କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗୀ ବିଧାୟକ ପୀତମ ପାଢୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଉଭୟଙ୍କର କୌଣସି ଲକ୍ଷଣ ନାହିଁ ଓ ଏମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ଘରେ ଏକାନ୍ତବାସରେ ଦୁଇ ନେତା ରହିଥିବା ‘ସମ୍ବାଦ’କୁ ଫୋନ ଯୋଗେଁ ସୂଚନା ଦେଇଛନ୍ତି।
ବିଧାୟକ ପୀତମ ପାଢୀ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ଲୋକଙ୍କର କୋଭିଡ ପଜିଟିଭ ଜାଣିବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ଏହି ରିପୋର୍ଟ ପଜିଟିଭ ଆସିଛି। ତାଙ୍କର କୌଣସି ଲକ୍ଷଣ ନାହିଁ ଓ ସେ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି। ତେବେ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସେହିପରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ତାଙ୍କର ମଧ୍ୟ କୌଣସି କୋଭିଡ ଲକ୍ଷଣ ନାହିଁ ଓ ଡାକ୍ତରୀ ପରାମର୍ଶ କ୍ରମେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି। ତାଙ୍କ ସହ ମିଶିଥିବା ଲୋକମାନେ ମଧ୍ୟ ନିଜର ପରୀକ୍ଷା କରାଇ ନେବା ପାଇଁ ଶ୍ରୀ ପାଙ୍ଗୀ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ କୋରାପୁଟର ପୂର୍ବତନ ସାଂସଦ ତଥା ମନ୍ତ୍ରୀ ଜୟରାମ ପାଙ୍ଗୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଥିଲେ। ସେ ମଧ୍ୟ ଘରେ ରହି ଚିକିତ୍ସିତ ହେଉଛନ୍ତି।