ଭଦ୍ରକ: ରାଜ୍ୟ ସରକାର ଆଳୁ ଚାଷ ଉପ‌ରେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।  ବିଭିନ୍ନ ଜିଲ୍ଲାରେ ପାରଂପରିକ ଧାନ ଚାଷ ପରିବର୍ତ୍ତେ ଆଳୁ ଚାଷ କରିବାକୁ  ସବୁ ପ୍ରକ‌ାର ସହଯୋଗ ଓ ସହାୟତା ଦିଆଯାଉଛି।  ରାଜ୍ୟରେ କିନ୍ତୁ  ଆଳୁ ଚାଷ ଆଶାନୁରୂପକ ଭାବେ ବୃଦ୍ଧି ପାଇପାରୁ ନାହିଁ।  ଭଦ୍ରକ ଜିଲ୍ଲାରେ ପୂର୍ବରୁ ଯେଉଁ ପ୍ରକାର ଆଳୁ ଚାଷ ପ୍ରତି ଚାଷୀଙ୍କର ଆ‌ଗ୍ରହ  ଥିଲା। ଏବେ ସ‌େ ଆଗ୍ରହ କମି କମି ଯାଉଛି।  ସରକାରଙ୍କର  ଆଳୁ ମିଶନ ଯୋଜନା ବାସ୍ତବରେ  ଆଗକୁ ଯାଇ ପାରୁ ନାହିଁ।

Advertisment

ଆଳୁ ଚାଷୀଙ୍କୁ ବିହନ  ଯୋଗାଣଠାରୁ ଆରମ୍ଭ କରି  ଆଳୁ ଚାଷ କରିବା ପାଇଁ ହେକ୍ଟର ପିଛା  ୫୮ ହଜାର ଟଙ୍କା ସବସିଡ ଦିଆଯାଉଛି। ମାତ୍ର ଭଦ୍ରକ ଜିଲ୍ଲାରେ ଆଳୁ ଚାଷୀଙ୍କର ଉତ୍ପାଦିତ ଆଳୁକୁ ସରଂକ୍ଷିତ କରି ରଖିବା ପାଇଁ  ଶୀତଳ ଭଣ୍ଡାର  ନଥିବାରୁ  ଆଳୁ ଚାଷୀ ନିଜର ଉତ୍ପାଦିତ ଆଳୁକୁ ସରଂକ୍ଷିତ କରିବା ପାଇଁ ଅସୁବିଧାରେ ସମ୍ମୁଖୀନ ହେବାରୁ ଏହି ଚାଷ ଆଡୁ ଏବେ ମୁହଁ ଫେରାଉଛନ୍ତି। ଆଗରୁ ଜିଲ୍ଲାରେ ଯେଉଁ ପରିମାଣରେ  ଆଳୁ ଚାଷ ହେଉଥିଲା। ଏବେ ତାହା କମି କମି ଆସୁଛି। ଆଳୁ ଚାଷ ପ୍ରତି ଭଦ୍ରକ  ଜିଲ୍ଲାର ଚ‌ାଷୀଙ୍କର ଆଉ ଆଗ୍ରହ ନାହିଁ।  ପୂର୍ବରୁ ଭଦ୍ରକ ଜିଲ୍ଲାରେ  ୨ ଶହ ରୁ ଅଢେଇ ଶହ ହେକ୍ଟର ଜମିରେ ଆଳୁ ଚାଷ କରାଯାଉଥିଲା।  ଏଇ ଚାଷ କମି କମି  ଗତ  ବର୍ଷ  ୮୮  ହେକ୍ଟର ଜମିରେ  ଆଳୁ ଚାଷ କରାଯାଇଥିଲା। ଚଳିତ ବର୍ଷ ଏହା ହ୍ରାସ ପାଇ ୫୯ ହେକ୍ଟର ଜମିରେ ପହଞ୍ଚିଛି।  ଜିଲ୍ଲାରେ ଆଳୁ ଚାଷ କ୍ରମାଗତ ଭାବ‌େ କମୁଛି। ଜିଲ୍ଲାର  ୭ ଟି ବ୍ଲକ ମଧ୍ୟରୁ  ୫ ଟି ବ୍ଲକରେ ଆଳୁ ଚାଷ କରାଯାଉଥିବା ବେଳେ ଅନ୍ୟ ଦୁଇଟି  ବ୍ଲକରେ ଆଦୌ ଆଳୁ ଚାଷ କରାଯାଉ ନାହିଁ।

ଚଳିତ ବର୍ଷ ଚାନ୍ଦବାଲି ବ୍ଲକରେ  ୨୩ ହକ୍ଟର ଜମିରେ ଆଳୁ ଚାଷ କରାଯାଇଥିବା ବେଳେ ଭଦ୍ରକ ବ୍ଲକରେ ୧୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି।  ବନ୍ତ ବ୍ଲକରେ  ୪ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି।  ଭଣ୍ଡାରିପୋଖରୀ ବ୍ଲକରେ ୩.୩୩ ହକ୍ଟର ଜମିରେ ଆ‌ଳୁ ଚାଷ କରାଯାଇଥିବା ବେଳେ ବାସୁଦେବପୁର ବ୍ଲକରେ  ୩.୪୩ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ।  ଧାମନଗର ଓ ତିହିଡି ବ୍ଲକରେ ଆଦୌ ଆଳୁ ଚାଷ କରାଯାଇ ନଥିବା ବେଳେ ଏଇ ବ୍ଲକରେ  କୌଣସି ଚାଷୀ ଆ‌ଳୁ ଚାଷ  ପ୍ରତି ଆଗ୍ରହ ପ୍ରକାଶ ନକରିବା ପରିତାପର  ବିଷୟ ହୋଇଛି।  ଚଳିତ ବର୍ଷ ଜିଲ୍ଲାରେ  ଆଳୁ ଚାଷୀଙ୍କୁ ସରକାରୀ ଭାବେ  ୮୯୯  କୁଇଣ୍ଟାଲ ଆଳୁ ବିହନ ଚାଷ ପାଇଁ ଯୋଗାଇ ଦିଆଯାଇଛି।  ଯେଉଁଥିରୁ ବା‌ର୍ଷିକ  ୧୦ ହଜାର ମେଟ୍ରିକଟନ୍ ଆ‌ଳୁ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖା ଯାଇଛି।  କେବଳ ସରକାରୀ ବିହନ ରେ ଲୋକେ ଆଳୁ ଚାଷ କରି ନାହାନ୍ତି।  ଜିଲ୍ଲାରେ ଆହୁରି କିଛି  ଚାଷୀ ନିଜ ବାଡି ବଗିଚାରେ ନିଜସ୍ବ ଉଦ୍ୟମରେ ଆଳୁ ଚାଷ କରିଛନ୍ତି।

ଜିଲ୍ଲାରେ  ଏଇ ଘରୋଇ ଆଳୁ ଉତ୍ପାଦନ ଯଥେଷ୍ଟ ହେଉ ନଥିବା ବେଳେ ଏହି ଚାଷ  ଆହୁରି  କମୁ ଥିବାରୁ  ଜିଲ୍ଲାରେ   ସରକାରଙ୍କର ଆଳୁ  ମିଶନ ଫେଲ ମାରିଛି।  ଏକ ସେର୍ଭ ରିପୋର୍ଟରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲାକୁ ଦୈନିକ ୧୦୦ ଟ୍ରକ ଆଳୁ ଯୋଗାଣ କରାଯାଉଛି।  ପ୍ରତିଦିନ  ପ୍ରାୟ ୧୦ ହଜାର ମେଟଅିକ୍ ଟନ୍ ଆଳୁ ଭଦ୍ରକ ଜିଲ୍ଲାକୁ ଯୋଗାଣ କରାଯାଉଛି। ଏଇ  ପରିମାଣରେ ଆଳୁ ଜିଲ୍ଲାରେ ଖାଉଟୀ ଖାଉଥିବା ବେଳେ  ଜିଲ୍ଲାରେ କିନ୍ତୁ ଆଳୁ ଉତ୍ପାଦନ ଦୈରାଶ୍ୟଜନକ ହୋଇଛି।   ଜିଲ୍ଲାରେ ବାର୍ଷିକ  ୩ ଲକ୍ଷ ୫୦ ହଜାର ମେଟ୍ରିକଟନ୍ ଆଳୁର  ଆବଶ୍ୟକତା ଥିବା ବେଳେ  ଏଇ ସବୁ ଆଳୁ  ପଡୋଶୀ ରାଜ୍ୟ ବେଙ୍ଗଲ ଉପରୁ ନିର୍ଭର କରିବାକୁ ପଡିଛି।  ରାଜ୍ୟରେ ଆଳୁ ଶଙ୍କଟକୁ ଦୃ‌ଷ୍ଟିରେ ରଖି ରାଜ୍ୟ ସରକାର ୨୦୧୫- ୧୬ ମସିହାରେ ଆଳୁ ମିଶନ ଆରମ୍ଭ କରିଥିଲେ। ଏଇ ମିଶନ ଜରିଆରେ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା   ଯୁଯୋଗ କରାଇ ଦେଇ ଆଳୁ ଚାଷ ଉପରେ କିପରି  ଅଧିକ ଚାଷୀ ଗୁରୁତ୍ବ ଦେବେ ସ‌େ ନେଇ  ଯୋଜନା ପ୍ରସ୍ତୁତ ହୋଇଥିଲା।

ରାଜ୍ୟରେ ବ୍ୟାପକ ଆଳୁ ଚାଷ କରିବାର ଲକ୍ଷ୍ୟ  ସରକାର ନେଇଥିବା ବେଳେ ଆଳୁ ସରଂକ୍ଷଣ ଦିଗରେ ସରକାର  କୌଣସି ପଦକ୍ଷେପ  ନନେବାରୁ  ଆଳୁ  ଚାଷୀମାନେ   ସେମାନଙ୍କର ଉତ୍ପାଦିତ   ଆଳୁକୁ ସରଂକ୍ଷଣ କରି ରଖିବା ପାଇଁ ଆବ୍ୟକ ଶୀତଳ ଭଣ୍ଡାର ଯୋଗାଇ ନଦେବାରୁ  ଏବେ ଏଇ ଚାଷ  କମି କମି ଯାଉଛି।  ସରକାରଙ୍କର ଶୀତଳଭଣ୍ଡାର ସ୍ଥାପନ ମିଶନ ଜିଲ୍ଲାରେ ଫେଲ ମାରିଛି। ଜିଲ୍ଲାରେ ଚାଷୀ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ବାରଂବାର ଦାବି କରି ଆସୁଥିଲେ  ମଧ୍ୟ  ରାଜ୍ୟ  ସରକାର ଭଦ୍ରକରେ ଶୀତଳ ଭଣ୍ଡାର ପ୍ରତିଷ୍ଠ‌ା ନକରିବା  ପରିତାପର ବିଷୟ ହୋଇଛି।  ସରକାର ଆଳୁ ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ସରକାରଙ୍କର  ଆଳୁ ମିଶନ ଯୋଜନା ଭଦ୍ରକରେ ସଫଳ ଭାବେ  ରୂପାୟନ ହୋଇ ପାରି ନାହିଁ।  ଜିଲ୍ଲାରେ  ଆଳୁ  ଚାଷ  ହ୍ରା‌ସ ପାଉଥିବାରୁ ଏ ନେଇ  ଜିଲ୍ଲା ସହକାରୀ ଉଦ୍ୟାନ ଓ କୃଷି ନିର୍ଦ୍ଦେଶକ  କନ୍ଦ ଜେନା କହନ୍ତି,ଭଦ୍ରକର ଜଳବ୍ୟାୟୁ  ଆଳୁ ଚାଷ ପାଇଁ ଅନୁକୂଳ  ହେଉ ନଥିବାରୁ ଏଇ ଚାଷ ପ୍ରତି  ଚାଷୀମାନେ ଆଗ୍ରହ ପ୍ରକାଶ କରୁ ନଥିବା  ଜଣାପଡିଛି। ଆ‌ଳୁ ଅକ୍ଟୋବର ଓ ନଭେମ୍ବର ମାସରେ ଲାଗାଯାଇଥାଏ।  ଜାନୁଆରୀ ଓ ଫେବ୍ରୁଆରୀ ମାସରେ  ଆଳୁ ଅମଳ କରାଯାଏ।  ଜିଲ୍ଲାରେ ବିଳମ୍ବିତ  ଖରିଫ ଧାନ  ଅମଳ  ଯୋଗୁଁ   ଆଳୁ ଚାଷ କରିବା  ବିଳମ୍ବ ହେଉଛି।  ଯାହା ଫଳରେ ଜିଲ୍ଲାରେ ଆଳୁ ଚାଷ କମି ଯାଉଛି।  ଆଳୁ ଚାଷ ପ୍ରତି ଏଇ କାରଣରୁ ଚାଷୀଙ୍କର ଆଗ୍ରହ ରହୁ ନଥିବା କଥା କହିଛନ୍ତି ସହକାରୀ ନିର୍ଦ୍ଦେଶକ ।

ଶୀତଳଭଣ୍ଡାର ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଏଇ ପ୍ରସଙ୍ଗକୁ  ସହକାରୀ ନିର୍ଦ୍ଦେଶକ ଏଡାଇ ଦେଇଯାଇଛନ୍ତି।  ଭଦ୍ରକ ଜିଲ୍ଲା  ସଦର ମହକୁମାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଗଲେ ଜିଲ୍ଲାରେ ଆଳୁ ଚାଷ ପ୍ରତି ଲୋକଙ୍କର ଆଗ୍ରହ ବଢି ପାରନ୍ତା।   ଅନ୍ୟ ପକ୍ଷରେ  ଆଳୁର ବିହନ ଦର ଖୋଲା ବଜାରରେ  ୨୦  ଟଙ୍କାରେ ମିଳୁ ଥିବା ବେଳେ ସରକାର ଚାଷୀଙ୍କଠାରୁ କିଲୋ ପ୍ରତି ୪୫ ଟଙ୍କା ମୂଲ୍ୟରେ  ଆଳୁ ବିହନ ବିକ୍ରୀ କରୁଛନ୍ତି।  ସରକାରୀ   ଆଳୁ  ବିହନର ମୂଲ୍ୟ ଅଧିକ ରହୁଥିବାରୁ ବେସରକାରୀ  ଆଳୁ ବିହନ ପ୍ରତି ଲୋକଙ୍କର ଆଗ୍ରହ ବଢୁଛି। ବେସରକାରୀ ଆଳୁ ବିହନ ଯୋଗୁଁ ଉତ୍ପାଦନ ହ୍ରାସ ପାଉଛି। ହେକ୍ଟର ପିଛା ୨୦ ମେଟ୍ରିକଟନ୍ ଜାଗାରେ ଉତ୍ପାଦନ ୧୦ ମେଟ୍ରିକ୍ ଟନ୍ ମିଳୁ ନାହିଁ। ଉତ୍ପାଦନ କମୁଥିବା କାରଣରୁ ମଧ୍ୟ ଚାଷୀଙ୍କର ଆଳୁ ଚାଷ ଉପରୁ ଆଗ୍ରହ କମୁଛି।  ଆଳୁ ଏକ ଅର୍ଥକାରୀ  ଫସଲ ହୋଇଥିଲେ ମଧ୍ୟ ଏଇ ଫସଲ  ଉତ୍ପାଦନ ଜିଲ୍ଲାରେ ଏକ ରକମ   ଫେଲ୍ ମାରିଛି।  ଅନେକ ଲୋକ ଆଳୁ ଚ‌ାଷ ପ୍ରତି ଆଗ୍ରହ  ରଖୁଥିଲେମଧ୍ୟ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ଠିକ୍ ଭାବେ ମିଳୁ ନଥିବାରୁ  ଆଳୁ ଚାଷ ଜିଲ୍ଲାରେ ଆଗକୁ ଆଗେଇ ପାରୁ ନାହିଁ।