କେମିତି ହେବ କରୋନାକାଳୀନ ଯାତ୍ରୀ ପରିବହନ

ଭୁବନେଶ୍ୱର, (ବିମଳ ପ୍ରସାଦ): ଲକ୍‌ଡାଉନ୍‌ ଅବଧି ସରିବାର ତାରିଖ ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ସେତିକି ଉତ୍ସୁକତା ବଢିବାରେ ଲାଗିଛି। ଲକ୍‌ଡାଉନ୍‌ ଅବଧି ସଂପ୍ରସାରିତ ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଥମେ ସୂଚନା ଦେଇଥିଲେ ମଧ୍ୟ ଏବେ କେତେକ ଗଣମାଧ୍ୟମ ଓ ବିଶେଷଜ୍ଞ ସଂସ୍ଥା ଲକ୍‌ଡାଉନ୍‌କୁ ଲମ୍ବାଇବା ପାଇଁ ଚାପ ପକାଇଲେଣି। ତେଣୁ ସପ୍ତାହଟେ ପାଇଁ ଲକ୍‌ଡାଉନ୍‌ କୋହଳ କରି ପୂଣି କଠୋର ଭାବେ ଲାଗୁ କରିବାର ସମ୍ଭାବନା ଦିଶିଲାଣି। ଜଳ ସ୍ଥଳ ଓ ଆକାଶ ପଥରେ ଯାତ୍ରୀପରିବହନ ଉପରେ କଟକଣା ଲାଗୁହେବା ନିଶ୍ଚିତ। ଯାତ୍ରୀ ପରିବହନ ଦ୍ୱାରା ହିଁ ସମାଜର ଅଧା ଜୀବନଯାତ୍ରା ଚଳଚଞ୍ଚଳ ହୋଇଥାଏ। ତେବେ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନା ଚୂଡାନ୍ତ ହୋଇ ନଥିବାରୁ ଯାତ୍ରୀ ପରିବହନର ରୂପରେଖ ଜଣାପଡୁନାହିଁ। ତାହା ସଙ୍ଗେ ବିଭିନ୍ନ ଅନୁଷ୍ଠାନ, ଦପ୍ତର ଓ ବଜାର ଚାଲୁ ହେବା ଦ୍ୱାରା ଜୀବନଯାତ୍ରା ସ୍ୱାଭାବିକ ହୋଇଥାଏ। କୋଭିଡ୍‌-୧୯ ଭୂତାଣୁ ସ୍ପର୍ଶବାହିତ ହୋଇଥିବା ବେଳେ ଏହାର ଔଷଧୀୟ ପ୍ରତିଷେଧକ ବା ଔଷଧ ନାହିଁ। ତେଣୁ ଏହା କେବଳ ଏକ ବିଶ୍ୱମହାମାରୀ ନୁହେଁ ବରଂ ବିଶ୍ୱର ଏକ ଜୈବିକ ଆତଙ୍କ ପାଲଟିଛି।

ଭାରତରେ ଲକ୍‌ଡାଉନ୍‌ ପ୍ରତ୍ୟାହାର ପରେ ଯାତ୍ରୀ ପରିବହନରେ ଯେଉଁ କଟକଣା ଲାଗୁ ହେବ ତାହା ବେଶ୍‌ ଅନୁମିତ। ଭାରତୀୟ ରେଳବାଇ ଏକ ପ୍ରମୁଖ ଯାତ୍ରୀପରିବହନ ବ୍ୟବସ୍ଥା ହୋଇଥିବା ବେଳେ ସବାରି ଗାଡ଼ି ବା ପାସେଞ୍ଜର ଟ୍ରେନ୍‌ ପ୍ରଚଳନକୁ ଅନୁମତି ମିଳି ନପାରେ। ସେଇ ଗାଡ଼ିଗୁଡ଼ିକରେ ମାତ୍ରାଧିକ ଭିଡ଼ ହେଉଥିବାରୁ ମାତ୍ରାଧିକ ସଂସ୍ପର୍ଶର କାରଣ ପାଲଟିଥାଏ। ସେହିଭଳି ଏକ୍ସପ୍ରେସ୍‌, ସୁପରଫାଷ୍ଟ, ଇଣ୍ଟରସିଟି ପ୍ରଭୃତି ଗାଡ଼ିର ଅଣଆରକ୍ଷିତ ଡବାରେ ଯାତ୍ରା ଉପରେ କଟକଣା ସୁନିଶ୍ଚିତ। ତେବେ ଏହା ଦ୍ୱାରା ନାଗରିକର ଅଧିକାର କ୍ଷୁନ୍ନ ହେଉଛି ଏବଂ ମାନବାଧିକାର ଉଲ୍ଲଘଂନ ହେଉଛି ବୋଲି ସାଧାରଣ ଲୋକେ ସ୍ୱର ଉଠାଇପାରନ୍ତି। ତେଣୁ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନାରେ ସ୍ପଷ୍ଟ ସର୍ତ୍ତ ଉଲ୍ଲେଖ କରାଯାଇପାରେ ଏବଂ ଏହା ସହ ବ୍ୟବସ୍ଥାଗତ ପରିବର୍ତ୍ତନ ଅଣାଯାଇପାରେ। ଯେମିତିକି ଜନଶତାବ୍ଦୀ ଗାଡ଼ିର ସବୁ ଆସନ ସଂରକ୍ଷିତ ବର୍ଗର। ସେମିତି ସବୁ କିସମ ଯାତ୍ରୀବାହୀ ରେଳଗାଡ଼ିର ସମସ୍ତ ଆସନ ଆରକ୍ଷିତ ରହିବ। କରୋନା ଭଳି ବିଶ୍ୱମହାମାରୀରେ ସଂସ୍ପର୍ଶ ଠାବ କରିବା ଗୁରୁତ୍ୱପୂର୍ଣ ହୋଇଥିବାରୁ ଯିଏ ଯେଉଁ ଶ୍ରେଣୀରେ ଯାତ୍ରା କଲେ ସୁଦ୍ଧା ସମସ୍ତ ଯାତ୍ରୀଙ୍କର ନାମ, ଠିକଣା, ବୟସ, ଲିଙ୍ଗ, ମୋବାଇଲ ନମ୍ବର ରେଳବାଇ ସର୍ଭରରେ ରହିବ। ଏଥିପାଇଁ କେବଳ କାଉଣ୍ଟର ଉପରେ ନିର୍ଭରଶୀଳ ଜନତାଙ୍କ ପାଇଁ ସଫ୍ଟୱେରରେ ପରିବର୍ତ୍ତନ କରିବାକୁ ପଡ଼ିବ। ମୋବାଇଲ ଆପ୍‌ ପୂର୍ବରୁ ପ୍ରଚଳିତ ରହିଥିବାରୁ ରେଳଯାତ୍ରୀମାନଙ୍କ ଦ୍ୱାରା ତାହାର ବ୍ୟାପକ ବ୍ୟବହାର ପାଇଁ ସରକାର ଆଗୁଆ ଘୋଷଣା କରିବା ଆବଶ୍ୟକ। କାଉଣ୍ଟରରେ ଟିକଟ କାଟିବା ପାଇଁ ନୂଆ ସ୍ପଷ୍ଟ ଫର୍ମ ପ୍ରଚଳନ କରିବାକୁ ହେବ।

ସଡ଼କ ପରିବହନ କ୍ଷେତ୍ରରେ କେବଳ ଯାତ୍ରୀଗାଡ଼ିରେ ଯାତ୍ରୀପରିବହନକୁ କଡ଼ାକଡ଼ି କରାଯିବ। ବ୍ୟକ୍ତିଗତ ଗାଡ଼ିରେ ନିଜ ପରିବାର ବା ଜ୍ଞାତ ସଦସ୍ୟ ଯାତ୍ରା କରିପାରିବେ। ସର୍ବସାଧାରଣ ପରିବହନ ସାଧନ ଯେମିତିକି ବସ୍‌, ସିଟିବସ୍‌ ଇତ୍ୟାଦିରେ ଯେତିକି ଆସନ ଅଛି, କେବଳ ସେତିକି ଯାତ୍ରୀ ଯାତ୍ରା କରିବାର ଅନୁମତି ରହିବ। ଗାଡ଼ିରେ ଉଠିବା ପୂର୍ବରୁ ସମସ୍ତେ ସାବୁନ୍‌ରେ ହାତ ଧୋଇବେ ବା ହସ୍ତପ୍ରକ୍ଷାଳକ ବ୍ୟବହାର କରିବେ। କଣ୍ଡକ୍ଟର, ହେଲ୍‌ପର, ଏପରିକି ଡ୍ରାଇଭରଙ୍କୁ ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ଭଳି କୌଣସି ବେମାରି ନଥିବ। ଗାଡ଼ିର ଏହି ଷ୍ଟାଫ୍‌ମାନେ ଗ୍ଲୋଭ୍‌ସ୍‌ ଓ ମାସ୍କ ବ୍ୟବହାର କରିବେ। କଣ୍ଡକ୍ଟର କେବଳ ଭଡ଼ା ଆଦାୟ ନକରି ଟିକଟ ମଧ୍ୟ ଦେବେ ଏବଂ ତହିଁର କାର୍ବନ କପି ରଖିବେ, ଯେଉଁଥିରେ ପ୍ରତି ଯାତ୍ରୀଙ୍କର ମୋବାଇଲ ନମ୍ବର ଉଲ୍ଲେଖ ରହିଥିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପକ ଥିବ, ସେହି ଅଞ୍ଚଳକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକର ଯାତ୍ରୀମାନଙ୍କୁ ଠାବ କରାଯାଇପାରିବ। ଏହି ସବୁ କଟକଣାଗୁଡ଼ିକୁ ଅନୁପାଳନ ଜନିତ ସହଯୋଗ ପାଇଁ ଘରୋଇ ବସ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବାକୁ ହେବ। ସେହିଭଳି ଟ୍ରକ୍‌ମାଲିକ ସଂଘ ମଧ୍ୟ ପ୍ରତିଶ୍ରୁତି ଦେବେ ଯେ ସେମାନେ ଯାତ୍ରୀ ପରିବହନ କରିବେ ନାହିଁ। ଅନୁମୋଦିତ ରାସ୍ତାକଡ଼ ହୋଟେଲ ଓ ଢାବାଗୁଡ଼ିକ ହିଁ କେବଳ ଖୋଲା ରହିବ। କ୍ୟାବ୍‌ ଚାଳକ ଓ ଅଟୋରିକ୍ସା ଚାଳକମାନଙ୍କ ପାଇଁ ମଧ୍ୟ ମାସ୍କ, ଗ୍ଲୋଭ୍‌ସ୍‌ ଓ ହସ୍ତପ୍ରକ୍ଷାଳନ କଟକଣା ଲାଗୁ ହେବ। କାଶ ଛିଙ୍କରେ ଆକ୍ରାନ୍ତ କୌଣସି ନାଗରିକ ସର୍ବସାଧାରଣ ଯାନରେ ଯାତ୍ରା ନକରିବାକୁ କଟକଣା ରହିବ।

ବିମାନ ଯାତ୍ରାରେ ଯେମିତି କୋଭିଡ୍‌-୧୯ ସଂକ୍ରମଣର ଭୟ ରହିଛି, ସେହି ଭୟ ସହଜରେ ଦୂର ହେବ ନାହିଁ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ନିଜେ କଟକଣା ଜାରି କରିବା ସହ ସରକାରଙ୍କ କଟକଣା ଓ ବିଧିବିଧାନ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ରଖିବ। କେଉଁଠି କ’ଣ ତଥ୍ୟ ରହିବ ଏବଂ କେମିତି ଯାଞ୍ଚ ତନଖି ଓ ନିଦାନ ଆଦି ହେବ ତାହାର ବ୍ୟବସ୍ଥା ବିମାନବନ୍ଦରରେ ବିକାଶ କରିବାକୁ ହେବ। ଯାତ୍ରୀମାନଙ୍କର ଏକ ସମନ୍ୱିତ ଡାଟାବେସ୍‌ ଯେଭଳି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସର୍ଭରରେ ରହିବ, ତାହା ସୁନିଶ୍ଚିତ କରିବାକୁ ହେବ। ବିମାନ ସଂସ୍ଥା କୌଣସି ପୂର୍ବ ବ୍ୟବହୃତ ରୁମାଲ, ତୌଲିଆ ଆଦି ଯାତ୍ରୀଙ୍କୁ ଦେବାର ପରମ୍ପରା ଭାଙ୍ଗିବ। ସବୁ ଯାତ୍ରୀ ନିଜ ମୁହଁ ହାତ ପୋଛିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରିବେ। ସେଇ ଅନୁସାରେ ହୁଏତ ଉଚ୍ଚଶ୍ରେଣୀର ଯାତ୍ରାଭଡ଼ା ସଂଶୋଧିତ ହୋଇପାରେ। ବିମାନ ଉଡୁଥିବା ବେଳେ ବିମାନ ଭିତରର ତାପମାତ୍ରା ସର୍ବନିମ୍ନ କେତେ ରହିବ, ତାହା ଉପରେ ମଧ୍ୟ କଟକଣା ଲାଗୁ କରାଯାଇପାରେ। ଦେଶ ଭିତରର ଯାତ୍ରୀମାନଙ୍କ ସହ ସଦ୍ୟ ବିଦେଶାଗତ ଯାତ୍ରୀମାନେ ବସିବେ ନାହିଁ। ବିଦେଶାଗତ ଯାତ୍ରୀମାନଙ୍କ ପାଇଁ ଅଲଗା ଆସନ ଧାଡି ଧାର୍ଯ୍ୟ କରାଯିବ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ସବୁପ୍ରକାର ସ୍ୱାସ୍ଥ୍ୟରକ୍ଷା ଓ ସ୍ୱାସ୍ଥ୍ୟଯତ୍ନର ନୀତିନିୟମକୁ ଭାଙ୍ଗି ଆଜି ସମସ୍ତଙ୍କୁ ଅସ୍ପୃଶ୍ୟ ଓ ସନ୍ଦିଗ୍‌ଧ ସଜେଇ ଦେଇଥିବାରୁ ଏଭଳି ଅନେକ ବିଜ୍ଞାନସମ୍ମତ କଟକଣା ଦ୍ୱାରା ଭାରତ ଏ କରୋନା ଯୁଦ୍ଧକୁ ଜିତି ପାରିବ।

ସମ୍ବନ୍ଧିତ ଖବର