ବିରୋଧ ସତ୍ତ୍ବେ ମାନୁନି ଆନ୍ଧ୍ର ପ୍ରଶାସନ: ଫାଟୁସିନେରୀରେ ବାଣ୍ଟିଲା ଗୃହ ଋଣ, ପେନସନ୍

ପଟ୍ଟାଙ୍ଗି : ବାରମ୍ବାର ବିରୋଧ ଓ ତାଗିଦ ସତ୍ତ୍ବେ ମାନୁନାହାନ୍ତି ଆନ୍ଧ୍ର ସରକାରଙ୍କ ଅଧିକାରୀ। କୋଟିଆରେ ଅନୁପ୍ରବେଶ କରି ଅଞ୍ଚଳବାସୀଙ୍କୁ ଆକୃଷ୍ଟ କରି ନିଜ ଆଡ଼କୁ ଟାଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏପରିକି କୋଟିଆ ଗ୍ରାମପୁଞ୍ଜର ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ପ୍ରତିଦିନ ଅନୁପ୍ରବେଶ କରି କିଛି ନା କିଛି ସରକାରୀ ଯୋଜନାର କାର୍ଯ୍ୟକ୍ରମ ଆୟୋଜନ କରି ଲୋଭ ଦେଖାଉଛନ୍ତି। ଏହି କ୍ରମରେ ପୁଣି ଆଜି କୋଟିଆର ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ଅଧିକାରୀ ଵାଇ. ସତ୍ୟମଙ୍କ ନେତୃତ୍ୱରେ ଏକ ଟିମ୍ ପହଞ୍ଚିଥିଲେ। ସେଠାରେ ଏକ ବୈଠକ କରି କିଛି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଵାଇଏସ୍‌ଆର୍‌ ଯୋଜନାରେ ଋଣ ପ୍ରଦାନ କରିବା ସହିତ ଦୁଇ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ, ୬ ଜଣଙ୍କୁ ପେନସନ୍ ଓ ୩୩ ଜଣଙ୍କୁ ଗୃହ ଋଣ ପ୍ରଦାନ କରାଯାଇଥିଲା। ଏପରିକି ବାହାରୁ ଋଣ ନ ଆଣିବା ପାଇଁ ମଧ୍ୟ ଏହି ଅଧିକାରୀମାନେ କହିଥିଲେ। ଏଥି ସହ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଆନ୍ଧ୍ର ପକ୍ଷରୁ ଯୋଗାଇଦେବା ପାଇଁ ଆଶ୍ବାସନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ସଲପଗୁଡ଼ା, ହରମାଣ୍ଡାଙ୍ଗି ଓ ଫଗୁଣସିନେରୀ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ।

କିଛି ଦିନ ତଳେ କୋଟିଆର ଫଗୁଣସିନେରୀ ଗାଁରେ ଆନ୍ଧ୍ର ପାର୍ବତୀପୁରମ୍ ପିଏ ଆଇଟିଡିଏ ଓ କିଛି ସରକାରୀ ଅଧିକାରୀ ପହଞ୍ଚି ଭୋଜି ଭାତର ଆୟୋଜନ କରିଥିଲେ। ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ଜମି ଚିହ୍ନଟ ଚାଲିଥିଲା। ଏ ସମ୍ପର୍କରେ ସୂଚନା ପାଇବା ପରେ ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ସେଠାରେ ପହ଼ଞ୍ଚିଥିଲେ ଓ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ କିଛି ସମୟ ଧରି କଥା କଟାକଟି ଚାଲିଲା। ଶେଷରେ ଘଟଣା ସ୍ଥଳରୁ ଫେରି ଯାଇଥିଲେ ଆନ୍ଧ୍ର ଅଧିକାରୀ।

ସମ୍ବନ୍ଧିତ ଖବର