ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌, ସେଲ୍‌ଫି ଛାଡ଼ି ପାଟରା ସେବକ ନିଲମ୍ବିତ

ପୁରୀ : ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍‌ ଆଉ କିଛି ନୂଆ ହୋଇ ରହିନାହିଁ। କେତେବେଳେ ଭକ୍ତ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରୁଛନ୍ତି ତ ଆଉ କେତେବେଳେ ମହାପ୍ରଭୁଙ୍କ ସେବା ସହ ଜଡ଼ିତ ସେବକ ଏଭଳି ଫଟୋ ସୋସିଆଲ୍‌ ମିଡିଆରେ ଅପଲୋଡ଼୍ କରୁଛନ୍ତି। ଆଜି ଜଣେ ପାଟରା ସେବକ ନିଜ କାମ ବେଳର ‌ଫଟୋ ଭାଇରାଲ୍‌ କରି ଅଡୁଆରେ ପଡିଛନ୍ତି। ଫଟୋ ଭାଇରାଲ୍‌ କରିଥିବା ସେବକଙ୍କ ନାଁ ଅଶୋକ ପାତ୍ର। ଜଗମୋହନରେ କାମ କରୁଥିବା ସମୟରେ ସେ ଏକ ସେଲ୍‌ଫି ନେଇଥିଲେ। ଏହି ଫଟୋ ଆଜି ସୋସିଆଲ୍‌ ମିଡିଆରେ ଘୂରି ବୁଲିବା ପରେ ଅଶୋକଙ୍କ ବିରୋଧ‌ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ସେବାରୁ ନିଲମ୍ବିତ କରାଯାଇଛି।

ଅନ୍ୟପକ୍ଷରେ ପାଟରା ନିଯୋଗର ସଂପାଦକ ଜଗନ୍ନାଥ ପାତ୍ର କହିଛନ୍ତି, ଅଶୋକ ସେବାୟତ ନିଯୋଗର ନୁହନ୍ତି କି ସ୍ବତ୍ବଲିପି ସେବକ ନୁହନ୍ତି। ତେଣୁ ତାଙ୍କୁ କିଏ ନିଲମ୍ବନ କରିଛନ୍ତି ସେ ସଂପର୍କରେ ସେ କିଛି ଜାଣିନାହାନ୍ତି। ତେବେ ଖବରରୁ ଯାହା ଜଣାପଡ଼ିଛି, ପାଟରା ସେବକ ଅଶୋକ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପାଟ ବୁଣୁଥିବା ବେଳେ ଏକ ସେଲ୍‌ଫି ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ।

ଶ୍ରୀମନ୍ଦିରକୁ ମୋବାଇଲ୍‌ ମନା ଥିଲେ ମଧ୍ୟ ଏହା ଅବାଧରେ ଶ୍ରୀମନ୍ଦିର ଭିତରକୁ ଯାଉଛି। ଭକ୍ତଙ୍କ ପରେ ସେବାୟତ ବି ଫଟୋ ଭାଇରାଲ୍‌ କରିବାକୁ ପଛାଉନାହାନ୍ତି। ସେବାୟତଙ୍କୁ ମନ୍ଦିର ଭିତରକୁ ମୋବାଇଲ ନେବା ପାଇଁ ଅନୁମତି ମିଳୁଥିବାରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର