ବ୍ରହ୍ମଗିରି: ଚିଲିକା ଜଳରାଶିରେ ପୁଣି ଅଘଟଣ ଦେଖିବାକୁ ମିଳିଛି। ପୁରୀ ଜିଲ୍ଲା କୃଷ୍ଣପ୍ରସଦାଦ ବ୍ଲକ ଅଧୀନ ସାତପଡ଼ା ଠାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ରବିବାର ଅପରାହ୍ଣରେ ଦୀର୍ଘ ଅଧଘଣ୍ଟା ପର୍ଯ୍ୟନ୍ତ ଫସିରହିଛି। ଫଳଳେ ଏଥିରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀ ଜୀବନ ବିକଳରେ ଚିତ୍କାର କରିଛନ୍ତି। ପରେ ସେମାନଙ୍କୁ ୨ଟି ଡଙ୍ଗାରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି।
ଚିଲିକା ଜଳରାଶିରେ ସାତପଡ଼ା ଠାରୁ ଜହ୍ନିକୁଦାର ଦୂରତା ସାଢ଼େ ୫କିଲୋମିଟର। ଜହ୍ନିକୁଦାରେ ରହୁଥିବା ଲୋକେ କେଉଁ କାଳରୁ ଜଳପଥରେ ଯିବା ଆସିବା କରୁଛନ୍ତି। ସାତପଡ଼ା ଆସିବା ପାଇଁ ସେମାନଙ୍କର ପାଇଁ ଭରସା ହେଉଛି ଡଙ୍ଗା ଓ ଭସାପୋଲ।
ସୂଚନା ଅନୁସାରେ ଏକ ଯାତ୍ରୀବାହୀ ଡଙ୍ଗା ପ୍ରାୟ ୬୦ ଜଣ ଯାତ୍ରୀ ଓ ୨୫ଟି ବାଇକ୍ ନେଇ ସାତପଡ଼ାରୁ ଅପରାହ୍ଣ ୪ଟାରେ ଜହ୍ନିକୁଦା ଅଭିମୁଖେ ବାହାରିଥିଲା। ଏହି ଡଙ୍ଗାଟି ସାଢ଼େ ୪ଟାରେ ମହିଷା ଗାଁ ତଳି ଚିଲିକା ମଝିରେ ହଠାତ୍ ଅଟକି ଯାଇଥିଲା। ଡଙ୍ଗାରେ ଥିବା ମେସିନ ବନ୍ଦ ହୋଇଯିବାରୁ ଏହା ଆଗକୁ ବଢ଼ି ପାରି ନଥିଲା। ଯାତ୍ରୀବାହୀ ଡଙ୍ଗା ହଠାତ୍ ବନ୍ଦ ହୋଇଯିବା ପରେ ଏଥିରେ ଥିବା ଲୋକମାନେ ଜୀବନ ବିକଳରେ ଚିତ୍କାର କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନର ଦେଖା ନଥିଲା। ଚିଲିକା ଜଳରାଶିରେ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ ଲୋକଙ୍କର ଚିତ୍କାର ଶୁଣି ଘଟଣା ସ୍ଥଲରେ ପହଞ୍ଚି ଥିଲେ। ପରେ ସେମାନଙ୍କୁ ୨ଟି ଡଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇ ଜହ୍ନିକୁଦା ଘାଟରେ ସନ୍ଧ୍ୟା ୫ଟାରେ ପହଞ୍ଚା ଯାଇଥିଲା।
ସୂଚନାଯୋଗ୍ୟ, ଚିଲିକାରେ ବାରମ୍ବାର ଏହିଭଳି ଅଘଟଣ ଘଟୁଛି। ସାତପଡ଼ାରୁ ଜହ୍ନିକୁଦାକୁ ଯୋଡ଼ିବାକୁ ପୋଲର ବ୍ୟବସ୍ଥା ନଥିବାରୁ ଲୋକେ ଜୀବନକୁ ବାଜି ଲଗାଇ ଜଳପଥରେ ଯାତ୍ରା କରୁଛନ୍ତି। ଗତ ଏପ୍ରିଲ ମାସରେ ମଧ୍ୟ ଅଘଟଣ ଘଟିଥିବାର ନଜିର ରହିଛି। ଏପ୍ରିଲ ୪ ତାରିଖ ଦିନ ଚିଲିକା ମଝିରେ ୩ଟି ଯାତ୍ରୀବାହୀ ଡଙ୍ଗା ଫସିଥିଲା। ପ୍ରାୟ ୧୫୦ ଲୋକ ଜହ୍ନିକୁଦା ଘାଟପେଣ୍ଠ ନିକଟରୁ ସାତପଡ଼ା ଯିବା ସମୟରେ କୌଣସି କାରଣରୁ ଘାଟଡଙ୍ଗାଟି ନିଜ ଚ୍ୟାନେଲ ଭିତରୁ ବାହାରି କୁଦରେ ଚଢ଼ିଯାଇଥିଲା। ଫଳରେ ଡଙ୍ଗାଟି ସେଠାରୁ ନବାହାରିପାରି ଅଟକି ରହିଥିଲା। ପରେ ଅନ୍ୟ ୨ଟି ଡଙ୍ଗା ଉଦ୍ଧାର କଲା ବେଳେ ତାହା ମଧ୍ୟ ଫସି ଯାଇଥିଲା। ଚିଲିକାରେ ଯାତ୍ରୀବାହୀ ଡଙ୍ଗା ଫସିବାର ଅନ୍ୟ କାରଣ ହେଲା ମାତ୍ରାଧିକ ଓଜନ। କ୍ଷମତା ଠାରୁ ଅଧିକ ଲୋକ ଓ ଯାନବାହନ ନିଆଯାଉଥିବାରୁ ମଧ୍ୟ ଅଘଟଣ ଘଟୁଥିବା ବୁଦ୍ଧିଜୀବୀମାନେ କୁହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/ae7b28db-487a-44d5-bad1-6691803d476d-1.jpeg)