ପାଟଣା: କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପାଟଣା ବିଧାନସଭା ନର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଗୌରହରି ଦୀର୍ଘଦିନରୁ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ମାସେ ହେବ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ବୋଲି ଜଣାଯାଇଛି।

Advertisment

publive-imageସୈନ୍ୟବାହିନୀରୁ ଅବସର ଗ୍ରହଣ କରିବା ପରେ ଗୌରହରି ନାୟକ ରାଜନୀତିରେ ସକ୍ରିୟ ହୋଇଥିଲେ। ତାଙ୍କୁ ବିଜେପି ୨୦୦୦ ମସିହାରେ ପ୍ରଥମେ ପାଟଣା ବିଧାନସଭା ନର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଏଥିରେ ସେ ବିଜୟୀ ହୋଇ ପ୍ରଥମ ଥର ଲାଗି ବିଧାୟକ ହୋଇଥିଲେ। ଏହାପରେ ପୁନର୍ବାର ଗୌରହରି ନାଏକ ୨୦୦୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଗୌରହରିଙ୍କ ଜନ୍ମ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାହାରାପଡ଼ା ବ୍ଲକର ହଳଦୀବଟା ଗ୍ରାମରେ। ତାଙ୍କର ବିଧବା ପତ୍ନୀ, ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି। ନିଜ ଗାଆଁରେ ଆଜି ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।