ଶ୍ରୀମନ୍ଦିରରେ ‌ପାଟରା ସେବାକୁ ନେଇ ବିବାଦ : ଟଙ୍କା ଦେଲେ ମିଳୁଛି ସୁଯୋଗ

ପୁରୀ : ଶ୍ରୀମନ୍ଦିରରେ ‌ସେବାୟତ ବିବାଦ ମୁଣ୍ଡ ଟେକୁଛି। ମହାପ୍ରଭୁଙ୍କ ସେବାକୁ ନେଇ ଏବେ ରୀତିମତ ବେପାର ଚାଲିଲାଣି। ଯିଏ ପ୍ରଭାବଶାଳୀ, ବିତ୍ତଶାଳୀ ସେ ଚାହିଁଲେ ମହାପ୍ରଭୁଙ୍କ ସେବା ସୁ‌ଯୋଗ ପାଉଛି। କିଏ ସେବକ ହେବ, ସେ ସେବକର ଅଭିଜ୍ଞତା ଅଛି କି ନାହିଁ, ସେସବୁର ତର୍ଜମା ନ କରି ନୂଆ ସେବକଙ୍କୁ ସେବା ସୁଯୋଗ ମିଳୁଛି। ମହାପ୍ରଭୁଙ୍କ ସେବା ପାଇଁ ଚାପ, ଅର୍ଥ ବଳ ବି କାମ କରୁଥିବା ଅଭିଯୋଗ ହୋଇଛି।

କିଛି ନିଯୋଗରେ ପ୍ରତିବର୍ଷ ସେବକଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମନ୍ଦିର ପ୍ରଶାସନ କେଉଁ ଆଧାରରେ ସେବା ସୁଯୋଗ ଦେଉଛି, ତାର ସ୍ବଚ୍ଛତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଆଜି ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି ପାଟରା ନିଯୋଗ କ୍ଷେତ୍ରରେ। ପାଟରା ନିଯୋଗର ସଂପାଦକ ଜଗନ୍ନାଥ ପାତ୍ର ମନଇଛା ପାଟରା ସେବକଙ୍କ ନିଯୁକ୍ତି ଓ ସଂଖ୍ୟା ବୃଦ୍ଧିକୁ ନେଇ ଆପତ୍ତି ଉଠାଇଛନ୍ତି। ଶ୍ରୀମନ୍ଦିର ସ୍ବତ୍ବଲିପି ମୁତାବକ, ଶ୍ରୀମନ୍ଦିରରେ ପାଟରା ‌ସେବା ରହିଛି। ସେବକମାନେ ମହାପ୍ରଭୁଙ୍କ ଅଣସର ସମୟରେ ସେବା କରିବା ସହିତ ବର୍ଷତମାମ ମହାପ୍ରଭୁଙ୍କ ‌ସେବ‌ା କରିଥାନ୍ତି। ତେବେ ଗତ କିଛି ଦିନ ହେଲା ପାଟରା ନିଯୋଗରେ ‌ସେବାକୁ ନେଇ ବିବାଦ ଉପୁଜିଛି। ସ୍ବତ୍ବଲିପି ମୁତାବକ ୮ ଘର ପାଟରା ସେବକ ଗୋଟିଏ ନିଯୋଗରେ ରହିଛନ୍ତି। ଏହି ନିଯୋଗରେ ୩୪ ଜଣ ସେବକ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିଯୁକ୍ତ ସେବକଙ୍କ ସଂଖ୍ୟା ଏବେ ସ୍ବତ୍ବଲିପି ସେବକଙ୍କୁ ଟପିଗଲାଣି। ବର୍ତ୍ତମାନ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। ପ୍ରତିବର୍ଷ ଏଥିରେ ନୂଆ ‌ସେବକଙ୍କୁ ନିଯୁକ୍ତ ବି ଦିଆଯାଉଛି।

ପାଟରା ନିଯୋଗର ସଂପାଦକ ଶ୍ରୀ ପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପାଟରା ସେବାକୁ ନେଇ ମନମାନି ଚଳାଇଛି। ସ୍ବତ୍ବଲିପି ମୁତାବକ ପୁରୀର ୮ ଘର ପାଟରା ବଂଶାନୁକ୍ରମିକ ଭାବେ ଏହି ସେବା କରି ଆସୁଛନ୍ତି। ମାତ୍ର ପରବର୍ତ୍ତୀ ସମୟରେ ମନ୍ଦିର ପ୍ରଶାସନ ପୁରୀ ବାହାରର କିଛି ପାଟରା ସେବକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିଛନ୍ତି। ଏବେ ୧୬ ଘର ଏହି ସେବା କରୁଥିବା ବେଳେ ସେମାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ୧୯୯୬ରେ ସୁରେଶ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ବେଳେ ପାଟରା ସେବକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ଏଥିରେ ସ୍ବତ୍ବଲିପିରେ ଥିବା ୨୯ ସେବକ ଉତ୍ତୀର୍ଣ୍ଣ ହୋଇଥିଲେ। ମାତ୍ର କିଛି ବାହାର ‌ଲୋକ ଯେଉଁମାନେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେ ‌ସେମାନଙ୍କୁ ମଧ୍ୟ ନିଯୋଗରେ ସାମିଲ କରାଯାଇଛି। ଯାଜପୁର, କଟକ ଓ ଅନ୍ୟ ଜିଲ୍ଲାର ପାଟରା ସେବକମାନେ ବର୍ତ୍ତମାନ ଶ୍ରୀମନ୍ଦିରରେ ପାଟରା ସେବକ ଭାବେ ସେବା କରୁଛନ୍ତି।

ସ୍ବତ୍ବଲିପିରେ ପାଟରାମାନଙ୍କ ସେବାକୁ (କ) ଓ (ଖ) ଦୁଇ ଭାଗରେ ବିଭକ୍ତ କରାଯାଇଛି। କ’ ସେବା ବାରମାସୀ ଥିବା ବେଳେ ଖ’ ସେବା ଗୋଷ୍ଠୀଗତ ରହିଛି। ଏବେ ପାଟରା ନିଯୋଗରେ ବିଭ୍ରାଟ କରିବାକୁ ପ୍ରୟାସ କରାଯାଉଛି। ସ୍ବତ୍ବଲିପି ସେବା ଓ ସେବକଙ୍କୁ ଏବେ ଅଣ ସ୍ବତ୍ବଲିପି ସେବକ କବଳିତ କରିବାକୁ ପ୍ରୟାସ କରୁଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହାର ସମାଧାନ ନହେଲେ ଆଗାମୀ ଦିନରେ ଏହା ବିଦ୍ରୋହର ରୂପ ନେବ। ପୁରୀର ମୂଳ ପାଟରା ସେବକ ଏହାର ପ୍ରତିବାଦ କରିବେ। ପ୍ରଶାସନ କେ‌ତେ ଜଣ ପ୍ରାଧିକୃତ ସେବକଙ୍କୁ ନିଯୁକ୍ତି ଦେଇଛି ତାର ତାଲିକା ପ୍ରକାଶ କରିବା ସହ କେଉଁ ଆଧାରରେ ନିଯୁକ୍ତି ଦେଇଛି ସେ ସଂପର୍କରେ ସ୍ପଷ୍ଟ କରିବାକୁ ଶ୍ରୀ ପାତ୍ର ଦାବି କରିଛନ୍ତି। ଅନ୍ୟପକ୍ଷ‌ରେ ବିପରୀତ ଗୋଷ୍ଠୀର ସଦସ୍ୟ ଦେବ ପାତ୍ରଙ୍କୁ ଏ ସଂପର୍କରେ ପଚରାଯିବାରୁ ମନ୍ଦିର ପ୍ରଶାସନର ଜ୍ଞାତସାରରେ ଏବଂ ସ୍ବତ୍ବଲିପି ଆଧାରରେ ସବୁ କିଛି କରାଯାଉଥିବା ସେ କହିଛନ୍ତି। ତେବେ ଏଭଳି ବିବାଦରେ ମୁଣ୍ଡ ପୁରାଉନଥିବା ଶ୍ରୀମନ୍ଦିର ପ୍ରଶାସନ ନିରବ ରହିଛି। ନୀତି ପ୍ରଶାସକ ଏ ନେଇ କୌଣସି ଉତ୍ତର ରଖିନାହାନ୍ତି।

ସମ୍ବନ୍ଧିତ ଖବର