କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ତାଇ : ମାଫିଆଙ୍କ ସହ ସଂପୃକ୍ତି ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାର ଅନୀଷା ଦାସ ରବିବାର ଚାକିରିରୁ ନିଲମ୍ବନ ହୋଇଥିବା ବେଳେ ଆଜି ପଟ୍ଟାମୁଣ୍ଡାଇରୁ ଅନୁରୂପ ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଦ୍ବାରା ଜବତ୍ ଦୁଇଟି ବାଲି ବୋଝେଇ ହାଇୱା ଟ୍ରକ୍କୁ ଛାଡ଼ିବା ପାଇଁ ଥାନାଧିକାରୀଙ୍କ ଉପରେ ବାରମ୍ବାର ଚାପ ପକାଇ ସନ୍ଦେହଘେରକୁ ଆସିଛନ୍ତି ପଟ୍ଟାମୁଣ୍ଡାଇ ତହସିଲଦାର ଶରତ କୁମାର ଗିରି। ସ୍ଥିତି ଏମିତି ହୋଇଛି ଯେ ଜବତ୍ ଗାଡ଼ିକୁ ଛାଡ଼ିବାକୁ କେନ୍ଦ୍ରକରି ତହସିଲଦାର ଓ ଥାନାଧିକାରୀ ମୁହିଁମୁହିଁ ହୋଇଛନ୍ତି। ଗାଡ଼ି ଛାଡ଼ିବା ପାଇଁ ତହସିଲଦାର ଗୋଟିଏ ପଟେ ବାରମ୍ବାର ଚାପ ପକାଉଥିବାବେଳେ ଅନ୍ୟପଟେ ବାଲିଚାଲାଣକୁ ବେଆଇନ ଦର୍ଶାଇ ଗାଡ଼ି ଛାଡ଼ିବାକୁ ରୋକଠୋକ୍ ମନା କରିଦେଇଛି ପୁଲିସ। ଏହାକୁ ନେଇ ବିବାଦ ଚରମ ସ୍ଥିତିରେ ପହଞ୍ଚିଛି।
ସୂଚନାଥାଉ କି, ଗତକାଲି ଲକଡାଉନ୍ରେ ଦୁଇଟି ହାଇୱା ଗାଡି ବାଲି ବୋଝେଇ କରୁଥିବା ସମୟରେ ପୁଲିସ ଧରିଥିଲା। 'ଆର' ଫର୍ମ ମାଗିବାରୁ ସେମାନେ ଏହା ଦେଖାଇ ପାରିନଥିଲେ। ଫଳରେ ଦୁଇଟି ଗାଡ଼ିକୁ ପୁଲିସ ଥାନାକୁ ଆଣି ଅଟକ ରଖିଥିଲା। ଗାଡ଼ି ଥାନାକୁ ଯିବା ପରେ ପଟ୍ଟାମୁଣ୍ତାଇ ତହସିଲଦାର ଶରତ କୁମାର ଗିରି ଥାନା ଆଇଆଇସିଙ୍କୁ ଫୋନ କରିଥିଲେ। ବାଲି ଗାଡ଼ି ଅଟକାଇବା ପାଇଁ ପୁଲିସକୁ କିଏ କ୍ଷମତା ଦେଲା ବୋଲି ପ୍ରଶ୍ନ କରି ତୁରନ୍ତ ଛାଡ଼ିବା ପାଇଁ କହିଥିଲେ ା ମାତ୍ର ଗାଡି ଓ ବାଲିର ଆବଶ୍ୟକ କାଗଜପତ୍ର ନ ଥିବାରୁ ଅଟକ ଅଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି କହିଥିଲେ। ମାତ୍ର ଦ୍ବିତୀୟବାର ଫୋନ କରି ଶୀଘ୍ର ଛାଡ଼ିବାକୁ ତହସିଲଦାର ଚାପ ପକାଇଥିବା ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ତହସିଲଦାର ଦୁଇଟି ଗାଡ଼ି ଛାଡ଼ିବା ପାଇଁ ଯେଉଁଭଳି ଚାପ ପ୍ରୟୋଗ କରିଛନ୍ତି ଏବଂ ପୁଲିସର କ୍ଷମତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ତାର ସମସ୍ତ ରେକର୍ଡିଂ ରହିଛି। ଅନ୍ୟପକ୍ଷରେ ତହସିଲଦାର ଶରତ କୁମାର ଗିରି କହିଛନ୍ତି ଯେ, ‘ଅଳପୁଆଠାରେ ଥିବା ବେଆଇନ ବାଲି ଗତ ଦୁଇଦିନ ତଳେ ନିଲାମ ହୋଇଥିଲା। ନିଲାମ ନେଇଥିବା ଲୋକ ଏହି ବାଲିକୁ ନେଉଥିବାବେଳେ ପୁଲିସ ଧରିଛି। ତେଣୁ ମୁଁ ପୁଲିସକୁ ଛାଡ଼ିବାକୁ କହିଥିଲା। ସେ ନ ଛାଡ଼ିବାରୁ କେନ୍ଦ୍ରାପଡ଼ା ଏସପିଙ୍କୁ ଘଟଣା ବିଷୟରେ ଜଣାଇଛି।' ଆଜି ସେମାନଙ୍କୁ 'ୱାଇ ଫର୍ମ ଇସ୍ୟୁ କରାଯାଇଛି। ପୁଲିସ ଗାଡ଼ି ଅଟକାଇବା ଠିକ୍ ନୁହେଁ ବୋଲି ତହସିଲଦାର ଶ୍ରୀ ଗିରି କହିଛିନ୍ତି।
ତେବେ, ବିବାଦ ବି ଏଇଠି ଥମିନି। ତହସିଲଦାର-ଥାନାଧିକାରୀଙ୍କ ମଧ୍ୟରେ ବାଲି ଚାଲାଣକୁ ନେଇ ଚିଠି ଯୁଦ୍ଧ ହୋଇଥିବା ଜଣାପଡ଼ିଛି। ବାଲି ନିଲାମଧାରୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସ ଫୋର୍ସ ଦେବାକୁ ତହସିଲଦାର ଥାନାଧିକାରୀଙ୍କୁ ଚିଠି ଲେଖିଛନ୍ତି। ହେଲେ ଫୋର୍ସ ଅନୁମତି ଥାନାରୁ ନୁହେଁ, ଜିଲ୍ଲା ମୁଖ୍ୟାଳୟରୁ ଆଣିବାକୁ ଥାନାଧିକାରୀ ଚିଠିର ଉତ୍ତର ଦେଇଛନ୍ତି। ଦୁଇ ଅଧିକାରୀଙ୍କ ମଧ୍ୟରେ ଗାଡ଼ି ଛାଡ଼ିବାକୁ ନେଇ ଉପୁଜିଥିବା ବିବାଦ ଭିତରେ ଏପ୍ରକାର ଚିଠି ଦିଆନିଆ କେବଳ ଚର୍ଚ୍ଚାର ବିଷୟ ହୋଇଛି ତା ନୁହେଁ, ବରଂ ଜବତ ଗାଡ଼ି ଛାଡ଼ିବାକୁ କହି ଅଡ଼ୁଆରେ ପଡ଼ିଯାଇଛନ୍ତି ତହସିଲଦାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Office_of_The_Tahasildar_Pattamundai.jpg)