ଭତ୍ତା ୧ ହଜାର, ଚାଷୀଙ୍କୁ ପେନ୍ସନ୍ ପାଇଁ ନରସିଂହଙ୍କ ଦାବି
ବିରୋଧୀ ଦଳ ନେତାଙ୍କୁ ପ୍ରଶଂସାରେ ପୋତିପକାଇଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ଏପ୍ରିଲ୍ ମାସ ପାଇଁ ସମସ୍ତ ସରକାରୀ ଖର୍ଚ ନିମନ୍ତେ ଆଜି ବିଧାନସଭାରେ ୧୬୫୦୦ କୋଟି ଟଙ୍କାର ଲେଖାନୁଦାନ ବିଲ୍ ପାରିତ ହୋଇଛି। ଏ ନେଇ ଆଗତ ବିଲ୍ ଉପରେ ଗୃହରେ ସବିଶେଷ ଆଲୋଚନା ହୋଇଥିଲା। ଆଲୋଚନାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ବିରୋଧୀକୁ ଗୁରୁତ୍ୱ ଦେବାକୁ ହେବ ବୋଲି ସେ କହିଥିଲେ।
ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଲେ, ଦେଶରେ ଗଣତନ୍ତ୍ର ଉପରେ ବିପଦ ସୃଷ୍ଟି ହୋଇଛି। ସେନା ମୁଖ୍ୟ ରାଜନୈତିକ ଦଳମାନଙ୍କ ବିରୋଧରେ ମନ୍ତବ୍ୟ ଦେବା କଥା ସେ ପୂର୍ବରୁ କେବେ ହେଁ ଶୁଣିନଥିଲେ। ସେହିପରି ବିଚାର ବିଭାଗ ଉପରେ ସରକାରୀ ହସ୍ତକ୍ଷେପ ହେବା ଅତ୍ୟନ୍ତ ଚିନ୍ତାର ବିଷୟ। କର୍ଣ୍ଣାଟକ ନିର୍ବାଚନ ପ୍ରସଙ୍ଗରେ ନିର୍ବାଚନ କମିସନ ମୁଖ୍ୟଙ୍କ ନିରପେକ୍ଷତା ସନ୍ଦେହଘେରକୁ ଆସିଲାଣି। ଏହି ପରିପ୍ରେକ୍ଷୀରେ ଗଣତନ୍ତ୍ରରେ ବିରୋଧୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବଜେଟ୍ ସଂପର୍କରେ ବିରୋଧୀ ଦଳ ନେତା କହିଲେ, ବାର୍ଦ୍ଧକ୍ୟ, ବିକଳାଙ୍ଗ ଭତ୍ତା ମାସକୁ ୩୦୦ ଟଙ୍କା ମାନବିକତା ଦୃଷ୍ଟିକୋଣରୁ ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହାକୁ ଅନ୍ୟୂନ ଏକ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ସେ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତିି। ୨୦୧୪ରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ ବୋଲି ବିଜେପି ଯେଉଁ ଘୋଷଣା କରିଥିଲା, ପରେ ସେହି ଦଳର ଅଧ୍ୟକ୍ଷ ଏହାକୁ ଜୁମ୍ଲା ବୋଲି ଅଭିହିତ କଲେ। ଏହି ସହାୟକ ମୂଲ୍ୟ ସେଭଳି ଜୁମ୍ଲା ନୁହେଁ କି? ଇଆଡ଼େ ସହାୟକ ମୂଲ୍ୟ ଦାବି ହାସଲ ପାଇଁ ରାଜ୍ୟ ସରକାର କମିଟି ଗଠନ କରିଥିଲେ ବି ନିରବରେ ବସିଯାଇଛନ୍ତି। ସେହିପରି ଶିକ୍ଷା ଅଧିକାର ଆଇନ ଅନୁଯାୟୀ ସରକାର ଶିକ୍ଷାଦାନ ଦେବାକୁ ବାଧ୍ୟ। ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେଇ ସେମାନଙ୍କୁ ଉତ୍ତମ ଅର୍ଥାତ୍ ସରକାରୀ ହାରରେ ଦରମା ନଦେଲେ ଗୁଣାତ୍ମକ ଶିକ୍ଷା ଦେବା ଅସମ୍ଭବ। ଏହି ବଜେଟ୍ରେ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ରାଜ୍ୟ ସରକାର ୧.୨୦ ଲକ୍ଷ କୋଟି ଟଙ୍କାର ବଡ଼ ବଜେଟ୍ କରିଛନ୍ତି। ସେଥିରେ ଆଉ ୧୪୭ କୋଟି ଯୋଡ଼ିଥିଲେ କି ଅସୁବିଧା ହୋଇଥାନ୍ତା? ଓଡ଼ିଶାରେ ଆଜି ବି ଗରିବଙ୍କ ସଂଖ୍ୟା ୭୦ ପ୍ରତିଶତରୁ ଅଧିକ। ସେମାନଙ୍କ ମଧ୍ୟରେ ବହୁସଂଖ୍ୟକ କୃଷକ ଅଛନ୍ତି। ସେମାନଙ୍କ ପାଇଁ ପ୍ରାଇସ୍, ପେନ୍ସନ୍, ପ୍ରେଷ୍ଟିଜ୍ ପ୍ରଦାନ ପାଇଁ ସରକାର ଉଦ୍ୟମ କରିବାକୁ ବରିଷ୍ଠ କଂଗ୍ରେସ ନେତା ଦାବି କରିଥିଲେ।
କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ରାଜ୍ୟ ସରକାର ବାରମ୍ବାର ଉଠାଉଥିବା ନେଇ ବିଜେପି ବିଧାୟକ ରବି ନାୟକ ସମାଲୋଚନା କରିଥିଲେ। ସେ କହିଲେ ଯେ ୧୪ଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ ରାଜ୍ୟ ଅଧିକ ପରିମାଣର ଆର୍ଥିକ ଅନୁଦାନ ପାଉଛି। ଏ ନେଇ ସେ ବର୍ଷଓ୍ଵାରୀ ପରିସଂଖ୍ୟାନ ଦେଇଥିଲେ। ୨୦୧୪ ସୁଦ୍ଧା ଉପା ସରକାର ଓଡ଼ିଶାକୁ ୧ ଲକ୍ଷ ୫୬୦୫ କୋଟିର ସହାୟତା ଦେଇଥିବା ବେଳେ ଏନ୍ଡିଏ ସରକାର ଆସିବା ପରଠାରୁ ଅଦ୍ୟାବଧି ୨ ଲକ୍ଷ ୩୬୫୫୭ କୋଟି ଦେଇଛନ୍ତିି।
ବିରୋଧୀଙ୍କ ଅଭିଯୋଗକୁ ଶାସକ ଦଳ ବିଧାୟକ ବେଦପ୍ରକାଶ ଅଗ୍ରଓ୍ଵାଲ୍, ସାଇବା ସୁଶୀଲ କୁମାର ହାଁସଦା, ପଦ୍ମନାଭ ବେହେରା, ଦିବ୍ୟଶଙ୍କର ମିଶ୍ର, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ପ୍ରମୁଖ ଖଣ୍ଡନ କରିଥିଲେ। ସେମାନେ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ସଫଳତା ବର୍ଣ୍ଣନା କରିଥିଲେ। ଶେଷରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଏହି ବଜେଟ୍ରେ କୃଷି, ଜଳସେଚନ, ସାମାଜିକ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା, ସୁରକ୍ଷିତ ପାନୀୟଜଳ ଯୋଗାଣ, ସମସ୍ତଙ୍କ ପାଇଁ ପକ୍କାଘର, ଗ୍ରାମ୍ୟ ଉନ୍ନୟନ ଏବଂ ଆନୁଷଙ୍ଗିକ ଜୀବନଧାରଣର ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। କେନ୍ଦ୍ର ସରକାର ଅଧିକାଂଶ ଯୋଜନାରେ ୬୦ ପ୍ରତିଶତ ଅନୁପାତରେ ସହାୟତା ଦେଉଥିବାରୁ ଓଡ଼ିଶା ଆର୍ଥିକ ଚାପର ସାମ୍ନା କରୁଛି। ଏହା ସତ୍ତ୍ୱେ ସରକାର ଆମ ଗାଁ ଆମ ବିକାଶ, ଆମ ଘରେ ଏଲ୍ଇଡି ଲାଇଟ୍, ବିଜୁ ଯୁବ ବାହିନୀ ଭଳି କିଛି ନୂଆ ଯୋଜନା ଆରମ୍ଭ କରିଛନ୍ତି। ବିଧାୟକ ଶ୍ରୀ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ସେ କହିଲେ, ଏଫ୍ଆରବିଏମ୍ ଆଇନ ଅନୁଯାୟୀ ରାଜ୍ୟ ସରକାର ସୀମା ମଧ୍ୟରେ ଋଣ କରୁଛନ୍ତି। ତେବେ ସେ ଆଲୋଚନା ଆରମ୍ଭ କଲା ବେଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ପ୍ରଶଂସାରେ ପୋତି ପକାଇବା ନେଇ ଅନେକଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା।