ପାଟକୁରା ନିର୍ବାଚନ ଚର୍ଚ୍ଚା ଜୋର୍ ଧରିଲା

ନୂଆଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଭେଟିଲେ ବିଜୟ, ଯେ କୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଭୁବନେଶ୍ବର : ଯେ କୌଣସି ମୁହୂର୍ତ୍ତରେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇପାରେ। ସମ୍ଭବତଃ ଆସନ୍ତା ସପ୍ତାହ ପରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବେ। କମିସନ୍ ଏ ସମ୍ପର୍କିତ ରିପୋର୍ଟ ସିଇଓଙ୍କ ଠାରୁ ମଗାଇଛନ୍ତି। ଏପଟେ ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଆଜି ନୂଆଦିଲ୍ଲୀରେ ଦଳର ବରିଷ୍ଠ ନେତାମାନଙ୍କୁ ଭେଟି ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଫଳରେ ପାଟକୁରା ନିର୍ବାଚନକୁ ‌େନଇ ରାଜନୈତିକ ବାତାବରଣ ସରଗରମ ହୋଇଉଠିଛି।

ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁଁ ନିର୍ବାଚନ ଘୁଞ୍ଚିଥିଲା। ପରବର୍ତ୍ତୀ ସମୟରେ ମେ’ ୧୯ରେ ପାଟକୁରାରେ ଭୋଟ୍‌ଗ୍ରହଣ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଫନି ବାତ୍ୟା ଯୋଗୁଁ ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ କମିସନ୍ ଦୁଇ ମାସ ଘୁଞ୍ଚାଇ ଦେଇଥ‌ିଲେ। ସେହି ଅନୁଯାୟୀ ଜୁଲାଇ ୧୯ ତାରିଖ ଭିତରେ ପାଟକୁରାରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।

ନିର୍ବାଚନ ତାରିଖ ଘୋଷଣା ପାଇଁ ନିର୍ବାଚନ କମିସନ୍ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପାଟକୁରାରେ ବର୍ତ୍ତମାନର ସ୍ଥିତି ନେଇ ସିଇଓଙ୍କୁ ରିପୋର୍ଟ ମଗାଇଛନ୍ତି। ତେଣୁ ଆସନ୍ତା ସପ୍ତାହ‌ ପରେ ଯେ କୌଣସି ସମୟରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି।

ପାଟକୁରା ଆସନ ଏବେ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ୨୦୦୦ ମସିହା ପର ଠାରୁ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପ୍ରବେଶ କରାଇ ନ‌େଦବା ପାଇଁ ବିଜେଡି ଚାରିଟି ଯାକ ନିର୍ବାଚନରେ କରିଥିବା ରଣନୀତିରେ ସଫଳ ହୋଇଛି। ବିଧାନସଭା ବାହାରେ ରହି ଶ୍ରୀ ମହାପାତ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିଲେ ବି ବିଧାନସଭାରେ ପ୍ରବେଶ କରିବାରେ ସଫଳ ହୋଇ ନାହାନ୍ତି। ଦୁଇ ଥର ପାଟକୁରାରୁ ଓ ଥରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇ ସେ ପରାଜୟ ବରଣ କରିଛନ୍ତି। କିନ୍ତୁ ଏଥର ପାଟକୁରାରେ ବିଜୟ ଜିତିବା ନେଇ ବିଜେପି ଶିବିର ଆଶାବାଦୀ।

କୌଣସି ପରିସ୍ଥିତିରେ ବିଜୟଙ୍କୁ ବାଟ ନ ଛାଡ଼ିବା ପାଇଁ ବିଜେଡି ସବୁ ପ୍ରକାର କୌଶଳ ଆପଣାଇଛି। ପୁଣି ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡି ସରକାର ଆସିଥିବାରୁ ଓ ପାଟକୁରାରେ ପ୍ରଥମ ନିର୍ବାଚନ ହୋଇଥିବାରୁ ଦଳ ଜିତିବା ସମ୍ମାନର ପ୍ରଶ୍ନ ହୋଇଯାଇଛି। ଏକାଧିକ ମନ୍ତ୍ରୀ, ବିଧାୟକଙ୍କୁ ପଞ୍ଚାୟତ ବାଣ୍ଟିଦିଆଯାଇଛି। ପୁଣି କେନ୍ଦ୍ରାପଡ଼ାର ଅନ୍ୟ ସବୁ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଜିତିଥିବାରୁ ସେମାନଙ୍କୁ ପାଟକୁରା ଆସନ ଜିତାଇବାକୁ ଦଳ ପକ୍ଷରୁ ଦାୟିତ୍ବ ଦିଆଯାଇଛି। ଭୁବନେଶ୍ବରରେ ପାଟକୁରା ରଣନୀତି ନେଇ ଦଳର ତୁହାକୁ ତୁହା ବୈଠକ ବସୁଥିବାର ଖବର ମିଳୁଛି।

ନିର୍ବାଚନ ତାରିଖ ଘୋଷଣା ସମୟ ହୋଇଯାଇଥିବା ବେଳେ ବିଜୟଙ୍କ ନୂଆଦିଲ୍ଲୀ ଗସ୍ତ ବେଶ୍‌ ଗୁରୁତ୍ବ ବହନ କରୁଛି। ଆଜି ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କ ସମେତ ନବନିର୍ବାଚିତ ସାଂସଦମାନଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ପାଟକୁରା ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର