କୋରାପୁଟ, (ପତିତପାବନ ସାହୁ): ସବୁବେଳେ କଂଗ୍ରେସ ଓ ବିଜେଡି ଭିତରେ ଲଢେଇ। କେତେବେଳ ବିଜେଡି ତ କେତେବେଳେ କଂଗ୍ରେସ ବାଜି ମାରି ନେଇଛି। ପ୍ରାୟ ପ୍ରତି ପାଳିରେ ବି ବିଧାୟକ ବଦଳାଇଛନ୍ତି ପଟାଙ୍ଗୀ ନିର୍ବାଚନମଣ୍ଡଳୀର ଭୋଟର। ଏହି ଦୁଇ ପ୍ରମୁଖ ଦଳ ଭିତରେ ଚାଲିଥିବା ଲୁଚକାଳି ଖେଳ ଭିତରେ ଏଥର ଏଣ୍ଟ୍ରି ମାରିଛି ବିଜେପି। ଜିଲ୍ଲାର ଭେଟେରାନ ନେତା ଜୟରାମ ପାଙ୍ଗୀ ବିଜେଡି ଛାଡି ବିଜେପିରେ ମିଶିବା ପରେ ପଟାଙ୍ଗୀରେ ଦଳର ଶକ୍ତି ବୃଦ୍ଧି ହୋଇଛି। ତେଣୁ ଏଥର ପଟାଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ ତ୍ରିମୁଖୀ ଲଢେଇ ହେବା ଏକ ପ୍ରକାର ନିଶ୍ଚିତ ବୋଲି ଅନୁମାନ କରାଯାଉଛି। ତେବେ ଏହି ଆସନ ପାଇଁ କଂଗ୍ରେସ ପୁରୁଣା ନେତା ରାମଚନ୍ଦ୍ର କାଡାମଙ୍କୁ ସବୁଜ ସଙ୍କେତ ଦେଇଥିଲାବେଳେ ବିଜେଡି ଓ ବିଜେପିରେ ପ୍ରାର୍ଥୀ ଖୋଜା ସରିନି।
Sambad is now on WhatsApp
Join and get latest news updates delivered to you via WhatsApp
ପଟାଙ୍ଗୀ, ନନ୍ଦପୁର, ସେମିଳିଗୁଡା ବ୍ଲକ ସମେତ କୋରାପୁଟ ବ୍ଲକର କିଛି ଅଂଶକୁ ନେଇ ପଟାଙ୍ଗୀ ଆସନ ଗଠନ ହୋଇଛି। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନରେ ଏବେ ୧,୮୮,୨୪୮ ଜଣ ଭୋଟର ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ ଜୟରାମ ପାଙ୍ଗୀ ଦୀର୍ଘବର୍ଷ ଧରି ଅଣ କଂଗ୍ରେସ ରାଜନୀତିର ନେତୃତ୍ବ ନେଇ ଆସୁଛନ୍ତି। ଗତ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କ ପୁତୁରା ପ୍ରଫୁଲ୍ଲ ପାଙ୍ଗୀ ବିଜେଡି ଟିକେଟରେ ଲଢି ବିଜୟୀ ହୋଇଛନ୍ତି। ସାରା ଜିଲ୍ଳାରେ ବିଜେଡି ମାଟି କାମୁଡି ପଡିଥିଲାବେଳେ ଏହି ଗୋଟିଏ ଆସନରେ ଦଳର ସମ୍ମାନ ରହିଥିଲା। ତେବେ ୨୦୦୯ରେ କଂଗ୍ରେସର ରାମ କାଡାମ ଏଠାରୁ ବିଧାୟକ ହୋଇଥିଲେ। ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡିର ଜୟରାମ ପାଙ୍ଗୀ ଏଠାରୁ ଲଗାତାର ବିଜୟୀ ହୋଇଥିଲେ। ଏଠାରେ ଦୀର୍ଘବର୍ଷ ହେଲା ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିଲାବେଳେ ଏବେ କିନ୍ତୁ ସ୍ଥିତି ବଦଳିଛି। ୨୦୦୯ ଓ ୨୦୧୪ରେ ମାତ୍ର ୧୦ହଜାର ଭୋଟ ପାଇବାରେ ବିଫଳ ହୋଇଥିବା ବିଜେପି ଏଥର ଅନ୍ୟ ଦୁଇ ଦଳକୁ କଡା ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହୋଇଗଲାଣି। ଏହାର ପ୍ରମୁଖ କାରଣ ହେଲା ଜୟରାମ ପାଙ୍ଗୀ ଏ ଭିତରେ ବିଜେଡି ଛାଡି ବିଜେପିରେ ମିଶିଛନ୍ତି। ତାଙ୍କ ସମର୍ଥକମାନେ ମଧ୍ୟ ବିଜେପିର ମିଶିଥିବାରୁ ଦଳର ଶକ୍ତି ବୃଦ୍ଧି ହୋଇଛି। ତେଣୁ ବିଜେଡି ଓ କଂଗ୍ରେସ ଭିତରେ ଆଗରୁ ଯେଉଁ ଦ୍ବିମୁଖୀ ଲଢେଇ ହେଉଥିଲା ଏଥର ଏଥିରେ ପରିବର୍ତ୍ତନ ହୋଇ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି।
ଏଥର କଂଗ୍ରେସରୁ ରାମଚନ୍ଦ୍ର କାଡାମ ପୁଣି ପ୍ରାର୍ଥୀ ହେଉଥିଲାବେଳେ ବିଜେଡି ଓ ବିଜେପିର ଚିତ୍ର ଅସ୍ପଷ୍ଟ ରହିଛି। ବିଜେଡି ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କୁ ଟିକେଟ ଦେଉ ନ ଥିବା ଚର୍ଚ୍ଚା ହେଉଥିଲାବେଳେ କ୍ରିଟ ଅଧ୍ୟକ୍ଷ ଅଶୋକ ପାଙ୍ଗୀ ଟିକେଟ ଦୌଡରେ ଆଗରେ ରହିଛନ୍ତି। ତାଙ୍କ ବ୍ୟତୀତ ପୀତମ ପାଢୀ ଓ ଚୈତନ୍ୟ ନନ୍ଦିବାଲି ମଧ୍ୟ ଟିକେଟ ଆଶାୟୀ ଅଛନ୍ତି। ସବୁଠାରୁ ଅଧିକ ଆଶାୟୀ ଅଛନ୍ତି ବିଜେପିରେ।
ବିଜେପିରେ ଅଧାଡଜନ ଆଶାୟୀ ରହିଥିଲାବେଳେ ସବୁ କିଛି ନିର୍ଭର କରୁଛି ଜୟରାମ ପାଙ୍ଗୀଙ୍କ ନିଷ୍ପତ୍ତି ଉପରେ। ସେ ଲୋକସଭା ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲେ ମଧ୍ୟ ପଟାଙ୍ଗୀ ବିଧାୟକ ଭାବେ ଲଢିବାର ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳିଛି। ଏପଟେ ପୁଅ ଅଶୋକଙ୍କୁ ବିଜେଡି ଟିକେଟ ନ ମିଳିଲେ ତାଙ୍କୁ ବିଜେପିକୁ ଆଣି ଦଳୀୟ ଟିକେଟ ଦେବା ଲକ୍ଷ୍ୟରେ ପାଙ୍ଗୀ ଅଛନ୍ତି ବୋଲି ଆଲୋଚନା ହେଉଛି। ତଥାପି ଭଗବାନ ପେଟିଆ, ରାମ ପାଙ୍ଗୀ, ଜଗତଜ୍ୟୋତି ପାଙ୍ଗୀ ପ୍ରମୁଖ ଏହି ସିଟ ପାଇଁ ବିଜେପି ଟିକେଟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବିଜେଡି ଓ ବିଜେପି ଦଳରେ ଏକାଧିକ ଆଶାୟୀ ଥିବାରୁ ନିର୍ବାଚନ ଫଳାଫଳ ପ୍ରାର୍ଥୀ ଚୟନ ଉପରେ ହିଁ ଅଧିକ ନିର୍ଭର କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି।