ପାଟକୁରା ଉପନିର୍ବାଚନ ପାଇଁ ନବୀନ କଲେ ବୈଠକ, ଚୁଡାନ୍ତ ହେଲା ରଣନୀତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଉପନିର୍ବାଚନ ପାଇଁ ଦାୟିତ୍ୱରେ ଥିବା ନେତାଙ୍କ ସହ ଆଜି ନବୀନ ନିବାସରେ ଆଲୋଚନା କରିଛନ୍ତି । ନବୀନ ନିବାସରେ ମନ୍ତ୍ରୀ ସୁଶାନ୍ତ ସିଂ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଆଉ କେତେକ ନେତା ଏହି ସମୟରେ ଉପସ୍ଥିତ ଥିବା ଜଣାଯାଇଛି। ଆଗାମୀ ଦିନରେ ପାଟକୁରାରେ ବିଜେଡି କିପରି ବହୁ ଭୋଟ ବ୍ୟବଧାନରେ ବିଜୟଲାଭ କରିବ ସେଥିନେଇ ରଣନୀତି ଚୁଡାନ୍ତ ହୋଇଛି ଏହି ବୈଠକରେ ।

ଏହି ବୈଠକ ଶେଷ ହେବାପରେ ଦଳର ବରିଷ୍ଠ ନେତାମାନେ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ବିଜେଡି ପ୍ରାର୍ଥୀ ସାବ୍ରିତ୍ରୀ ଅଗ୍ରୱାଲଙ୍କ ପୁଅ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବିଜେଡ଼ି ପାଇଁ ପାଟକୁରାର କୌଣସି ପ୍ରକାର ଚ୍ୟାଲେଞ୍ଜ ନାହିଁ । ମାଆ ନିର୍ବାଚନରେ ନିଶ୍ଚିତ ଜିତିବେ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି । ସେପଟେ ନବୀନ ନିବାସରେ ପହଚିଂଥିବା ବିଜେଡି ନେତା କିଶୋର ତରାଇ କହିଛନ୍ତି, ଏଠାରେ ବିଜେଡି-ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି । ପାଟକୁରାରେ ବିଜେଡି ବହୁ ମାତ୍ରାରେ ସଫଳତା ହାସଲ କରିବ ।

ଏଠାରେ ସୂଚନାଯୋଗ୍ୟ ବିଜେପିରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାବିତ୍ରୀ ଅଗ୍ରୱାଲ ପ୍ରାର୍ଥୀ ହୋଇଛନ୍ତି । ଏହି ନିର୍ବାଚନ ବିଜେଡି ଓ ବିଜେପି ବିଶେଷକରି ବିଜୟ ମହାପାତ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି । ପାଟକୁରା ପାଇଁ ଏପ୍ରିଲ ୨୯ରେ ନିର୍ବାଚନ ହେବାର ଥିଲା । କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନକୁ ମେ ୧୯ ଯାଏଁ ଘୁଂଚାଯାଇଥିଲା । ପରେ ଫୋନି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସମ୍ବନ୍ଧିତ ଖବର