ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲାକୁ ରେଳପଥ ସଂଯୋଗ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ବାରୋପ କରିଛନ୍ତି। ବୁରାମରା-ଚକୁଳିଆ ଓ ବାଦାମପାହାଡ଼-କେନ୍ଦୁଝରକୁ ରେଳପଥ ସଂଯୋଗ ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।
ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ୧୯୧୦ ମସିହାରେ ଟାଟା-ଗୋରୁମହିଷାଣୀ ରେଳ ଲାଇନ୍ ବିଛା ଯାଇଥିଲା। ୧୯୨୧ ବେଳକୁ ତାହା ବାଦାମପାହାଡ଼ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥିଲା। ମାତ୍ର ଏହା ପରଠାରୁ ମୟୂରଭଞ୍ଜରେ ରେଳ ଭିତ୍ତିଭୂମି କ୍ଷେତ୍ରରେ କୌଣସି ପ୍ରକାର ଅଗ୍ରଗତି ହୋଇପାରି ନାହିଁ। ମୟୂରଭଞ୍ଜରେ ରେଳ ଯୋଗାଯୋଗକୁ ବ୍ୟାପକ କରିବା ଲାଗି ବୁରାମରା-ଚକୁଳିଆ ଓ ବାଦାମପାହାଡ଼-କେନ୍ଦୁଝର ମଧ୍ୟରେ ରେଳ ଲାଇନ୍ ବିଛାଇବା ଲାଗି ରେଳବାଇ ପକ୍ଷରୁ ସର୍ଭେ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ କାର୍ଯ୍ୟ ହୋଇପାରି ନାହିଁ। ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଦ୍ବାରା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଲୋକେ ଉପକୃତ ହୋଇପାରିବେ। ଝାଡ଼ଖଣ୍ଡ ଓ ଉତ୍ତର ଭାରତକୁ ଗମନାଗମନ ବି ସହଜ ହେବ। ଦୁଇ ପ୍ରକଳ୍ପ ଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାଗଣାରେ ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟବାସୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ପତ୍ରରେ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/naveen-patnaik.jpg)