ରାୟଗଡା: ରାୟଗଡ଼ା ଜିଲ୍ଲାରେ ସକ୍ରିୟ ବନ୍ୟଜନ୍ତୁ ଶିକାରୀ। କଲରାପତରିଆ ବାଘ ଶିକାର କରି ଛାଲ ବିକ୍ରି କରିବା ପୂର୍ବରୁ ମାଡ଼ିବସିଲା ଏସ୍ଟିଏଫ୍। ଚାନ୍ଦିଲି ଥାନା ଅଞ୍ଚଳରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରିବା ସହ ଏଥିରେ ସଂପୃକ୍ତ ରୢାକେଟ୍ର ଦୁଇ ସଦସ୍ୟଙ୍କୁ ଗିରଫ କରିଛି। ଚଳିତ ବର୍ଷ ଆଜି ସୁଦ୍ଧା ଜିଲ୍ଲାରେ ୪ଟି ବାଘଛାଲ ଜବତ ହୋଇଥିବା ବେଳେ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୮ଟି ବାଘ ଛାଲ ଜବତ ହୋଇଛି।
ଗୁଇନ୍ଦା ସୂତ୍ରରୁ ବାଘ ଶିକାର ସଂପର୍କରେ ଏସ୍ଟିଏଫ୍କୁ ଗତକାଲି ସୂଚନା ମିଳିଥିଲା। ଛାଲ ବାହାର କରି ବିକ୍ରି ପାଇଁ ରୢାକେଟ୍ ସଦସ୍ୟ ଗ୍ରାହକ ସନ୍ଧାନ କରୁଥିବା ମଧ୍ୟ ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ତୁରନ୍ତ ଏସ୍ଟିଏଫ୍ର ଏକ ଟିମ୍ ରାୟଗଡ଼ାରେ ପହଞ୍ଚି ରୢାକେଟ୍ ସଦସ୍ୟଙ୍କ ସନ୍ଧାନ ଆରମ୍ଭ କରିଥିଲା। ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରବିଦୁନି ଛକରେ ଛାଲ ପାଇଁ ମୂଲଚାଲ ଚାଲିଥିବା ନେଇ ସୁରାକ ମିଳିବାରୁ ଏସ୍ଟିଏଫ୍ ଅତର୍କିତ ଚଢ଼ଉ କରିଥିଲା। ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ଅଞ୍ଚଳର ବିକ୍ରମ ମାଝି ଏବଂ ରାଜା ମାଝିକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଛାଲ ସହ ଅନ୍ୟ ସାମଗ୍ରୀ ଜବତ କରିଛି। ଦଫା ୩୭୯, ୪୧୧, ୧୨୦(ବି) ଆଇପିସି ଅନୁସାରେ ମାମଲା ରୁଜୁ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଆଜି ରାୟଗଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜବତ ବାଘଛାଲକୁ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇର ନିର୍ଦ୍ଦେଶକଙ୍କ ନିକଟକୁ ତଦନ୍ତ ପାଇଁ ପଠାଯାଇଛି।