ଦେଢ଼ବର୍ଷ ହେଲା ପାସେଞ୍ଜର ଟ୍ରେନ୍ ବନ୍ଦ, ଯାତ୍ରୀ ହନ୍ତସନ୍ତ

କୋଲକାତାରେ ପାସେଞ୍ଜର, ଓଡ଼ିଶାରେ ଏକ୍ସପ୍ରେସ ଭଡ଼ା, ତିନି ଦିନ ହେଲା ଚାଲିଛି ଡିଏମ୍‌ୟୁ

ବ୍ୟାସନଗର : କରୋନା କଟକଣା ପାଇଁ ୨୦୨୦ ମାର୍ଚ୍ଚ ୨୨ ତାରିଖରୁ ଅର୍ଥାତ୍‌ ପ୍ରାୟ ଦେଢ଼ବର୍ଷ ହେଲା ରେଳ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି କରାଯାଇଛି। ଯାଜପୁର-କେନ୍ଦୁଝରରୋଡ଼ ଷ୍ଟେସନ ଦେଇ ଯାତାୟାତ କରୁଥିବା ପୂର୍ବତଟ ରେଳପଥର ସମସ୍ତ ପାସେଞ୍ଜର ଟ୍ରେନ୍‌କୁ ବନ୍ଦ କରି ଦିଆଯାଇଥିବା ବେଳେ କେତେକ ଦ୍ରୁତଗାମୀ ଟ୍ରେନକୁ ମଧ୍ୟ ବାତିଲ କରିଦିଆଯାଇଛି। ଫଳରେ ଯାତ୍ରୀ ପରିବହନ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଯେଉଁ କେତେକ ଟ୍ରେନ୍ ଚଳାଚଳ କରୁଛି ସେଗୁଡ଼ିକର ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଛି। ଫଳରେ ସାଧାରଣ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କରୋନା ପ୍ରଭାବ ହ୍ରାସକୁ ଲକ୍ଷ୍ୟ କରି କେନ୍ଦ୍ର ଓ ରାଜ୍ୟ ସରକାର ସବୁ ସ୍ତରରେ କଟକଣା କୋହଳ କରି ସ୍ୱାଭାବିକ କରିଥିବା ବେଳେ ପାସେଞ୍ଜର ଟ୍ରେନ୍ ନ ଚଳାଇବାରୁ ଯାତ୍ରୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରକ‌ାଶ ଥାଉକି ପୂର୍ବତଟ ରେଳବାଇରେ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଠାରେ ୫୦ ଯୋଡ଼ା ଏକ୍ସପ୍ରେସ ଓ ୫ ଯୋଡ଼ା ପାସେଞ୍ଜର ଟ୍ରେନ୍ ରହଣି ବ୍ୟବସ୍ଥା ଅଛି। ଏଥି ସହିତ ବାରିପଦା ଇଣ୍ଟରସିଟିର ରହଣି ବ୍ୟବସ୍ଥା କରାଯାଇଛି। ଏସିଆ ମହାଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରକୁ ଯୋଗାଯୋଗ ପାଇଁ ଯାଜପୁରରୋଡ ରେଳଷ୍ଟେସନ ରହିଛି। ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଢେଙ୍କାନାଳ ଆଦି  ୪ ଜିଲ୍ଲାର ଲୋକମାନେ ଏହି ଷ୍ଟେସନ ଉପରେ ନିର୍ଭର କରିଥାନ୍ତି। କରୋନା ପ୍ରକୋପ କମିବା ପରେ ୨୦୨୧ ଏପ୍ରିଲ ୭ ତାରିଖରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ପାସେଞ୍ଜର ଟ୍ରେନ୍ ଡିଏମ୍‌ୟୁ ଚାଲିଥିଲା। କରୋନା ଦ୍ବିତୀୟ ଲହର ଆରମ୍ଭ ହେବା ଯୋଗୁଁ ପୁଣି ବନ୍ଦ କରାଗଲା। ସେହିପରି ୧୪ ମାସ ବନ୍ଦ ପରେ ୪ ମାସ ହେଲା ବାରିପଦା ଇଣ୍ଟରସିଟି ଚାଲିଛି। ଭୁବନେଶ୍ବର ରେଡ୍‌ଜୋନରେ ଥିବା ବେ‌ଳେ ଶନିବାର ଓ ରବିବାର ବନ୍ଦ ରହି ସପ୍ତାହରେ ୫ ଦିନ ଚାଲୁଥିଲା। ତେବେ ରେଡ୍‌ଜୋନ୍ ହଟିବା ପରେ ସପ୍ତାହରେ ପ୍ରତିଦିନ ଚାଲିଛି। ଗୋଟିଏ ମାତ୍ର ପାସେଞ୍ଜର ଟ୍ରେନ୍ ଗତ ୨୩ ତାରିଖରୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିଛି।

ହେଲେ ଖୋର୍ଦ୍ଧା-ଖଡ଼ଗପୁର, ହାୱଡ଼ା-ପୁରୀ ଓ କଟକ-ଭଦ୍ରକ ମଧ୍ୟରେ ଚାଲୁଥିବା ଦୁଇଟି ପାସେଞ୍ଜର ଟ୍ରେନ୍ ବନ୍ଦ ରହିଛି। ଅନ୍ୟପକ୍ଷରେ ରେଳବାଇ ଗତ ୨୩ ତାରିଖରୁ ଗୋଟିଏ ପାସେଞ୍ଜର ଟ୍ରେନ୍ ପାଇଁ ଅନୁମତି ପ୍ରଦାନ କରିଥିବା ବେଳେ ଯାତ୍ରୀଙ୍କ ଠାରୁ ଏକ୍ସପ୍ରେସ ଗାଡ଼ିର ଭଡ଼ା ଆଦାୟ କରାଯାଉଛି। ପୂର୍ବରୁ ବୈତରଣୀ, କୋରେଇ, ଯଖପୁରା, ଦୁଲାଗପାଟଣା ଅଞ୍ଚଳର  ଯାତ୍ରୀମାନେ ୫ ରୁ ୧୦ ଟଙ୍କା ଦେଉଥିବା ବେଳେ ଏବେ ୩୦ ଟଙ୍କା ଦେବାକୁ ପଡ଼ୁଛି। ଏପରିକି ଦୁଇ କିଲୋମିଟର ଦୂର ଯାତ୍ରା କଲେ ୩୦ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ହାୱଡାରୁ ଖଡ଼ଗପୁର, ଖଡ଼ଗପୁରରୁ ଭଦ୍ରକ ପାସେଞ୍ଜର ଟ୍ରେନରେ ଆସିଲେ ପାସେଞ୍ଜର ଟ୍ରେନ୍‌ର ଭଡ଼ା ଦେବାକୁ ପଡ଼ୁଛି। ହେଲେ ଭଦ୍ରକରୁ ପାସେଞ୍ଜର ଟ୍ରେନ୍‌ରେ ଯାତ୍ରୀ ଆସିଲେ ଏକ୍ସପ୍ରେସ ଟ୍ରେନ୍‌ର ଭଡ଼ା ଦେବାକୁ ପଡ଼ୁଛି। ପଶ୍ଚିମବଙ୍ଗରେ ପାସେଞ୍ଜର ଟ୍ରେନ୍‌ ଭଡ଼ା ଲାଗୁ ହେଉଥିବା ବେଳେ ଓଡ଼ିଶାରେ ପାସେଞ୍ଜର ଟ୍ରେନରେ ଏକ୍ସପ୍ରେସ ଭଡ଼ା ଲଗାଇବାକୁ ନେଇ ଯାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଗାମୀ ଦିନରେ ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ହେବ ବୋଲି ବିଭିନ୍ନ ସଂଗଠନ କର୍ମକର୍ତ୍ତା ଓ ଯାତ୍ରୀମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର