ମାଟ୍ରିକ ପାସ୍‌ କଲେ ମୃତ ଦାଦନ ମହିଳାଙ୍କ ଝିଅ, ଆଗକୁ ପଢ଼ିବା ପାଇଁ ଅର୍ଥାଭାବ

ମା’ର ଶବ ରଖି ବିକ୍ଷୋଭ ଚାଲିଥିବା ବେଳେ ନିୟତି ଦେଉଥିଲେ ପରୀକ୍ଷା

ବେଲପଡ଼ା: ରାଜ୍ୟ ବାହାରକୁ ଦାଦନ ଯାଇଥିବା ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ସୁଲେକେଲା ଗାଁର ସ୍ନେହଶୀଳା ଦଲେଇଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ସହିତ ଗ୍ରାମବାସୀ କ୍ଷତିପୂରଣ ଦାବିରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ସେହି ସମୟରେ ସ୍ନେହଶୀଳାଙ୍କ ଝିଅ ନିୟତି ଦଲେଇ ମାଟ୍ରିକ ପରୀକ୍ଷା ଦେଇଥିଲେ। ନିୟତି ୩୯୩ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଏ ସଂପର୍କରେ ନିୟତିଙ୍କୁ ପଚାରିବାରେ ସେ କହିଛନ୍ତି, ପରୀକ୍ଷାଫଳରେ ସେ ବହୁତ ଖୁସି ଅଛନ୍ତି। କିନ୍ତୁ ମା’ଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି। ତାଙ୍କ ମା’ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଆଶା ରଖି ଦାଦନ ଖଟିବାକୁ ଯାଇଥିଲେ। ତାଙ୍କୁ ବଡ଼ ମଣିଷ ରୂପରେ ଦେଖିବା ପାଇଁ ମା’ଙ୍କ ସ୍ବପ୍ନ ଥିଲା। ଏଣୁ ଯେତେ ବାଧାବିଘ୍ନ ଆସିଲେ ବି ମା’ ପାଠପଢ଼ାରେ କୌଣସି ବ୍ୟାଘାତ ସୃଷ୍ଟି ହେବାକୁ ଦେଉନଥିଲେ। ଏବେ ଘରେ କେହି କାମ କରିବାକୁ ନାହାନ୍ତି ଓ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିନ୍ତିତ ଅଛନ୍ତି। ସୁଯୋଗ ମିଳିଲେ ସେ ଆଗକୁ ଶିକ୍ଷୟିତ୍ରୀ ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ। ସେହିପରି ନିୟତିଙ୍କ ବାପା ପକ୍ଷୀରାଜ ଦଲେଇଙ୍କ କହିବା ଅନୁଯାୟୀ, ସେ ବେଶ୍ ଖୁସି ଅଛନ୍ତି। କିନ୍ତୁ ତାଙ୍କ ପାଖରେ ସମ୍ବଳ ଅଭାବ ଥିବାରୁ ସେ ନିୟତିଙ୍କୁ ଆଗକୁ ପଢ଼ାଇ ପାରିବେ ନାହିଁ ବୋଲି କହିଛନ୍ତି। ପ୍ରଶାସନ ପକ୍ଷରୁ ସହାୟତା ମିଳିଲେ ନିୟତି ଆଗକୁ ବଢ଼ିପାରିବ ବୋଲି ମଧ୍ୟ ସେ କହିଥିଲେ।

ସମ୍ବନ୍ଧିତ ଖବର