ବସ ଟର୍ମିନାଲ ନିର୍ମାଣବେଳେ ଯାତ୍ରୀ ହଟହଟା; ଶୌଚାଳୟ ବନ୍ଦ

ଆନନ୍ଦପୁର : ଘସିପୁରାରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ଆରମ୍ଭ ହୋଇଛି। ପୌର କର୍ତ୍ତୃପକ୍ଷଙ୍କ ଅଣଦେଖା ତଥା ଠିକାସଂସ୍ଥାର ମନମାନି ଯୋଗୁ ଯାତ୍ରୀମାନେ ହଟହଟା ହେଉଥିବା ଅଭିଯୋଗ ‌ହୋଇଛି। ଏଠାରେ ଥିବା ମ୍ୟୁନିସିପାଲିଟିର ଶୌଚାଳୟକୁ ରାସ୍ତା ବନ୍ଦ ହୋଇଯାଇଥିବାବେଳେ ପଟ୍ଟାଭୁକ୍ତ ଜମିରେ ଥିବା ଏକ ଦୋକାନକୁ ବିନା ନୋଟିସ୍‌ରେ ଭାଙ୍ଗି ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ ଆନନ୍ଦପୁର ମ୍ୟୁନିସିପାଲିଟି ୧୪ନମ୍ବର ୱାର୍ଡ଼ରେ ରହିଥିବା ୧ନମ୍ବର ବସଷ୍ଟାଣ୍ଡରେ ନୂତନ ବସ ଟର୍ମିନାଲ ନିର୍ମାଣ ଆରମ୍ଭ ହୋଇଛି। ନିର୍ମାଣ ପୂର୍ବରୁ ଏଠାରେ ଥିବା ୩୦ରୁ ଊର୍ଦ୍ଧ୍ବ ଦୋକାନକୁ ଉଚ୍ଛେଦ କରାଯାଇଛି। ବର୍ଷାଦିନରେ ଦୋକନ ଉଚ୍ଛେଦ ହେବାପରେ ଅନେକ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବିକା ବୁଡ଼ି ଯାଇଛି। ଏହି ବସଷ୍ଟାଣ୍ଡ ଦେଇ ପ୍ରତିଦିନ ଶହେରୁ ଅଧିକ ଯାତ୍ରୀବାହୀ ବସ୍ ଚଳାଚଳ କରିଥାଏ। ବିଭିନ୍ନ ଅଞ୍ଚଳରୁ ଶହଶହ ଯାତ୍ରୀ କଟକ, ଭୁବନେଶ୍ବର, କେନ୍ଦୁଝର, ରାଉରକେଲା, ଭଦ୍ରକ ଯିବାପାଇଁ ଏଠାରେ ଭିଡ଼ ଜମାଇଥାନ୍ତି। ପୁରୁଣା ବସଷ୍ଟାଣ୍ଡ ଭଙ୍ଗାଯିବାପରେ ଏବେ ରାସ୍ତାଉପରେ ବସଗୁଡିକ ଛିଡ଼ାହୋଇ ଯାତ୍ରୀଙ୍କୁ ‌ନବାଆଣିବା କରୁଛନ୍ତି।

ବର୍ଷାଦିନରେ ବସକୁ ଅପେକ୍ଷା କରୁଥିବା ଯାତ୍ରୀମାନଙ୍କ ପାଇଁ ଛିଡ଼ା ହେବାପାଇଁ ମଧ୍ୟ କିଛି ବ୍ୟବସ୍ଥା କରାଯାଇନାହିଁ। ଶୌଚ ହେବାପାଇଁ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି। ଏଠାରେ ଥିବା ଏକମ‌ାତ୍ର ଶୌଚାଳୟକୁ ଠିକାସଂସ୍ଥା ପକ୍ଷରୁ ଚାରିପାଖରୁ ଘେରାବନ୍ଦୀ କରାଯାଇଥିବାବେଳେ ଯାତ୍ରୀମାନେ ହଟହଟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ବନ୍ଦ ହେବାପରେ ଶୌଚାଳୟରେ ତାଲାପକାଇ କର୍ମଚାରୀ ଅଚ୍ୟୁତ ରଣା ଏନେଇ ଆଜି ନିର୍ବାହୀ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଏପଟେ ନିର୍ମାଣ ଆଳରେ ଠିକାସଂସ୍ଥାର ମନମାନି ପରିଲକ୍ଷିତ ହୋଇଛି। ଗତକାଲି ବସଷ୍ଟାଣ୍ଡରେ ଖପରାଖାଇର ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପରମାନନ୍ଦ ପଟ୍ଟନାୟକଙ୍କ ପଟ୍ଟାଭୁକ୍ତ ଜମିରେ ରହିଥିବା ଦୋକନକୁ କୌଣସି ନୋଟିସ୍ ‌ନଦେଇ ମେସିନ୍ ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପରିବାରଲୋକେ ଭୁବନେଶ୍ବରରେ ରହୁଥିବାରୁ ନୋଟିସ୍ ହୋଇ ନଥିବାରୁ ସେମାନେ ଏ ସମ୍ପର୍କରେ ସୂଚନା ପାଇନାହାଁନ୍ତି। ଏନେଇ ଆଇନର ଆଶ୍ରୟ ନିଆଯିବ ବୋଲି ତାଙ୍କ ସମ୍ପର୍କୀୟ ଅନ୍ନଦା ଶଙ୍କର ମହାନ୍ତି କହିଛନ୍ତି। ଏପେଟ ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆନନ୍ଦପୁର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ‌କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଆଗକୁ ସମସ୍ୟା ଆହୁରି ବୃଦ୍ଧିପାଇବ ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର