ଭୁବନେଶ୍ୱର : ଆଜି ଅପରାହ୍ଣରେ ବିଧାନସଭାରେ ହଟ୍ଟଗୋଳ ମଧ୍ୟରେ ମାତ୍ର ଦୁଇ ମିନିଟ୍‌ରେ ୩୮ଟି ବିଭାଗର ଅତିରିକ୍ତ ଖର୍ଚ୍ଚର୍ଦାବି ଗୃହୀତ ହୋଇଯାଇଛି। ଏଥିମଧ୍ୟରୁ ଆଜିର କାର୍ଯ୍ୟସୂଚୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚର୍ଦାବି ଉପରେ ଆଲୋଚନା ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଗୃହରେ ହଟ୍ଟଗୋଳ ଲାଗି ରହିବାରୁ ଏହି ବିଭାଗର ଖର୍ଚ୍ଚର୍ର୍ଦାବି ଗିଲୋଟିନ୍‌ ପରିସରଭୁକ୍ତ ହୋଇଥିଲା।

Advertisment

ଆଜି ଅପରାହ୍ଣରେ ଗୃହକାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀଙ୍କ ଧାନର ଅଭାବୀ ବିକ୍ରି ପ୍ରସଙ୍ଗ ଉଠାଇଥିଲେ। ଏ ନେଇ ସେ ସରକାରଙ୍କଠାରୁ ବିବୃତି ଦାବି କରିଥିଲେ। ବିରୋଧୀଙ୍କ ଦାବି ପ୍ରତି କର୍ଣ୍ଣପାତ ନ କରି ‘‘ଖର୍ଚ୍ଚର୍ଦାବି ଆଗତ କରାଯିବ, ଏଣୁ ସମସ୍ତେ ସହଯୋଗ କରନ୍ତୁ’’ ବୋଲି ବାଚସ୍ପତି ପ୍ରଦୀପ କୁମାର ଅମାତ ଅନୁରୋଧ କରିଥିଲେ। ଫଳରେ ଗୃହରେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟମାନେ। ସାଢ଼େ ୪ଟାରେ ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ଯୋଗେ ପାରିତ ହେବ କହି ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ଗୃହରେ ଗିଲୋଟିନ ଯୋଗେ ବିଭାଗର ଖର୍ଚ୍ଚର୍ଦାବି ଗୋଟିକ ପରେ ଗୋଟିଏ ପାରିତ ହେଉଥିବା ବେଳେ ବିରୋଧୀ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ‘ଚାଷୀ ମାରଣ ନୀତି ଚଳିବ ନାହିଁ, ଅଭାବୀ ବିକ୍ରି ବନ୍ଦ କର’ ଆଦି ସ୍ଲୋଗାନ ଦେଇଥିଲେ। ବିଜେପି ସଦସ୍ୟମାନେ ବି ଗୃହର ମଧ୍ୟଭାଗକୁ ଆସିଥିଲେ। ମାତ୍ର ଦୁଇ ମିନିଟ୍‌ରେ ଖର୍ଚ୍ଚଦାବି ଗୃହୀତ ହୋଇଥିଲା। ଶେଷରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।