ଯାତ୍ରୀବାହୀ ଟ୍ରେନ୍‌ ଲାଇନଚ୍ୟୁତ; ଟ୍ରାକ୍‌ ବାହାରକୁ ଚାଲିଗଲା ୪ ବଗି, ୨ କର୍ମଚାରୀ ନିଲମ୍ବିତ

ତଦନ୍ତ ପାଇଁ ଗଠନ ହେବ ସ୍ବତନ୍ତ୍ର କମିଟି: ଡିଆର୍‌ଏମ୍‌

ଜୟପୁର : ଜୟପୁର-ଛତଡ଼ିପୁଟ ରେଳଷ୍ଟେସନ ମଧ୍ୟରେ ବଡ଼ ଅଘଟଣ ଘଟିଛି। ଟ୍ରେନ୍‌ ନମ୍ବର ୦୮୫୫୧ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ସ୍ପେଶାଲ ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଚାରୋଟି ବଗି ଟ୍ରାକ୍‌ ବାହାରକୁ ଚାଲି ଯାଇଛି। ସୌଭାଗ୍ୟବଶତଃ କୌଣସି ଯାତ୍ରୀ ମୃତାହତ ହୋଇ ନାହାନ୍ତି। ଅଘଟଣ ପରେ ବିଭାଗ ପକ୍ଷରୁ ମରାମତି କାମ ଜାରି ରହିଛି। ଅନ୍ୟପକ୍ଷରେ ଅବହେଳା ପାଇଁ ଦୁଇ ଜଣ କର୍ମଚାରୀ ଯଥା ସିନିୟର ସେକ୍ସନ ଇଞ୍ଜିନିୟର ଓ ଗ୍ୟାଙ୍ଗମେନ୍‌ଙ୍କୁ ନିଲମ୍ବିତ କରାଯାଇଛି। ସ୍ବତନ୍ତ୍ର କମିଟି ଗଠନ ହୋଇ ଆସନ୍ତାକାଲିଠାରୁ ତଦନ୍ତ ଆରମ୍ଭ ହେବ ବୋଲି ବିଶାଖାପଟଣା ଡିଭିଜନ ଡିଆର୍‌ଏମ୍‌ ଅନୁପ କୁମାର ଶତପଥୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ବିଶାଖାପାଟଣା-କିରଣ୍ଡୁଲ ପାସେଞ୍ଜର ସ୍ପେଶାଲ ଟ୍ରେନ୍‌ କିରଣ୍ଡୁଲ ଅଭିମୁଖେ ଯାତ୍ରା କରୁଥିଲା। ଅପରାହ୍ନ ୩ଟା ୧୫ ମିନିଟ୍ ବେଳେ ଛତଡ଼ିପୁଟ-ଜୟପୁର ରେଳଷ୍ଟେସନ ମଧ୍ୟରେ କିଲୋମିଟର ନମ୍ବର ୨୩୦/୮୦ ସ୍ଥାନରେ ତଥା ଉମୁରୀ ବ୍ରିଜ ତଳେ ବଗି ଲାଇନଚ୍ୟୁତ୍‌ ହୋଇଥିଲା। ଇଞ୍ଜିନ ବ୍ୟତୀତ ୧୧ଟି ବଗି ବିଶିଷ୍ଟ ଟ୍ରେନ୍‌ର ଗୋଟିଏ ସ୍ଲିପର କ୍ଲାସ୍‌ ଓ ୩ଟି ସାଧାରଣ ବଗି ଟ୍ରାକ୍‌ ବାହାରକୁ ଚାଲି ଯାଇଥିଲା। ଏହି ଚାରୋଟି ବଗିରେ ୬୦ରୁ ଅଧିକ ଯାତ୍ରୀ ରହିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଲାଇନ୍‌ଚ୍ୟୁତ ଖବର ପାଇ ଘଟଣାସ୍ଥଳରେ ରେଳ ବିଭାଗର କର୍ମଚାରୀ ପହଞ୍ଚିଲେ। କୋରାପୁଟ ଷ୍ଟେସନରୁ ଏଆରଏମ୍‌ଇ (ଏ‌କ୍ସିଡେଣ୍ଟାଲ ରିଲିଫ୍ ମେଡିକାଲ ଇକ୍ୟୁପମେଣ୍ଟ) ଟ୍ରେନ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଏଆରଟି ଟ୍ରେନ୍‌ ଆସିବା ପରେ ଲାଇନଚ୍ୟୁତ ହୋଇଥିବା ବଗିକୁ ଟ୍ରାକ୍‌କୁ ଆଣିବା କାମ ‌ଆରମ୍ଭ ହୋଇଛି। ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ସ୍ବାଭାବିକ କରିବାକୁ କାମ ତ୍ବରାନ୍ବିତ ହୋଇଛି।

ଅନ୍ୟପକ୍ଷରେ, ଦୁର୍ଘଟଣାସ୍ଥଳରେ ଟ୍ରାକ୍‌ ପେକିଂ ଚାଲିଥିବା ବେଳେ ଏ ନେଇ ଲୋକପାଇଲଟ ସୂଚନା ପାଇଥିଲେ କି ନାହିଁ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର