ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ସଦର ମହକୁମାରେ ବି୍ରଟିଶ ଅମଳରୁ ଥିବା ଜାତୀୟ ରାଜପଥ ଡାକବଙ୍ଗଳା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ୧୯୧୩ମସିହାରେ ନିର୍ମିତ ଏହି ପୁରଣା କୋଠାର କାନ୍ଥ, କବାଟ ଓ ଝରକା ଆଦି ନଷ୍ଟ ନହୋଇ ଭଲ ଅବସ୍ଥାରେ ରହିଛି। କିନ୍ତୁ ରକ୍ଷଣାବେକ୍ଷଣ ତଥା ମରାମତି ଅଭାବରୁ ପାଚେରି ନଷ୍ଟ ହେବା ସହ ଆଜବେଷ୍ଟସରୁ ପାଣି ଗଳୁଛି। ଡାକବଙ୍ଗଳା ଚାରିପଟେ ଅନାବନା ଗଛ ସୃଷ୍ଟି ହୋଇଛି। ଏପରିକି ଏଠାରେ ବିଜୁଳି ଓ ପାଣିର ବ୍ୟବସ୍ଥା ନାହିଁ।

Advertisment

ଗତ ଦିନରେ ଏହି ଡାକବଙ୍ଗଳାରେ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ, ବୈଠକ ଆଦିର ଆୟୋଜନ କରାଯାଉଥିଲା। କିନ୍ତୁ ବର୍ତମାନ ସେଭଳି କିଛି କାର୍ଯ୍ୟକ୍ରମ ହେଉଛନି। ଅନ୍ୟପଟେ ଗତ କିଛି ବର୍ଷ ହେଲା ଏଠାରେ କୌଣସି ସରକାରୀ ଓ ବେସରକାରୀ ଅଧିକାରୀ ରାତି୍ର ଯାପନ କରୁନାହାନ୍ତି। ବର୍ତମାନ ଏହି କୋଠାଟି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏନେଇ ଜାତୀୟ ରାଜପଥ ବିଭାଗ ଯନ୍ତ୍ରୀଙ୍କୁ ପଚାରିବାରୁ ଡାକବଙ୍ଗଳା କୋଠାଟି ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିଛନ୍ତି।

ପ୍ରକାଶ ଥାଉକି, ପଟାଙ୍ଗି ସ୍ଥିତ ଜାତୀୟ ରାଜପଥ ଡାକବଙ୍ଗଳା, ତହସିଲ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଅନ୍ୟ ଏକ କୋଠା ବି୍ରଟିଶ ଅମଳରୁ ନିର୍ମିତ ହୋଇଛି। ତେବେ ଏଥି ମଧ୍ୟରୁ କେବଳ ତହସିଲ କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର କୋଠା ରକ୍ଷଣାବେକ୍ଷଣ ଅଭାବରୁ ଭଲରେ ରହିଛି। ରାଜପଥ ଡାକବଙ୍ଗଳା ଓ ଅନ୍ୟ ଏକ କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯଦି ଉଭୟ କୋଠାର ପୁନରୁଦ୍ଧାର କରାନଯାଏ ତେବେ ଏହା କେବଳ ସ୍ମୃତି ହୋଇ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି। ଶୀଘ୍ର ଉଭୟ କୋଠାକୁ ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।