ଭଦ୍ରକ: ୧୦୮ ଆମ୍ବୁଲାନ୍ସ ଗାଁକୁ ଆସିପାରିଲାନି, ଖଟିଆରେ ବୁହା ହେଲେ ରୋଗୀ

ବାସୁଦେବପୁର: ଗାଁର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି । ଯୋଜନା ପ୍ରସ୍ତୁତ ହୋଇ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଯୋଜନା ହେଉଛି ବାଟବଣା। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବଉପୋଖରୀ ଗ୍ରାମର। ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ଆଜି ଖଟିଆରେ ରୋଗୀ ବୁହା ଯାଉଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବୋଉପୋଖରୀ ଗ୍ରାମର ଭାରତୀ ମହାଳିକଙ୍କ ଶନିବାର ଛାତି ଯନ୍ତ୍ରଣା ହୋଇଥିଲା । ଏହା ପରେ ପରିବାର ଲୋକେ ଭାରତୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ କର୍ମଚାରୀମାନେ ବୋଉପୋଖରୀ ଗାଁର ନାମ ଶୁଣିବା ପରେ ସେଠାକୁ ଯିବା ପାଇଁ ସିଧାସଳଖ ମନା କରିଦେଇଥିଲେ । ଆମ୍ବୁଲାନ୍ସ ମନା କରିବା ପରେ ପରିବାର ଲୋକ ଗ୍ରାମବାସୀଙ୍କ ସହାୟତରେ ଭାରତୀଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ବିରସ ଆରଡି ରାସ୍ତା ପାଖକୁ ଆଣିଥିଲେ । ତାପରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ଏବେ ରୋଗୀର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ରାସ୍ତାରେ ଖାଳ ଥିବାରୁ ଆମ୍ବଲାନ୍ସ ଆସିନଥିଲା ବୋଲି ଅଭିଯୋଗ ହୋଇଛି ।

ଦେଶ ସ୍ୱାଧୀନତାର ୭୩ ବର୍ଷ ବିତିଯାଇଛି । ବାସୁଦେବପୁର ଭଳି ଏକ ବିକଶିତ ଓ ଶିକ୍ଷିତ ବ୍ଲକରେ ଥିବା କିଛି ଗାଁକୁ ଏବେ ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ । ବାସୁଦେବପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଏପର୍ଯ୍ୟନ୍ତ ତିନି ଜଣ ମନ୍ତ୍ରୀ (ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ ଓ ବିଜୟଶ୍ରୀ ରାଉତରାୟ) ହୋଇସାରିଛନ୍ତି । କିନ୍ତୁ ବ୍ଲକର ସବୁ ଗାଁକୁ ରାସ୍ତାଟି କରିବା ପାଇଁ ଏମାନଙ୍କର ଦୃଷ୍ଟି ପଡ଼ିନାହିଁ । ବିରସ ସରପଞ୍ଚ ଦୟାନିଧୀ ଦାସ ରୋଗୀଙ୍କୁ ଖଟିଆରେ ବୁହା ହେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର