ଝାରସୁଗୁଡ଼ା ବିମାନ ବନ୍ଦରରୁ ମୁହଁ ମୋଡ଼ୁଛନ୍ତି ଯାତ୍ରୀ 

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ପୁଣି ଲାଗିଛି ଏକ ବଡ଼ ଝଟକା। ଝାରସୁଗୁଡ଼ା ବିମାନବନ୍ଦରର ସବୁଠୁ ସଫଳ ରୁଟ୍ ଦିଲ୍ଲୀ-ଝାରସୁଗୁଡ଼ା-ଦିଲ୍ଲୀ ବିମାନ ସେବା ଆସନ୍ତା ୩୧ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହୁଥିବା ଜଣାଯାଇଛି। ଦେଶର ରାଜାଧାନୀ ଦିଲ୍ଲୀ ସହିତ ପଶ୍ଚିମ ଓଡ଼ିଶାକୁ ଯୋଡୁଥିବା ସ୍ପାଇସ୍‌ ଜେଟ କମ୍ପାନିର ଏହି ବିମାନ ଗତ ୩ ବର୍ଷ ହେଲା ସଫଳତାର ସହିତ ଉଡାଣ କରୁଥିବା ବେଳେ ଏହି ବିମାନ ଉପରେ ସମଗ୍ର ପଶ୍ଚିମ ଓଡ଼ିଶାର ଯାତ୍ରୀଙ୍କ ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ରାଜ୍ୟର ଯାତ୍ରୀ ମଧ୍ୟ ଦିଲ୍ଲୀ ଯାତ୍ରା କରିବାକୁ ନିର୍ଭର କରୁଥିଲେ। ୧୮୦ ସିଟ୍‌ ବିଶିଷ୍ଟ ଏହି ବଡ଼ ବିମାନରେ ସବୁବେଳେ ଯାତ୍ରୀଙ୍କ ଚାହିଦା ରହୁଥିବାରୁ ଏହି ରୁଟ୍‌କୁ ଏକ ସଫଳ ରୁଟ୍‌ ଭାବରେ ବିବେଚନା କରା ଯାଉଥିଲା। ଯାତ୍ରୀ ସଂଖ୍ୟା ବୃଦ୍ଧିକୁ ଦେଖି ଏହି ରୁଟ୍ ରେ ଦ୍ଵିତୀୟ ବିମାନ ସେବା ପାଇଁ ଘୋଷଣା କରାଯାଇଥିଲା।

ତେବେ ଦ୍ୱିତୀୟ ବିମାନ ଉଡାଣ କ’ଣ କରିବ ଓଲଟା ସ୍ପାଇସ୍‌ ଜେଟ୍‌ କମ୍ପାନି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ସମୟରେ ଦିଲ୍ଲୀ ବିମାନ ବନ୍ଦ କରି ହଜାର ହଜାର ଯାତ୍ରୀଙ୍କୁ ଅସୁବିଧାରେ ପକାଇଛି। ନୂଆଖାଇ ଯୋଗୁଁ ବହୁ ଯାତ୍ରୀ ବହୁ ପୂର୍ବରୁ ନିଜ ଘରକୁ ଫେରିବା ପାଇଁ ଏହି ବିମାନରେ ଟିକେଟ କରିଥିଲେ। ଏବେ ଉକ୍ତ ଯାତ୍ରୀମାନେ କେମିତି ଘରକୁ ଆସିବେ ଓ ନୂଆଖାଇ ପରେ ପୁଣି ଦିଲ୍ଲୀ ଫେରିବେ ସେ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। କିଛି ଲୋକ ଗଣେଶ ପୂଜା, ନୂଆଖାଇ ଛୁଟିରେ ବୁଲି ଯିବାକୁ ବିମାନ ଟିକେଟ କରିଥିବା ଓ ଦିଲ୍ଲୀରେ ହୋଟେଲ ବୁକ କରିଥିବା ତଥା ଆଉ କିଛି ଲୋକ ଦିଲ୍ଲୀରୁ ଅନ୍ୟ ବିମାନରେ ଯାତ୍ରା କରିବାକୁ ସମସ୍ତ ପ୍ରସ୍ତୁତି କରିଥିଲେ।

ବିମାନ ବନ୍ଦ ସବୁ ପ୍ରସ୍ତୁତିକୁ ଭଣ୍ଡୁର କରି ଦେଇଥିବା ବହୁ ଯାତ୍ରୀ ନିରାଶ ହୋଇ କହିଛନ୍ତି। ଏପଟେ ଟ୍ରେନ୍‌ ଟିକେଟ ମଧ୍ୟ ମିଳୁ ନଥିବାରୁ ସବୁ କାର୍ଯ୍ୟକ୍ରମ ଫେଲ ହୋଇଯିବା ନିଶ୍ଚିତ ହୋଇ ଯାଇଥିବାରୁ ତୀଵ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଅଗଷ୍ଟ ଆରମ୍ଭରୁ ବାଙ୍ଗାଲୁରୁ ବିମାନ, କଲିକତା ଦ୍ଵିତୀୟ ବିମାନ ମଧ୍ୟ ବନ୍ଦ ହୋଇ ଯାଇଥିଲା। ଚେନ୍ନାଇ ବିମାନ ମଧ୍ୟ କିଛି ଦିନ ପରେ ବନ୍ଦ ହୋଇଯାଇଛି। ମୁମ୍ବାଇ ବିମାନ ଉଡ଼ାଣ ପାଇଁ ବାରମ୍ବାର ଘୋଷଣ ହେଉଥିଲେ ମଧ୍ୟ ତାହା ଉଡୁନାହିଁ। ହାଇଦ୍ରାବାଦକୁ ୧୦ ଦିନ ହେଲା ସେବା ବନ୍ଦ ରହିଥିବା ବେଳେ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଏହା ଚାଲିବାର ସମ୍ଭାବନା ଦିଶୁନାହିଁ। ଏଭଳି ଅବସ୍ଥା ଯୋଗୁଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପ୍ରତି ଯାତ୍ରୀଙ୍କ ମୋହ ତୁଟି ଗଲାଣି। ପଶ୍ଚିମ ଓଡ଼ିଶାର ଯାତ୍ରୀ ପୂର୍ବ ପରି ଏବେ ରାୟପୁର ଓ ରାଞ୍ଚି ବିମାନ ବନ୍ଦରରୁ ଦେଶର ବିଭିନ୍ନ ସହରକୁ ଯାଉଛନ୍ତି।

ସମ୍ବନ୍ଧିତ ଖବର