ବିଜେଡି ଇସ୍ତାହାରରେ ଲାଗିବ େମାହର

ଭୁବନେଶ୍ବର: ଚଳିତ ନିର୍ବାଚନ ସମୟରେ ବିଜୁ ଜନତା ଦଳ ଜାରି କରିଥିବା ନିର୍ବାଚନୀ ଇସ୍ତାହାରକୁ ଆସନ୍ତା ୫ବର୍ଷ ପାଇଁ ସରକାରଙ୍କ ଏଜେଣ୍ଡା ଭାବେ କାର୍ଯ୍ୟକାରୀ କରାଯିବ। ଇସ୍ତାହାରରେ ଦିଆଯାଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ଯେପରି ପାଳନ ହେବ ସେଥିପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବ। ୨୦୧୪ରେ ହୋଇଥିବା ସାଧାରଣ ନିର୍ବାଚନ ସମୟରେ ବିଜେଡି ଯେଉଁ ଇସ୍ତାହାର ଜାରି କରିଥିଲା ତାହାକୁ ବିଜେଡି ସରକାର ୫ବର୍ଷ ମଧ୍ୟରେ ଗୋଟି ଗୋଟି କରି ପାଳନ କରିଥିଲେ। ତେଣୁ ବୁଧବାରର ଶପଥ ଗ୍ରହଣ ଉତ୍ସବ ପରେ ଅନୁରୂପ ପଦକ୍ଷେପ ନିଆଯିବ ବୋଲି କୁହାଯାଉଛି।

ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ପରେ ଅପରାହ୍ନରେ ମନ୍ତ୍ରି ପରିଷଦ ବୈଠକ ବସିବା ସହ ରାଜ୍ୟ ପାଇଁ ନୂଆ ସରକାରଙ୍କ ରୋଡ୍‍ମ୍ୟାପ୍‍ ପ୍ରସ୍ତୁତ ହେବ। ମିଳିଥିବା ସୂଚନା ଅନୁଯାୟୀ, ବିଜେଡିର ଇସ୍ତାହାର ବାଦ୍ ରାଜ୍ୟ ସରକାର ୫ବର୍ଷରେ ଯାହା ସବୁ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ତାହା ଉପରେ ମନ୍ତ୍ରି ପରିଷଦ ବୈଠକରେ ଆଲୋଚନା କରି ପାରିତ କରାଯିବ।

ସରକାରଙ୍କ ଏଜେଣ୍ଡାର ସବୁଠାରୁ ଆଗରେ ରହିଛି କାଳିଆ ଯୋଜନାରେ ବଳକା ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ। ଯାହା ବୁଧବାର ଅପରାହ୍ନରେ ଦେବାକୁ ହିଁ ନିଷ୍ପତ୍ତି ହୋଇଛି। ଏହି ପର୍ଯ୍ୟାୟରେ ୨୫ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେବ। ସେହିଭଳି ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ, ବିଜେଡି ସରକାର ପଞ୍ଚମଥର ପାଇଁ କ୍ଷମତାକୁ ଆସିଲେ ମିସନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ସରକାରୀ ସଂସ୍ଥା ଜରିଆରେ ୫୦୦୦ କୋଟି ଟଙ୍କାର ବ୍ୟବସାୟ ଯୋଗାଇ ଦିଆଯିବ। ଏହାସହ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଉପରେ ବି ମୋହର ଲାଗିପାରେ।

ସମ୍ବନ୍ଧିତ ଖବର