ଶିକ୍ଷାନୁଷ୍ଠାନରେ ହେବ ‘ପାସ୍‌ପୋର୍ଟ ମେଳା’

ଓଡ଼ିଶାରେ ‘ଷ୍ଟୁଡେଣ୍ଟ କନେକ୍ଟ ପ୍ରୋଗ୍ରାମ୍‌’ ଆରମ୍ଭ

ଭୁବନେଶ୍ୱର : ବିଦେଶରେ ଉଚ୍ଚଶିକ୍ଷା ଗ୍ରହଣ ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ପାସ୍‌ପୋର୍ଟର ଆବଶ୍ୟକତା ହେଉଛି। ତାହାକୁ ଦୃଷ୍ଟିରେ ରଖି ‘ଷ୍ଟୁଡେଣ୍ଟ କନେକ୍ଟ ପ୍ରୋଗ୍ରାମ୍‌’ରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ପାସ୍‌ପୋର୍ଟ ସେବା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ‘ପାସ୍‌ପୋର୍ଟ ମେଳା’ ଆୟୋଜନ କରିବାକୁ ଯୋଜନା ହୋଇଛି ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ଷ୍ଟୁଡେଣ୍ଟ କନେକ୍ଟ ପ୍ରୋଗ୍ରାମ୍‌’କୁ ଉଦ୍‌ଘାଟନ କରି କେନ୍ଦ୍ର ବହିର୍ବ୍ୟାପାର ମନ୍ତ୍ରାଳୟ ସଚିବ ଡ. ଡି.ଏମ୍‌. ମୁଲାୟ କହିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ଆଞ୍ଚଳିକ ପାସ୍‌ପୋର୍ଟ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉତ୍ସବରେ ଡ.ମୁଲାୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଓଡ଼ିଶାର ଜନସଂଖ୍ୟା ୪ କୋଟି ଟପିଗଲାଣି। ହେଲେ ମାତ୍ର ଏକ ଲକ୍ଷ ଲୋକଙ୍କ ପାଖରେ ପାସ୍‌ପୋର୍ଟ ରହିଛି। ଯାହାକି ନୈରାଶ୍ୟଜନକ। ଅଧିକରୁ ଅଧିକ ଲୋକଙ୍କୁ ପାସ୍‌ପୋର୍ଟ ଯୋଗାଇ ଦେବା ଲାଗି ‘ପାସ୍‌ପୋର୍ଟ ମେଳା’ କରାଯିବ। ଏହାର ସୁବିଧା ନେବାକୁ ସେ ଆହ୍ଵାନ ଦେଇଛନ୍ତି।

ପାସ୍‌ପୋର୍ଟ ଆଞ୍ଚଳିକ ଅଧିକାରୀ ଡ. ଦିଗ୍‌ବିଜୟ ଗିରି ଯୋଗଦେଇ ‘ପାସପୋର୍ଟ ମେଳା’ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ସ୍ୱାଗତ ଭାଷଣ, ଆଇକ୍ୟୁଏସି ନିର୍ଦେଶକ ପ୍ରଫେସର କିଶୋର ବାସା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର