ରାଇରଙ୍ଗପୁର : ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍ରେ ଶପଥ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଦ୍ରୌପଦୀଙ୍କ ଝିଅ, ଭାଇଭାଉଜଙ୍କ ସମେତ ଘନିଷ୍ଠ ବନ୍ଧୁମାନେ ଗତକାଲିଠାରୁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ଆସନରେ ବସିବାଠାରୁ ଶପଥ ସମାରୋହର ଶେଷ ଯାଏ ସମସ୍ତେ ସାମିଲ ହେବେ। ଅନ୍ୟପକ୍ଷରେ ମାଟିର ଝିଅ ପାଇଁ ରାଇରଙ୍ଗପୁରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ରାଇରଙ୍ଗପୁର ପିସିଏମ୍ କଲ୍ୟାଣୀ ମଣ୍ତପଠାରେ ଦ୍ରୌପଦୀ ମୁର୍ମୁ ଶପଥ ପାଠ ନେବା ସମୟର ସିଧା ପ୍ରସାରଣ ବ୍ୟବସ୍ଥା ହୋଇଛି। ଏଥିପାଇଁ କଲ୍ୟାଣୀ ମଣ୍ଡପଠାରେ ଏକ ବଡ଼ ଏଲ୍ଇଡି ଟିଭି ଲଗାଯାଇଛି। ରାଇରଙ୍ଗପୁର ଗାନ୍ଧୀ ପାର୍କଠାରେ ନାଚଗୀତ, ବାଣ, ରୋଷଣୀ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।
ସେହିପରି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ଉପରବେଡ଼ାଠାରେ ମଧ୍ୟ ଉତ୍ସବର ଆୟୋଜନ ହୋଇଛି। ଶ୍ରୀମତୀ ମୁର୍ମୁ ପଢ଼ିଥିବା ଉପରବେଡା ଉପ୍ରା ବିଦ୍ୟାଳୟ ସମେତ ୫ ହଜାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ। ଏଥିସହ ଶ୍ରୀମତୀ ମୁର୍ମୁଙ୍କ ପୈତୃକ ଗାଁ ଘରଠାରୁ ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ ପାରମ୍ପରିକ ଆଦିବାସୀ ନାଚଗୀତ ହେବ। ଏଥିରେ ହଜାର ହଜାର ଆଦିବାସୀଙ୍କ ସମେତ ଜନସାଧାରଣ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଐତିହାସିକ ଦିନକୁ ମନେ ରଖିବା ପାଇଁ ରାଇରଙ୍ଗପୁର ସମେତ କରଞ୍ଜିଆ, କୁସୁମୀ, ବିଜାତଳା, ଜାମଦା, ବିଶୋଇ ପ୍ରଭୃତି ବ୍ଲକ୍ର ବିଭିନ୍ନ ସ୍ଥାନରେ ନାଚଗୀତ ଓ ଭୋଜିଭାତର ଆୟୋଜନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/droupadi-murmu-1a.jpg)