ସୋନପୁର: ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ବତନ୍ତ୍ର ସ୍ଥାନ ରହିଛି। ଜିଲ୍ଲାରେ ୧୦୮ଟି ମନ୍ଦିର ସହ ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଜିଲ୍ଲାର ବୈଦ୍ୟନାଥସ୍ଥିତ କୋଶଳେଶ୍ବର ମନ୍ଦିର ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର ଏବଂ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରରୁ ଏହା ଅଧିକ ପ୍ରାଚୀନ। ଏହି ଶୈବପୀଠର କାରୁକାର୍ଯ୍ୟ କୌଣସି ଗୁଣରେ କମ ନୁହେଁ। ସୋନପୁର-ବଲାଙ୍ଗୀର ମୁଖ୍ୟ ରାସ୍ତାର ହରଡ଼ଖୋଲରୁ ବାମ ପାର୍ଶ୍ବରେ ୪ କିଲୋମିଟର ଦୂରରେ ନଦୀକୂଳରେ ଅବସ୍ଥିତ ଏହି ମନ୍ଦିର। କୋଶଳେଶ୍ବର ମନ୍ଦିର ବହୁ ପ୍ରାଚୀନ ହୋଇଥିଲେ ମଧ୍ୟ ଦୀର୍ଘବର୍ଷ ଧରି ଅବହେଳାର ଶିକାର ପାଲଟିଥିଲା। କିଛି ବର୍ଷ ପୂର୍ବରୁ ଇନ୍ଟାକ ସହାୟତାରେ ଏହି ମନ୍ଦିରର କିଛି ଉନ୍ନତୀକରଣ କରଯାଇଥିଲା। ହେଲେ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହି ମନ୍ଦିରର ସ୍ବତନ୍ତ୍ର ସ୍ଥାନ ଥିଲେ ମଧ୍ୟ ଯେତିକି ବିକାଶ ହେବା କଥା ହୋଇନାହିଁ।
ସେହିପରି କୋଟସମଲେଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରର ମଧ୍ୟ ଆଶାନୁରୂପ ବିକାଶ ହୋଇନାହିଁ। ଏଠାରେ ପ୍ରଭୁ ଜଗନ୍ନାଥ ୧୪୪ ବର୍ଷ ଧରି ପାତାଳି ହୋଇଥିଲେ। ପାତାଳି ଶ୍ରୀକ୍ଷେତ୍ରରେ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ତେବେ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ସରକାର ଆବଶ୍ୟକ ଅନୁଦାନ ଯୋଗାଇନାହାନ୍ତି। ଏଠାରେ ରୋପୱେ ନିର୍ମାଣ ଡବ୍ଲ୍ୟୁଓଡିସି ହାତକୁ ନେଇଥିଲା। ୨୦୧୮ ଅକ୍ଟୋବର ୩୧ ତାରିଖରେ ଏହା ପ୍ରଶାସନିକ ଅନୁମୋଦନ ଲାଭ କରିଥିଲା। ଏଥିପାଇଁ ୧୦ କୋଟି ୭୫ ଲକ୍ଷ ୫ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏପରିକି ଡବ୍ଲ୍ୟୁଓଡିସି ପକ୍ଷରୁ ଠିକା ସଂସ୍ଥା ଓସିସିଏଲ୍କୁ ଅଗ୍ରୀମ ୨ କୋଟି ୪୭ ଲକ୍ଷ ୪୩ ହଜାର ୫ ଶହ ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ଠିକା ସଂସ୍ଥା ୩ ବର୍ଷ ଧରି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବାରୁ ଗତ ୨୦୨୨ ଡିସେମ୍ବର ୧୫ ତାରିଖ ଦିନ ଡବ୍ଲ୍ୟୁଓଡିସି ସମ୍ପୃକ୍ତ ଠିକାସଂସ୍ଥାକୁ ଦେଇଥିବା ପ୍ରଶାସନିକ ଅନୁମୋଦନ ବାତିଲ କରିଛି। ଏହାପରେ ଏଠାରେ ନିର୍ମାଣ ହେବାକୁ ଥିବା ରୋପୱେ ଅନିଶ୍ଚିତତା ମଧ୍ୟରେ ରହିଛି। ଗତ ଜୁଲାଇ ୪ ତାରିଖ ଦିନ ୫-ଟି ସଚିବ ଭିକେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଦୁଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ନେଇ ଜନସାଧାରଣ ଆଶା କରିଥିଲେ। ହେଲେ ପାତାଳି ଶ୍ରୀକ୍ଷେତ୍ର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସିଲାନି ସ୍ବତନ୍ତ୍ର ଅନୁଦାନ କିମ୍ବା କୋଶଳେଶ୍ବର ମନ୍ଦିରର ବିକାଶ ପାଇଁ ଆସିଲାନି ଆବଶ୍ୟକ ଅନୁଦାନ। ଫଳରେ ଜିଲ୍ଲାବାସୀଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି।