ଯୁକ୍ତ ୨ କଳା-ବାଣିଜ୍ୟ ଫଳ ପ୍ରକାଶିତ: ପାସ୍‌ ହାର କମିବା ପରେ କ’ଣ କହୁଛନ୍ତି, ଅଭିଭାବକ-ଶିକ୍ଷାବିତ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା ଓ ବାଣିଜ୍ୟ ବାର୍ଷିକ ଫଳ ଶୁକ୍ରବାର ଅପରାହ୍ଣରେ ପ୍ରକାଶ ପାଇଛି। ଚଳିତ ବର୍ଷ ଉଭୟ କଳା ଓ ବାଣିଜ୍ୟ ବିଷୟରେ ପାସ୍‌ ହାର କମିଥିବା ରିପୋର୍ଟରୁ ଜଣାପଡ଼ିଛି। କଳାରେ ୬୫.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ପିଲା ପାସ୍‌ କରିଛନ୍ତି।

ବର୍ଷ ୨୦୧୮ ବାର୍ଷିକ ପରୀକ୍ଷାରେ କଳାରେ ୬୮.୭୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଚଳିତ ବର୍ଷ ୬୫.୮୯ ପ୍ରତିଶତ ପିଲା ପାସ୍‌ କରିଛନ୍ତି। ସେହିପରି ୨୦୧୮ରେ ବାଣିଜ୍ୟରେ ୭୪.୯୧ ପ୍ରତିଶତ ପିଲା ପାସ୍‌ କରିଥିବା ବେଳେ ଏଥର ୭୦.୨୬ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ତେବେ ପାସ୍‌ ହାର କମିବା ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷାବିତମାନେ ବିଭିନ୍ନ କାରଣ କହିଛନ୍ତି, କଲେଜରେ ଉପଯୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି ହେଉନଥିବାରୁ କିଛି ପିଲାଙ୍କ ରେଜଲ୍‌ଟ ଖରାପ ହେଉଛି। କଲେଜରେ ନିର୍ବାଚନ ହେଉଥିବା କାରଣରୁ ପିଲା ପାଠରେ କମ ନିର୍ବାଚନରେ ଅଧିକ ସମୟ ଦେଉଥିବାରୁ ଏଭଳି ପାସ୍‌ ହାର କମିବା ହେଉଛି ଅନ୍ୟ ଏକ କାରଣ।

ରିପୋର୍ଟ ଅନୁସାରେ ୨୦୧୯ ବାର୍ଷିକ ପରୀକ୍ଷାରେ ବାଣିଜ୍ୟ ବିଷୟରେ ମୋଟ ୨୬ ହଜାର ୭୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ହଜାର ୮୨୬ ଜଣ ପିଲା ପାସ କରିଛନ୍ତି। ଛାତ୍ରଙ୍କ ପାସ ହାର ୬୭.୯୧ ପ୍ରତିଶତ (୧୧,୭୩୮ ଜଣ) ଓ ଛାତ୍ରୀଙ୍କ ପାସ୍‌ ହାର ୭୪.୫୨ ପ୍ରତିଶତ (ମୋଟ ୭ ହଜାର ୮୮ ଜଣ)। ବାଣିଜ୍ୟରେ ପ୍ରଥମ ଶ୍ରେଣୀରେ ୫,୬୨୯, ଦ୍ୱିତୀୟ ଶ୍ରେଣୀରେ ୩,୭୪୬ ଓ ତୃତୀୟ ଶ୍ରେଣୀରେ ୯,୪୨୨ ଜଣ ପାସ୍‌ କରିଛନ୍ତି।

କଳା ବିଷୟରେ ମୋଟ୍‌ ୨ ଲକ୍ଷ ୩୧ ହଜାର ୧୫୦ ଜଣ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୨ ହଜାର ୩୨୩ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ରଙ୍କ ପାସ୍‌ ହାର ୫୫.୮୦ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ୍‌ ହାର ହେଉଛି ୭୩.୯୯ ପ୍ରତିଶତ।

ବିଭାଗୀୟ ମନ୍ତ୍ରୀ କହିଲେ- ହେବ ତର୍ଜମା
ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଯୁକ୍ତ ୨ କଳା ଓ ବାଣିଜ୍ୟରେ ପାସ୍‌ ହାର କାହିଁକି କମିଛି, ତାହାର ତର୍ଜମା ହେବ। ଏବାବଦରେ ସଂପୃକ୍ତ କଲେଜ ଗୁଡ଼ିକୁ ନୋଟିସ୍‌ ଜାରି କରି କାରଣ ମଗାଯିବ ଏବଂ ସନ୍ତୋଷଜନକ ଉତ୍ତର ନମିଳିଲେ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର