ପରଲୋକରେ ପ୍ରଶାନ୍ତ, ରଘୁନାଥଙ୍କ ପଛେ ପଛେ ଚାଲିଗଲେ ପୁଅ

ଓଡ଼ିଶା ରଣଜୀ ଟିମ୍‌ର ବ୍ୟାଟିଂ କର୍ଣ୍ଣଧାର ଥିଲେ

ଭୁବନେଶ୍ବର : ପିତାଙ୍କ ଏକାଦଶରେ ଚାଲିଗଲେ ପୁଅ। ଏଭଳି ଦାରୁଣ ଦୁଃଖ ଦେଲା କଠୋର କରୋନା। ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ମହାମାରୀ କରୋନା ଛଡ଼ାଇ ନେବାର ଦୁଃଖକୁ ଓଡ଼ିଶାବାସୀ ଭୁଲି ନଥିଲା ବେଳେ ତାଙ୍କ ପୁଅ ତଥା ପୂର୍ବତନ ରଣଜୀ ତାରକା, ଜାତୀୟ ସ୍ତରୀୟ ପ୍ରଶିକ୍ଷକ, ବିସିସିଆଇ ମ୍ୟାଚ୍ ରେଫରି ଏବଂ ଓଡ଼ିଶା କ୍ରିକେଟ୍ ଦୁନିଆରେ ‘ମୁନ୍ନା ଭାଇ’ ଭାବେ ପରିଚିତ ପ୍ରଶାନ୍ତ ମହାପାତ୍ରଙ୍କର ବୁଧବାର ସେହି କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୪୭ ବର୍ଷ ହୋଇଥିଲା। ରଘୁନାଥ ଗତ ୯ ତାରିଖରେ ଆଖି ବୁଜିଥିଲେ। ମାତ୍ର ୧୦ ଦିନ ପରେ ପ୍ରଶାନ୍ତ ପରଲୋକକୁ ଯିବା ଖବର ରାଜ୍ୟବାସୀଙ୍କୁ ଯେମିତି ପୂରା ସ୍ତବ୍ଧ କରିଦେଇଛି। ବିଧିର ଏହି କ୍ରୂର ବିଧାନକୁ କେହି ଯେମିତି ସହଜରେ ବିଶ୍ବାସ କରିପାରୁନାହାନ୍ତି।

ଦିଲ୍ଲୀରୁ ପରିବାର ସହ ଫେରିବା ପରେ ରଘୁନାଥଙ୍କ ଭଳି ପ୍ରଶାନ୍ତ କରୋନା ପୀଡ଼ିତ ହୋଇ ଏମ୍ସରେ ହିଁ ଚିକିତ୍ସିତ ହେଉଥିଲେ। ଜୀବନ କାଳରେ ଅନେକ ଅପରାଜିତ ପାଳି ଖେଳି ପ୍ରଶଂସକଙ୍କ ପ୍ରିୟପାତ୍ର ହେବା ସହ ଓଡ଼ିଶା କ୍ରିକେଟ୍ ପାଇଁ ଗର୍ବ ଓ ଗୌରବ ଆଣିଥିବା ପ୍ରଶାନ୍ତ କରୋନାକୁ ସଫଳତାର ସହ ହରାଇବେ ବୋଲି ପରିବାର ଲୋକ ଆଶା ରଖିଥିଲେ। ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ମଧ୍ୟ ଆସିଥିଲା। କରୋନା ପର ସ୍ବାସ୍ଥ୍ୟ ଜଟିଳତା ସହ ଲଢ଼ୁଥିବା ଯୁଦ୍ଧରେ କିନ୍ତୁ ହାରି ଯାଇଥିଲେ ସେ। ସତ ଚେଷ୍ଟା ପରେ ମଧ୍ୟ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ଗତ କିଛି ଦିନ ହେବ ଭେଣ୍ଟିଲେଟରରେ ଥିବା ପ୍ରଶାନ୍ତ ଆଜି ସକାଳ ୭ଟା ୫୧ ମିନିଟ୍‌ରେ ଶେଷ ନିଶ୍ବାସ ତ୍ୟାଗ କରିଥିବା ଏମ୍ସ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯିବା ପରେ ରାଜ୍ୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଥିଲା। ପ୍ରଶାନ୍ତଙ୍କ ବଡ଼ ଭାଇ ଯଶୋବନ୍ତ ମଧ୍ୟ କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ମଧ୍ୟ ସଂକଟାପର୍ଣ୍ଣ ରହିଛି। ପୂର୍ବରୁ ରଘୁନାଥଙ୍କ ସାନପୁଅ ସୁଶାନ୍ତ ମହାପାତ୍ର ମୃତ୍ୟୁବରଣ କରିସାରିଛନ୍ତି।

ଜଣେ ସଫଳ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଓଡ଼ିଶା ପକ୍ଷରୁ ଖେଳିଥିବା ୪୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ ୧୫୭ ରନ୍‌ର ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ସହ ୨୧୯୬ ରନ୍ କରିଥିଲେ। ସେଥିମଧ୍ୟରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ରହିଛି। ସେ ମଧ୍ୟ ୧୭ ଲିଷ୍ଟ ‘ଏ’ ମ୍ୟାଚ୍ ଖେଳି ୨୬୧ ରନ୍ କରିଥିଲେ। ପୁଣି ପୂର୍ବାଞ୍ଚଳ ଦଳରୁ ଖେଳିବାର ଗୌରବ ହାସଲ କରିଥିଲେ। ୧୯୯୦-୯୧ରୁ ୨୦୦୨-୦୩ ପର୍ଯ୍ୟନ୍ତ ଜଣେ ଖେଳାଳି ଭାବେ ସକ୍ରିୟ ଥିବା ପ୍ରଶାନ୍ତ ଏହା ପରେ ପ୍ରଶିକ୍ଷଣରେ ମନ ବଳାଇଥିଲେ। ୨୦୧୪ ମସିହାରେ ବିସିସିଆଇ ରେଫରି ପ୍ୟାନେଲରେ ସ୍ଥାନ ପାଇଥିଲେ। ଚଳିତବର୍ଷ ମାର୍ଚ ମାସରେ କୋଲକାତାଠାରେ ଖେଳା ଯାଇଥିବା ସର୍ଭିସେସ୍-ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି ଗ୍ରୁପ୍-ଇ ମ୍ୟାଚ୍ ରେଫରି ଭାବେ ଥିଲା ତାଙ୍କର ଶେଷ ମ୍ୟାଚ୍। ୧୯୯୬ ମସିହାରୁ ସେ ଏଜି ଅଫିସରେ କାର୍ଯ୍ୟରତ ଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ରାଜ୍ୟର ଉଦୀୟମାନ ତାରକାମାନଙ୍କୁ ସବୁବେଳେ ପରାମର୍ଶ ଦେଉଥିବା ପ୍ରଶାନ୍ତ ସାଧାରଣ ଜୀବନରେ ଜଣେ ମେଳାପୀ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ଥିଲେ। ୧୯୯୦ରେ ବିହାର ବିପକ୍ଷରେ ରଣଜୀ ଜୀବନ ଆରମ୍ଭ କରିଥିବା ପ୍ରଶାନ୍ତଙ୍କ ପରଲୋକ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ କ୍ରିକେଟ୍ ପାଇଁ ଏକ ଅପୂରଣୀୟ କ୍ଷତି। ଅପୂରଣୀୟ ଆଘାତ ପାଇଥିବା ପ୍ରଶାନ୍ତଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ବହୁ ପ୍ରତିଷ୍ଠିତ କ୍ରିକେଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା, ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ରଞ୍ଜୀବ ବିଶ୍ବାଳ, ଓଡ଼ିଶା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଭାରତୀୟ ମହିଳା କ୍ରିକେଟ୍ ଦଳର ନବନିଯୁକ୍ତ ବ୍ୟାଟିଂ ପ୍ରଶିକ୍ଷକ ଶିବ ସୁନ୍ଦର ଦାସ, ପୂର୍ବତନ ରଣଜୀ କ୍ରିକେଟର ଦୀପକ ମଙ୍ଗରାଜ, ପ୍ରଶିକ୍ଷକ ମ‌ନୋଜ ମହାପାତ୍ର ଏବଂ ରାମେଶ୍ବର ଓ ମୁକ୍ତେଶ୍ବର କ୍ଲବ୍‌ର ସଦସ୍ୟମାନେ ପ୍ରଶାନ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର