ପଟ୍ଟାମୁଣ୍ତାଇ : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ରୋଚକ ମୋଡ଼ ନେଇଥିବା ବେଳେ ଶେଷରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ସମର୍ଥିତ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୩୧ ପଞ୍ଚାୟତ ବିଶିଷ୍ଟ ପଟ୍ଟାମୁଣ୍ଡାଇ ବ୍ଲକ୍ରୁ ୧୯ ଖଣ୍ଡ ଭୋଟ ପ୍ରଦ୍ୟୁମ୍ନ ପାଇଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଅନ୍ନପୂର୍ଣ୍ଣା ମଲ୍ଲିକ ପାଇଛନ୍ତି ୧୨ଟି ଭୋଟ୍। ଅନ୍ନପୂର୍ଣ୍ଣାଙ୍କ ପଛରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ସମର୍ଥନ ରହିଥିବା ବେଳେ କଂଗ୍ରେସ, ବିଜେପି ସମର୍ଥିତ ଓ ବିଜେଡିର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ବି ଅନ୍ନପୂର୍ଣ୍ଣାଙ୍କ ପଟକୁ ଢଳିଥିଲେ। କିନ୍ତୁ ଶେଷରେ ପ୍ରଦ୍ୟୁମ୍ନଙ୍କୁ ଜିତାଇ ଧ୍ରୁବ ଶଶୀଭୂଷଣ ବେହେରା, ଅଂଶୁମାନ ମହାନ୍ତି ଓ କିଶୋର ତରାଇଙ୍କ ବିପକ୍ଷରେ ନୈତିକ ବିଜୟ ହାସଲ କରିଛନ୍ତି।
ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡମହନପୁର ପଂଚାୟତର ସମିତିସଭ୍ୟ ହେଉଛନ୍ତି ପ୍ରଦ୍ୟୁମ୍ନ। ଅନ୍ୟପଟେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମୃତମଣୋହୀର ସମିତିସଭ୍ୟ ହେଉଛନ୍ତି ଅନ୍ନପୂର୍ଣ୍ଣା ମଲ୍ଲିକ। ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ ରାଜନଗର ନିର୍ବାଚନ ମଣ୍ଡଳୀରେ ଓ ୧୨ଟି ପଂଚାୟତ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ରହିଛି। ରାଜନଗର ନିର୍ବାଚନ ମଣ୍ଡଳୀର ୧୫ ସମିତିସଭ୍ୟ ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ୪ ସମିତି ସଭ୍ୟଙ୍କ ସମର୍ଥନରେ ପ୍ରଦ୍ୟୁମ୍ନ ବିଜୟୀ ହୋଇଛନ୍ତି। ନିର୍ବାଚନରେ ବିଜୟୀ ହେବା ପରେ ପ୍ରଦ୍ୟୁମ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜନଗର ବିଧାୟକ ଧ୍ରୁବଚରଣ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/patamundai.jpg)