉଛନ୍ତି। ଉଭୟ ବୁଲାକୁକୁର ସମେତ ପୋଷାକୁକୁର ବି ପାର୍ଭୋ ଭୂତାଣୁରେ ସଂକ୍ରମିତ ହେଉଥିବା କହିଛନ୍ତି ବିଶେଷଜ୍ଞ।

ସୂଚନା ଅନୁସାରେ, ପ୍ରତିଦିନ ୨୦ରୁ ଅଧିକ ପୋଷା ବିଲେଇ ଧରି ଲୋକମାନେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟକୁ ଆଣୁଛନ୍ତି। ଏକାଧିକ ବେଡ୍‌ରେ ବିଲେଇମାନଙ୍କୁ ରଖି ସାଲାଇନ୍‌ ମଧ୍ୟ ଦିଆଯାଉଛି। ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। ହେଲେ ଭୂତାଣୁଜନିତ ରୋଗରେ ଅନେକ ବୁଲା ବିଲେଇ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନେ ଚିକିତ୍ସା ପାଇପାରୁନାହାନ୍ତି। ରୋଗ ଲକ୍ଷଣ ପ୍ରକାଶ ପାଇବାର ଦିନେ ଦୁଇଦିନ ଭିତରେ ମରିଯାଉଛନ୍ତି। ପାର୍ଭୋ ରୋଗ ଚିକିତ୍ସା ସଂପର୍କରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିଃଶୁଳ୍କ ନମ୍ବର ୧୯୬୨ରେ ଯୋଗ‌ାଯୋଗ କରିବାକୁ ବାଲେଶ୍ବର ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ବନମାଳୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର