ବ୍ରହ୍ମପୁର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ କେନ୍ଦ୍ର ସରକାର ଯାତ୍ରୀ ସୁରକ୍ଷା ଦିଗ ପ୍ରତି ଅଧିକ ଯତ୍ନବାନ ହୋଇଛନ୍ତି। ଯାତ୍ରା ସମୟରେ ଯାତ୍ରୀ ଯେପରି ସୁରକ୍ଷିତ ଭାବେ ଯାତ୍ରା କରିବେ ସେ ନେଇ ଗୁରୁତ୍ବ ଦିଆଯାଉଛି। ଟ୍ରାକ୍ ମରାମତି କାମ ସହିତ ଟ୍ରେନ୍ର ବୈଷୟିକ ସରଞ୍ଜାମକୁ ନିୟମିତ ତଦାରଖ କରାଯାଉଛି। ହେଲେ ବ୍ରହ୍ମପୁର ରେଳଷ୍ଟେସନ୍ରେ ଯାତ୍ରୀ ଟ୍ରେନ୍ରେ ସିଟ୍ ଖଣ୍ଡିଏ ପାଇବା ପାଇଁ ଜୀବନକୁ ବାଜି ଲଗାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସିଟ୍ ରଖିବା ପାଇଁ ଟ୍ରାକ୍କୁ ଓହ୍ଲାଇ ପ୍ଲାଟଫର୍ମ ନଥିବା ପାର୍ଶ୍ବରୁ ଯାତ୍ରୀ ଟ୍ରେନ୍ରେ ଚଢ଼ୁଥିବା ଦେଖିବାକୁ ମିଳୁଛି। ବ୍ରହ୍ମପୁର ଷ୍ଟେସନ୍ରେ ଅଧିକାଂଶ ଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ସାମାନ୍ୟ ଅସାବଧାନତା ହେଲେ ଯାତ୍ରୀଙ୍କ ଜୀବନ ଚାଲିଯିବାର ଭୟ ରହିଛି। ଅଥଚ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ଆର୍ପିଏଫ୍ ଓ ଜିଆର୍ପି ଏ ଦିଗରେ କିଛି ପଦକ୍ଷେପ ଗ୍ରହଣ ନକରି ନିରବଦ୍ରଷ୍ଟା ସାଜିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି।
ବ୍ରହ୍ମପୁର ରେଳଷ୍ଟେସନ୍ ଦେଇ ଦୈନିକ ପ୍ରାୟ ୭୦ଟି ଟ୍ରେନ୍ ଯାତାୟାତ କରିଥାଏ। ପ୍ରତିଦିନ ସକାଳୁ ଭୁବନେଶ୍ବର ଅଭିମୁଖେ ୩ଟି ପାସେଞ୍ଜର୍ ଟ୍ରେନ୍ ଯାଇଥାଏ। ସେହି ଟ୍ରେନ୍ ମଧ୍ୟରୁ ସକାଳ ୭ଟାରେ ଯାଉଥିବା ଗୁଣପୁର-କଟକ ମେମୁ ଟ୍ରେନ୍ରେ ଅଧିକ ଭିଡ଼ ରହିଥାଏ। ଏହି ଟ୍ରେନ୍ ଗୁଣପୁରରୁ ଆସି ବ୍ରହ୍ମପୁର ଷ୍ଟେସନ୍ରେ ସକାଳ ୬ଟା ୫୫ମିନିଟ୍ରେ ପହଞ୍ଚି ୭ଟାରେ ଛାଡ଼ିଥାଏ। ଏହି ଟ୍ରେନ୍ରେ ଅଧିକାଂଶ ସରକାରୀ କର୍ମଚାରୀ ଓ କର୍ମଜୀବୀ ଯାତାୟାତ କରିଥାନ୍ତି। ବ୍ରହ୍ମପୁର ଷ୍ଟେସନ୍ରୁ ମେମୁ ଟ୍ରେନ୍ରେ ଦୈନିକ ପ୍ରାୟ ୭୫୦ରୁ ୮୦୦ ଲୋକ ଟ୍ରେନ୍ରେ ଚଢ଼ିଥାନ୍ତି। ବିଭିନ୍ନ କାମରେ ଲୋକେ ପ୍ରତିଦିନ ଭୁବନେଶ୍ବର ଓ କଟକ ଯାଇଥାନ୍ତି। ଏହି ଟ୍ରେନ୍ ସବୁବେଳେ ଭିଡ଼ ରହିଥାଏ। ଯାତ୍ରୀଙ୍କ ସଂଖ୍ୟା ଅଧିକ ରହୁଥିବାରୁ ସିଟ୍ ଖଣ୍ଡିଏ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଯେପରି ପ୍ରତିଯୋଗିତା ହୋଇଥାଏ।
ଏଣୁ ସିଟ୍ ପାଇଁ କିଛି ଯାତ୍ରୀ ଟ୍ରେନ୍ ଆସିବା ଦେଖି ୧ନମ୍ବର ପ୍ଲାଟ୍ଫର୍ମରୁ ତଳକୁ ଓହ୍ଲାଇ ଟ୍ରାକ୍ର ଆରପଟକୁ ଚାଲି ଯାଇଥାନ୍ତି। ବିପରୀତ ଦିଗରେ ଚଢ଼ିଲେ ସହଜରେ ସିଟ୍ ଖଣ୍ଡିଏ ମିଳିଯିବ ବୋଲି ଯାତ୍ରୀ ଏଭଳି ଉପାୟ କରିଥାନ୍ତି। କିନ୍ତୁ ସେମାନେ ଯେ ଅଜାଣତରେ ବିପଦକୁ ଡାକି ଆଣୁଛନ୍ତି, ସେ କଥା ବୁଝନ୍ତି ନାହିଁ। ଟ୍ରାକ୍କୁ ଓହ୍ଲାଇବା ବେଳେ ତଳେ ପଡ଼ି ଆହତ ହେବାର ସମ୍ଭାବନା ରହିଛି। ଏପରିକି ମୁଣ୍ଡରେ ଆଘାତ ଲାଗି ଜୀବନ ଚାଲିଯିବାର ଭୟ ମଧ୍ୟ ରହିଛି। ସେହିପରି ୧ ନମ୍ବର ଓ ୨ନମ୍ବର ପ୍ଲାଟଫର୍ମ ମଝିରେ ଥିବା ଟ୍ରାକ୍ରେ ବିଭିନ୍ନ ସମୟରେ ମାଲବାହୀ ଟ୍ରେନ୍ ଯାତାୟାତ କରିଥାଏ। ସେହି ସମୟରେ ଯାତ୍ରୀ ଟ୍ରେନ୍ ଧକ୍କା ହେବାର ଭୟ ମଧ୍ୟ ରହିଛି। ଏଭଳି ବିପଦପୂର୍ଣ୍ଣ ଯାତ୍ରା ଯୋଗୁଁ ଯାତ୍ରୀ ବିଗତ ଦିନରେ ନାନା ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ନଜିର ରହିଛି।
ଆଜି ସକାଳେ ମେମୁ ଟ୍ରେନ୍ରେ ବିପରୀତ ଦିଗରୁ କିଛି ଯାତ୍ରୀ ଚଢ଼ୁଥିବା ବେଳେ ଜଣେ ଯୁବକ ହଠାତ୍ ଝୁଣ୍ଟି ପଡ଼ିଥିଲେ। ଅବଶ୍ୟ ସେ ସୁରକ୍ଷିତ ରହିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ଯେ ଯାତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ରହିଥିବା ଆର୍ପିଏଫ୍ ଓ ଜିଆର୍ପି ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ। ଯାତ୍ରୀଙ୍କୁ ଏଭଳି ବିପଦପୂର୍ଣ୍ଣ ଯାତ୍ରାରୁ ବାରଣ କରାଯିବା କଥା। ଟ୍ରାକ୍ ପାରି ନହେବା ପାଇଁ ନିୟମ ରହିଛି। ଏପରିକି ଜରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ବ୍ରହ୍ମପୁର ଷ୍ଟେସନ୍ରେ ତାହା ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି। ଏ ଦିଗରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।