କୋରାପୁଟ/ନନ୍ଦପୁର: ବିପଦପୂର୍ଣ୍ଣ ନୌକାଯାତ୍ରାର କରୁଣ ପରିଣତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଦେଇ ପ୍ରବାହିତ ପାତାଳୀ ନଦୀରେ ଡଙ୍ଗାବୁଡ଼ି ଜଣେ ମହିଳାଙ୍କ ଅକାଳ ମୃତ୍ୟୁ ହୋଇଛି। ସେହିପରି ୩ ନାବାଳିକାଙ୍କ ସହ ଆଉ ଜଣେ ମହିଳା ନିଖୋଜ ଅଛନ୍ତି। ମୃତକ ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତ ତାନସିଂ ଗାଁର କାର୍ତ୍ତିକ ଶିଶାଙ୍କ ପତ୍ନୀ ଲାଲମଣି ଶିଶା (୫୦ବର୍ଷ) ବୋଲି ସୂଚନା ମିଳିଛି। ଜଗନ୍ନାଥ ଅର୍ଲାବଙ୍କ ଝିଅ ଶଶିରେଖା ଆର୍ଲାବ (୩୫ବର୍ଷ), ମିଶ୍ର ଅର୍ଲାବଙ୍କ ଦୁଇ ଝିଅ ନବୀନା (୧୪ବର୍ଷ) ଏବଂ ପୁଷ୍ପାଞ୍ଜଳି (୫ବର୍ଷ), ଦେବ ଶିଶାଙ୍କ ଝିଅ ଶାନ୍ତି ଶିଶା (୮ବର୍ଷ)ଙ୍କ ସନ୍ଧାନ ଚାଲିଥିବା ପୁଲିସ ସୂଚନା ଦେଇଛି।

Advertisment

ଗୋଟିଏ ବିବାହ ଭୋଜିରେ ଯୋଗ ଦେବାକୁ ଉପରୋକ୍ତ ୫ଜଣ ଦେଶୀ ଡଙ୍ଗାରେ ଗତକାଲି ସକାଳେ ବାଡେଲ ଗାଁକୁ ଯାଇ ସଂଧ୍ୟାରେ ପୁଣି ନିଜ ଗାଁକୁ ଫେରୁଥିଲେ। କିନ୍ତୁ ରାତି ଅନ୍ଧାରରେ ଡଙ୍ଗା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ଲାଲମଣିଙ୍କ ଶବ ତାନସିଂ ନଦୀଘାଟରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ। ତୁରନ୍ତ ପାଡୁଆ ଥାନାକୁ ଖବର ଦିଆଯିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ନେଇ ପୁଲିସ ପହଞ୍ଚିଥିଲା। ସେହିପରି ଲାଲମଣିଙ୍କ ପରିବାର ସଦସ୍ୟ ବି ଘଟଣାସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲେ। ଲାଲମଣିଙ୍କ ସହ ଡଙ୍ଗାରେ ଯାତ୍ରା କରୁଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କେଉଁ ସ୍ଥାନରେ ଡଙ୍ଗା ବୁଡ଼ିଥିବା ସ୍ପଷ୍ଟ ହୋଇପାରି ନଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଥିବା ଜଣାପଡ଼ିଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ନିଖୋଜଙ୍କ ସନ୍ଧାନ ମିଳିନଥିଲା, ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଛି। ଆସନ୍ତାକାଲି ସକାଳେ ପୁଣି ସନ୍ଧାନ କରାଯିବ ବୋଲି ସୂଚନା ଦିଆଯାଇଛି। ନନ୍ଦପୁର ଏସ୍‌ଡିପିଓ ସଂଜୟ ମହାପାତ୍ର, ତହସିଲଦାର ଅନାଦି ଚରଣ ସାହୁ, ପାଡୁଆ ଥାନା ଅଧିକାରୀ ଅଶୋକ ବିଷୋୟୀ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ରେଡ୍‌କ୍ରସ୍‌ ପକ୍ଷରୁ ଲାଲମଣିଙ୍କ ପରିବାରକୁ ୧୦ହଜାର ଟଙ୍କାର ସହାୟତା ତୁରନ୍ତ ଦେବାକୁ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଦୁଃଖଦ ଖବର ପାଇ ପଟାଙ୍ଗି ବିଧାୟକ ପିତମ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାର ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏପ୍ରିଲ ୧୩ତାରିଖରେ ଅନୁରୂପ ଘଟଣା ସେମିଳିଗୁଡ଼ା ବ୍ଲକ କୋଲାବ ଜଳଭଣ୍ଡାରରେ ଘଟିଥିଲା। ଦେଶୀ ଡଙ୍ଗା ବୁଡ଼ିଯିବାରୁ ଅକାଳରେ ୪ଜଣଙ୍କ ଜୀବନ ଚାଲି ଯାଇଥିଲା।