ଭୁବନେଶ୍ବର: ବାହାନଗାରେ ରେଳ ଦୁର୍ଘଟଣାର ସିଧାସଳଖ ପ୍ରଭାବ ଭୁବନେଶ୍ବର ରେଳଷ୍ଟେସନ୍ ଉପରେ ପଡ଼ିଛି। ଟ୍ରେନ୍ ବାତିଲ ପାଇଁ ବାଲେଶ୍ବର, ଭଦ୍ରକ ଏବଂ ଚେନ୍ନାଇ ଅଭିମୁଖେ ଯିବାକୁ ଥିବା ହଜାର ହଜାର ଯାତ୍ରୀ ରେଳ ଷ୍ଟେସନ୍ରେ ଫସି ରହିଥିଲେ। ଗତରାତିଠାରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବାକୁ ଯାତ୍ରୀମାନେ ନାହିଁ ନଥିବା କଷ୍ଟ ସ୍ବୀକାର କରିଥିଲେ। ପରିବାର ଓ ପିଲାଛୁଆଙ୍କୁ ଧରି ଆସିଥିବା ଲୋକେ ଅଧିକ ସମସ୍ୟାରେ ପଡ଼ିଥିଲେ। ଷ୍ଟେସନର ଟିଣ ଚାଦର ତଳେ ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହୋଇଥିଲେ। ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ଖାଇବା, ପିଇବା ଓ ଶୌଚ ହେବାରେ ନାନା ସମସ୍ୟା ଭୋଗିଥିଲେ।
ଖବର ଲେଖା ହେବା ପର୍ଯ୍ୟନ୍ତ ଚେନ୍ନାଇ ଅଭିମୁଖେ ଯିବାକୁ ଥିବା ଅନେକ ଯାତ୍ରୀ ରେଳ ଷ୍ଟେସନ୍ରେ ଅପେକ୍ଷା କରିଥିଲେ। କିନ୍ତୁ ବାଲେଶ୍ବର ଅଭିମୁଖେ ଯିବାକୁ ଥିବା ଯାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବସ୍ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା।
୨୦ଟି ବସ୍ରେ ଗନ୍ତବ୍ୟସ୍ଥଳକୁ ଗଲେ ଯାତ୍ରୀ
ଘଟଣାସ୍ଥଳରେ ତଦାରଖ କଲେ ମନ୍ତ୍ରୀ, ବିଧାୟକ
ଚେନ୍ନାଇ ଅଭିମୁଖେ ଯିବାକୁ ଫସି ରହିଛନ୍ତି ଶତାଧିକ
ଶୁକ୍ରବାର ଦୁର୍ଘଟଣା ପରେ ଭୁବନେଶ୍ବର ଷ୍ଟେସନରେ ଫସି ରହିଥିବା ଯାତ୍ରୀଙ୍କୁ ରେଳ ବିଭାଗ, ସାମାଜିକ ସଂଗଠନମାନଙ୍କ ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତରାତିରେ ପର୍ଯ୍ୟାୟ କ୍ରମେ ୧୬ଟି ବସ୍ରେ ବାଲେଶ୍ବର ଓ ଭଦ୍ରକ ଯାତ୍ରୀଙ୍କୁ ମାଗଣା ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ଆଜି ମଧ୍ୟାହ୍ନରେ ହାଇଦ୍ରାବାଦ, ଚେନ୍ନାଇରୁ ଆସୁଥିବା ଲୋକଙ୍କୁ ଆଉ ୪ଟି ବସ୍ରେ ଉକ୍ତ ରୁଟ୍ରେ ବସ୍କୁ ଛଡ଼ା ଯାଇଥିଲା। ଘଟଣାସ୍ଥଳରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସମେତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ତଦାରଖ କରିଥିଲେ।
ଅନ୍ୟପଟେ କରମଣ୍ଡଳ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୧୯୦ ଯାତ୍ରୀ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିବା ପରେ ରେଳ ବିଭାଗ ପକ୍ଷରୁ ସେମାନଙ୍କୁ ଆଜି ସକାଳେ ଏକ ସ୍ବତନ୍ତ୍ର ଟ୍ରେନ୍ରେ ଚେନ୍ନାଇ ପଠାଯାଇଥିଲା। କିନ୍ତୁ ଏହାପରେ ଭୁବନେଶ୍ବର ଷ୍ଟେସନରେ ପହଞ୍ଚିଥିବା ଯାତ୍ରୀମାନେ ଏବେ ବି ଫସି ରହିଛନ୍ତି। ରବିବାର ସକାଳେ ଅପେକ୍ଷାରତ ଯାତ୍ରୀଙ୍କୁ ଚେନ୍ନାଇ ଅଭିମୁଖେ ପଠାଯିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/37-1.jpg)