ପାଟକୁରା ନିର୍ବାଚନ ପାଇଁ ବିଜେଡିର ସଜବାଜ, ୫ ପ୍ରଭାବଶାଳୀଙ୍କୁ ଗଡ଼ ସମ୍ଭାଳିବା ଦାୟିତ୍ବ

ଭୁବନେଶ୍ବର : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ତାରିଖ ଘୋଷଣା ହୋଇନି, କିନ୍ତୁ ରାଜନୈତିକ ଦଳମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କଲେଣି। ବିଜେଡିର ବଛାବଛା ୫ ନେତାଙ୍କୁ ରାଜ୍ୟ ସ୍ତରରେ ସଂଯୋଜକ ଦାୟିତ୍ବ ଦିଆଯାଇଛି।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ଆସନ ଯେପରି ବିଜେଡି ଖାତାରେ ଯୋଡ଼ିହେବ ସେଥିପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଲାଗିପଡ଼ିବାକୁ ତାଗିଦ କରିଛନ୍ତି। ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ସେହିପରି ମନ୍ତ୍ରୀ ଅରୁଣ ସାହୁ ଓ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଡେରାବିଶ ବ୍ଲକ ଦାୟିତ୍ବ ପ୍ରଦାନ କରାଯାଇଛି। ଉଭୟ ମାର୍ଶାଘାଇ ଓ ଗରଦପୁର ବ୍ଲକ ଦାୟିତ୍ବରେ ରହିବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେହିଭଳି ମାର୍ଶାଘାଇ ୭ଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ମଧ୍ୟ ତଦାରଖ କରିବେ ବୋଲି ଜଣାପଡ଼ିଛି।

ଏହାସହିତ ନିର୍ବାଚନ ମଣ୍ଡଳୀର ଦୁଇଟି ଲେଖାଏଁ ପଞ୍ଚାୟତ ପାଇଁ ଜଣେ ଲେଖାଏଁ ବିଧାୟକ ଓ ଦଳୀୟ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର ଏସବୁ ନେତା ପାଟକୁରା ଯାଇ ତଳସ୍ତରର ନେତାଙ୍କୁ ଏକାଠି କରିବା ସହ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲଙ୍କୁ ବିଜୟୀ କରିବା ନେଇ ଋଣନୀତି ପ୍ରସ୍ତୁତ କରିବେ।

ପ୍ରକାଶଥାଉକି, ସାଧାରଣ ନିର୍ବାଚନବେଳେ ବିଜେପିକୁ ଯାଇଥିବା ବିଜେଡିର ତୃଣମୂଳ ସ୍ତରର କର୍ମୀ ଓ ନେତା ଧୀରେ ଧୀରେ ପୁଣି ଥରେ ବିଜେଡିକୁ ଫେରିବା ଆରମ୍ଭ କରିଛନ୍ତି। ବିଜେପିରେ ଯୋଗଦେଇଥିବା ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ ବିଜେଡି ପ୍ରାର୍ଥୀ ସ୍ବର୍ଗତଃ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ ପରେ ବିଜେଡିକୁ ଫେରିଆସିଛନ୍ତି।

ସମ୍ବନ୍ଧିତ ଖବର