କୋଟିଆ ସୀମା ଜଗିଲେ ପଟାଙ୍ଗି ବିଧାୟକ

ପଟାଙ୍ଗି : କୋଟିଆକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ଶନିବାର ଦିନ ରୋଚକ ତଥା କୌତୂହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନୁପ୍ରବେଶ ପୂର୍ବରୁ ପଳାୟନ ପାଇଁ ବାଧ୍ୟ ହୋଇଛନ୍ତି ଆନ୍ଧ୍ରର ସାଲୁର ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଆନ୍ଧ୍ରର ଲୋକସତ୍ତା ଦଳର ରାଜ୍ୟ ସଭାପତି ଭି. ସେଟ୍ଟି ବାଲାଜୀ ଏବଂ କିଛି ସରକାରୀ ଅଧିକାରୀ ତଳଗଞ୍ଜେଇପଦର, ଧୂଳିପଦର, ଆରଜୁବାଲସା ଏବଂ କୋଟିଆ ଗସ୍ତ କରିଥିଲେ। ଗାଁ ଗାଁରେ ଲୋକଙ୍କୁ ଭେଟି ପ୍ରଲୋଭିତ କରିଥିଲେ। ଆନ୍ଧ୍ର ସରକାରଙ୍କ ଯୋଜନା ସଂପର୍କରେ ପ୍ରକାଶ କରି ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ। ଓଡ଼ିଶାରେ ପଶି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବାରୁ ତାତି ଯାଇଥିଲେ ଲୋକ ପ୍ରତିନିଧି। ସେହିପରି ଜିଲ୍ଲା ପ୍ରଶାସନ ବି ଆନ୍ଧ୍ରର ଅନୁପ୍ରବେଶକୁ ନିନ୍ଦା କରି ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲା। ଏମିତି ସ୍ଥିତିରେ ଆନ୍ଧ୍ରକୁ ପାନେ ଦେବାକୁ ନିଷ୍ପତ୍ତି ନେଇଥିଲେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ। ଆଉ ଆନ୍ଧ୍ରର ଅନୁପ୍ରବେଶକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ। ଆଗକୁ ଯଦି ଆନ୍ଧ୍ରର କୌଣସି ଲୋକପ୍ରତିନିଧି କିମ୍ବା ସରକାରୀ ଅଧିକାରୀ ଓଡ଼ିଶାରେ ପଶିବେ ତେବେ ନିଶ୍ଚିତ ମାଡ଼ ହେବ ବୋଲି ଚରମବାଣୀ ଶୁଣାଇ ଦେଇଥିଲେ।

କିନ୍ତୁ ପଟାଙ୍ଗି ବିଧାୟକଙ୍କ ଏହି ଚରମବାଣୀକୁ ସେତେଟା ଗୁରୁତ୍ବ ଦେଇ ନଥିଲେ ଆନ୍ଧ୍ରର ଲୋକପ୍ରତିନିଧି ଏବଂ ସରକାରୀ ଅଧିକାରୀ। ଶନିବାର ପୂର୍ବନିଷ୍ପତ୍ତି ଅନୁଯାୟୀ ତଳଗଞ୍ଜେଇପଦର ଗାଁରେ ଜଙ୍ଗଲ ଜମି ବାଣ୍ଟିବାକୁ ସରକାରୀ କାର୍ଯ୍ୟକ୍ରମ ନିର୍ଦ୍ଧାରିତ କରିଥିଲେ। ଏଥିରେ ସାଲୁର ବିଧାୟକ ଏବଂ କିଛି ସରକାରୀ କର୍ମଚାରୀ ଯୋଗ ଦେବାକୁ ବାହାରିଥିଲେ। କିନ୍ତୁ ସେମାନେ ଓଡ଼ିଶା ସୀମାରେ ପହଞ୍ଚିବା ପୂର୍ବରୁ ପଟାଙ୍ଗି ବିଧାୟକଙ୍କ ନିକଟରେ ଏ ନେଇ ଖବର ପହଞ୍ଚି ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଛକାପଞ୍ଝା। ଦଳବଳ ନେଇ ତୁରନ୍ତ କୋଟିଆ ଗସ୍ତରେ ବାହାରି ଯାଇଥିଲେ ଶ୍ରୀ ପାଢ଼ୀ। କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଡେରା ପକାଇ ଆନ୍ଧ୍ରର ବିଧାୟକ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ। ଯଦି କେହି ଓଡ଼ିଶାରେ ପଶିବେ ତେବେ ପ୍ରତିରୋଧ କରିବାକୁ ପୂରା ପ୍ରସ୍ତୁତ କରି ସାରିଥିଲେ। ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି, ଜିଲ୍ଲା ପରିଷଦ ସଭ୍ୟ ଲାଇଛନ ଖରାଙ୍କ ସମେତ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ପଟାଙ୍ଗି ବିଡିଓ ବେଦ ଭୂଷଣ, ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ଆରଆଇ ଜି. ଡମ୍ବରୁ, ଆରଆଇ ଦୁର୍ଯ୍ୟୋଧନ ନାୟକ, ସୁଙ୍କି ଫାଣ୍ଡି ଅଧିକାରୀ ସଂଗ୍ରାମ କେଶରୀ ସ୍ବାଇଁ, ପିଇଓ ନବ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ।

ଅନ୍ୟପଟେ ଓଡ଼ିଶାର କଡ଼ା ଆଭିମୁଖ୍ୟ ସଂପର୍କରେ ଆନ୍ଧ୍ରର ଏଜେଣ୍ଟ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ। ଏଭଳି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ଆଦୌ କଳନା କରି ନଥିବା ଆନ୍ଧ୍ର ଅପ୍ରସ୍ତୁତ ହୋଇଯାଇଥିଲା। ଏପରିକି ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ବାଧ୍ୟ ହୋଇ ପଳାୟନ କରିଥିବା ସୂଚନା ମିଳିଛି। ପୂର୍ବରୁ ବାରମ୍ବାର ପ୍ରତିବାଦ ସତ୍ତ୍ବେ ଆଦୌ ଖାତିର କରୁ ନଥିଲା ଆନ୍ଧ୍ର। ତେବେ ଆଭିମୁଖ୍ୟରେ ପରିବର୍ତ୍ତନ ଆଗକୁ ଅନୁପ୍ରବେଶ ପୂର୍ବରୁ ଶହେ ଥର ଆନ୍ଧ୍ର ଚିନ୍ତା କରିବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର